ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ଲାଉଡ ସ୍ପିକର ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏନେଇ ପୁଣିଥରେ ମହାରାଷ୍ଟ୍ର ନବନିର୍ମାନ ସେନା ମୁଖ୍ୟ ରାଜ ଠାକରେ ଲାଉଡ ସ୍ପିକର ବିଷୟରେ ମହାରାଷ୍ଟ୍ର ସରକାରଙ୍କୁ ଚେତାବନୀ ଦେଇଥିବାର ଦେଖିବାକୁ ମିଳିଛି । ତେବେ ମେ ୩ ସୁଦ୍ଧା ମସଜିଦରେ ଲାଉଡ ସ୍ପିକର ବନ୍ଦ କରନ୍ତୁ ନଚେତ୍ ଆମେ ସ୍ପିକରରେ ହନୁମାନ ଚଲିସା ବଜାଇବୁ । ଏହା ଏକ ଧାର୍ମିକ ନୁହେଁ ବରଂ ଏକ ସାମାଜିକ ପ୍ରସଙ୍ଗ । ମୁଁ ରାଜ୍ୟ ସରକାରଙ୍କୁ କହିବାକୁ ଚାହେଁ ଯେ ଆମେ ଏହି ପ୍ରସଙ୍ଗକୁ ନେଇ ପଛକୁ ଫେରିବୁ ନାହିଁ । ଆପଣ ଯାହା କରିବାକୁ ଚାହୁଁଛନ୍ତି ତାହା କରନ୍ତୁ ବୋଲି ଏମଏନଏସ ମୁଖ୍ୟ ରାଜ ଠାକରେ କହିଛନ୍ତି । ଅନ୍ୟପକ୍ଷରେ ଶିବସେନା ନେତା ସଞ୍ଜୟ ରାଉତ ହିନ୍ଦୁତ୍ୱ ପ୍ରସଙ୍ଗ ଏବଂ ରାଜ ଠାକରେଙ୍କ ବିବୃତ୍ତି ଉପରେ ବିଜେପିକୁ ଟାର୍ଗେଟ କରିଛନ୍ତି। ସଞ୍ଜୟ ରାଉତ କହିଛନ୍ତି, ବିଜେପି ରାଜ ଠାକରେଙ୍କୁ ଏସବୁ ପାଇଁ ଅନୁମତି ଦେଇଛନ୍ତି । ଆମକୁ ହିନ୍ଦୁତ୍ୱ ବିଷୟରେ କିଛି ଶିକ୍ଷା ଦେବାର ଆବଶ୍ୟକତା ନାହିଁ । ହିନ୍ଦୁତ୍ୱ ଶିବସେନାର ରକ୍ତରେ ଅଛି, ଏହା ଶିବସେନାର ଶିରାରେ ପ୍ରବାହିତ ହେଉଛି ।
ଯେତେବେଳେ ବି ହିନ୍ଦୁତ୍ୱ ଉପରେ ଆକ୍ରମଣ କରାଯାଏ, ସେତେବେଳେ ବିଜେପି ଆଗରେ ନଥିଲା କିନ୍ତୁ ଆମେ ସେଠାରେ ଥିଲୁ । ବାଲାସାହେବ ଠାକରେ ଏବଂ ଉଦ୍ଧବ ଠାକରେ ସେଠାରେ ଥିଲେ। ଅନ୍ୟପଟେ ରାଜ ଠାକରେଙ୍କ ବିବୃତ୍ତିରେ ବିଜେପି ବିଧାୟକ ନୀତୀଶ ରାଣେ ଏକ ବିବୃତ୍ତି ଦେଇଛନ୍ତି ଯେ ରାଜ ଠାକରେ ଏବେ ବିଜେପି ପ୍ରସଙ୍ଗକୁ ପସନ୍ଦ କରୁଛନ୍ତି। ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ନୀତୀଶ ରାଣେ କହିଛନ୍ତି ଯେ ହିନ୍ଦୁତ୍ୱ ପ୍ରସଙ୍ଗକୁ ମୋଦୀ ଜିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଆଣିଛି। ସମୟକ୍ରମେ ଭାରତୀୟ ଜନତା ପାର୍ଟି ଦ୍ୱାରା ଲାଉଡ ସ୍ପିକରର ପ୍ରସଙ୍ଗ ଉଠାଯାଇଥିଲା ଏବଂ ଏହି ପ୍ରସଙ୍ଗକୁ ମଧ୍ୟ ଏମଏନଏସ ପସନ୍ଦ କରିଥିଲା ଏବଂ ସେଥିପାଇଁ ବର୍ତ୍ତମାନ ଏମଏନଏସ ମଧ୍ୟ ଏହି ଧାଡ଼ିରେ ଯୋଡ଼ି ହୋଇଛି ବୋଲି କହିଛନ୍ତି ।
କେବଳ ଏତିକି ନୁହେଁ ବରଂ ଶିବସେନାର ଅଭିଯୋଗ ଉପରେ ମଧ୍ୟ ନୀତିଶ ରାଣେ ପ୍ରତିକ୍ରିୟ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଆମେ ଆମର ନିଜସ୍ୱ ସ୍କ୍ରିପ୍ଟ ଲେଖୁ । ଯେଉଁମାନେ ଆମର ସ୍କ୍ରିପ୍ଟ ପସନ୍ଦ କରନ୍ତି, ସେମାନେ ନିଜେ ଆମକୁ ଅନୁସରଣ କରନ୍ତି । ଏହାପୂର୍ବରୁ ଉଦ୍ଧବ ଠାକରେ ଆସୁଥିଲେ, ବର୍ତ୍ତମାନ ରାଜ ଠାକରେ ଆସୁଛନ୍ତି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।