ଇଫତାର ପାର୍ଟି ବିବାଦ; ସମାଲୋଚନା ପରେ ଇଫତାର ପାର୍ଟି ସହ ଜଡ଼ିତ ଟୁଇଟକୁ ହଟାଇଲା ଭାରତୀୟ ସେନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାମ୍ମୁ କାଶ୍ମୀରର ଡୋଡା ଠାରେ ଭାରତୀୟ ସେନା ଦ୍ୱାରା ଏକ ଇଫତାର ଆୟୋଜନ କରାଯାଇଥିଲା । ଏହି କାର‌୍ୟ୍ୟକ୍ରମର ଚିତ୍ର ପୋଷ୍ଟ କରି ଏକ ଇଫତାର ପାର୍ଟି କରିବାର ଧର୍ମନିରପେକ୍ଷ ପରମ୍ପରା ବିଷୟରେ ଭାରତୀୟ ସେନା ଟୁଇଟ୍ କରିଥିଲେ। ହେଲେ ମୌଳବାଦୀ ଗୋଷ୍ଠୀଙ୍କ ଚାପରେ ଭାରତୀୟ ସେନା ପକ୍ଷରୁ ଆୟୋଜିତ ହୋଇଥିବା ରୋଜା ଇଫତାର ପାର୍ଟିର ପୋଷ୍ଟକୁ ସୋସିଆଲ ମିଡିଆରୁ ଡିଲିଟ କରାଯାଇଛି । ଏପ୍ରିଲ୍ ୨୧ ରେ ଡୋଡା ଠାରେ ସେନା ଦ୍ୱାରା ଆୟୋଜିତ ଏକ ଇଫତାର ଫଟୋକୁ ପିଆରଓ ଟ୍ୱିଟ୍ କରି ସେମାନେ କହିଛନ୍ତି ଯେ ଧର୍ମନିରପେକ୍ଷତାର ପରମ୍ପରାକୁ ବଞ୍ଚାଇ ରଖିବା ସହ ଡୋଡା ଜିଲ୍ଲାର ଆର୍ନୋରାରେ ଭାରତୀୟ ସେନା ଦ୍ୱାରା ଏକ ଇଫତାର ଆୟୋଜନ କରାଯାଇଥିଲା। ସେପଟେ ଫଟୋଗ୍ରାଫରେ ଏକ ଇଫତାର ସମାବେଶ ଦେଖିବାକୁ ମିଳିଥିଲା ।

ଫଟୋଗ୍ରାଫରେ ଜେନେରାଲ୍ ଅଫିସର କମାଣ୍ଡିଂ ସେନାର ରାଷ୍ଟ୍ରିୟ ରାଇଫଲ୍ସର ସ୍ଥାନୀୟ ମୁସଲମାନ ଏବଂ ସାଧାରଣ ନାଗରିକଙ୍କ ସହ ନମାଜ ପ୍ରଦାନ କରୁଥିବା ସହ ଜଣେ ୟୁନିଫର୍ମ ପିନ୍ଧିଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି । ଏହା ପରେ ସୋସିଆଲ ମିଡିଆରେ ମୌଳବାଦୀମାନେ ସେନାର ଏହି ପଦକ୍ଷେପକୁ ସମାଲୋଚନା କରିବା ସହିତ ସେନାକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ । ଯାହା ପରେ ସେନା ପକ୍ଷରୁ ଏହି ପୋଷ୍ଟକୁ ଡିଲିଟ କରାଯାଇଛି । କେବଳ ଏତିକି ନୁହେଁ ବରଂ ପୋଷ୍ଟ ସାମ୍ନାକୁ ଆସିବା ପରେ ସୁଦର୍ଶନ ନ୍ୟୁଜ୍ ସିଏମଡି ତଥା ମୁଖ୍ୟ ସମ୍ପାଦକ ସୁରେଶ ଚାଭାନକେ ଟ୍ୱିଟ୍ କରି କହିଛନ୍ତି, “ବର୍ତ୍ତମାନ ଏହି ରୋଗ ଭାରତୀୟ ସେନାଙ୍କ ପାଖରେ ମଧ୍ୟ ଦେଖାଦେଇଛି, ଯାହା ଅନ୍ତତ୍ୟ ଦୁଃଖର ବିଷୟ ବୋଲି କହିଥିଲେ ।

ତାଙ୍କର ଏହି ମନ୍ତବ୍ୟ ଅନେକ ଟ୍ୱିଟର ବ୍ୟବହାରକାରୀଙ୍କ ଠାରୁ ବ୍ୟାପକ ସମର୍ଥନ ହାସଲ କରିଥିଲା । ବାସ ଏହା ପରେ ଭାରତୀୟ ସେନା ପକ୍ଷରୁ ଇଫତାର ପାର୍ଟିକୁ ନେଇ କରାଯାଇଥିବା ଟ୍ୱିଟକୁ ଡିଲିଟ କରାଯାଇଥିଲା । ଅନ୍ୟପଟେ ଏହି ଟ୍ୱିଟକୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଜମ୍ମୁ-କାଶ୍ମୀରର ଲ୍ୟୁଟନାଟ ଗଭର୍ନର ତଥା ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ରଙ୍କୁ ଟ୍ୟାଗ କରାଯାଇଥିଲା । ଇଫତାର ପାର୍ଟିକୁ ଟ୍ରୋଲ କରାଯିବା ପରେ ଟୁଇଟ ଡିଲିଟ ହେବା ଉପରେ ଭାରତୀୟ ସେନା ମୁଖପାତ୍ର କୌଣସି ମନ୍ତବ୍ୟ ଦେଇନାହାନ୍ତି ।

ତେବେ ଜଣେ ସେନା ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଜନସାଧାରଣଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ସେନା ଦ୍ୱାରା ଇଫତାର ପାର୍ଟି ନିୟମିତ ଆୟୋଜିତ ହୋଇଥାଏ । ତେଣୁ ଏହି ପରମ୍ପରାକୁ ଅନୁସରଣ କରି ଜମ୍ମୁ-କାଶ୍ମୀରରେ ଏଥର ମଧ୍ୟ ଏକ ପାର୍ଟିର ଆୟୋଜନ କରାଯାଇଥିଲା । ଏହି ପାର୍ଟିକୁ ଗୁପ୍ତ ଭାବରେ କରାଯାଇ ନାହିଁ । ଏହା ବିଷୟରେ ଟୁଇଟ କରିବା ସହିତ ଏକ ପ୍ରେସ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଆମେ ଦୁଃଖିତ ଯେ ଲୋକମାନେ ଏହା ବିଷୟରେ ସଠିକ ଭାବରେ ବୁଝି ନାହାନ୍ତି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts