ମୋଦୀ କ୍ୟାବିନେଟ ସମ୍ପ୍ରସାରଣରେ ପଶ୍ଚିମ ଓଡ଼ିଶାକୁ ଅଣଦେଖା ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତକାଲି ମୋଦୀ କ୍ୟାବିନେଟ ସମ୍ପ୍ରସାରଣରେ ବହୁ ବଡ ବଡ ମନ୍ତ୍ରୀ ବାଦ୍ ପଡିଥିବା ବେଳେ ଅନେକ ନୂଆ ଚେହେରା ସାମିଲ ହୋଇଛନ୍ତି। ତେବେ ମୋଦୀ ମନ୍ତ୍ରିମଣ୍ଡଳରେ ଓଡିଶାରୁ କେଉଁ ନୂଆ ଚେହେରା ସାମିଲ ହେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ଥିଲା। ବିଜେଡି ସହାୟତାରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ରେଳ ମନ୍ତ୍ରଣାଳୟ ମିଳିଥିବା ବେଳେ ମୟୁରଭଞ୍ଜ ସାସଂଦ ବିଶେଶ୍ବର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ ମିଳିଛି। ତେବେ ମୋଦୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଏଥର ପଶ୍ଚିମ ଓଡ଼ିଶାକୁ ଅଣଦେଖା କରାଯାଇଥିବା ନେଇ ରାଜନୈତିକ ମହଲରେ ହେଉଛି। ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ନେତାଙ୍କୁ ମନ୍ତ୍ରୀ ପଦ ମିଳିଥିବା ବେଳେ ପୁରୁଖା ନେତାଙ୍କୁ ନିରାଶ ହେବାକୁ ପଡିଛି। 

       ୨୦୧୯ ଲୋକସଭା ନିର୍ବାଚନରେ ଓଡିଶାର ୨୧ଟି ଆସନରୁ ବିଜେପି ୮ ଟି ରେ ବିଜୟୀ ହୋଇଥିଲା। ତେବେ ସବୁଠାରୁ ବଡ କଥା ହେଉଛି ପଶ୍ଚିମ ଓଡ଼ିଶାର ୫ଟି ଲୋକସଭା ଆସନରେ ବିଜେଡିକୁ ମାତ୍ ଦେଇ ବିଜେପି ହାତେଇ ନେଇଥିଲା। ବଲାଙ୍ଗୀରରୁ ସଙ୍ଗୀତା ସିଂ ଦେଓ, ସମ୍ବଲପୁର ଆସନରୁ ନିତୀଶ ଗଙ୍ଗଦେବ, ବରଗଡରୁ ସୁରେଶ ପୂଜାରୀ, କଳାହାଣ୍ଡିରୁ ବସନ୍ତ ପଣ୍ଡା, ସୁନ୍ଦରଗଡ଼ରୁ ଜୁଏଲ ଓରାମ ନିର୍ବାଚିତ ହୋଇଥିଲେ। ତେବେ ପଶ୍ଚିମଓଡ଼ିଶା ବାସୀ ୫ ଜଣ ସାଂସଦଙ୍କୁ ନିର୍ବାଚିତ କରି ସସଂଦକୁ ପଠାଇଥିବା ବେଳେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣରେ ସେମାନଙ୍କୁ ନିରାଶ ହେବାକୁ ପଡିଛି। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ୨୦୧୪ ରୁ ୨୦୧୯ ମୋଦୀ ସରକାରରେ ଆଦିବାସୀ ବ୍ୟାପାର ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ବିଜୟୀ ହେବା ସତ୍ତ୍ୱେ ସେ ମନ୍ତ୍ରୀ ପଦରୁ ବଞ୍ଚିତ ଥିଲେ। ଗତକାଲି କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ସେ ମଧ୍ଯ ବାଦ୍ ପଡିଛନ୍ତି। 

        ସେହିପରି ବରଗଡ ନିର୍ବାଚନ ମଣ୍ଡଳୀ ପଶ୍ଚିମ ଓଡ଼ିଶାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଆସନ। ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ହେଭିୱେଟ୍ ନେତା ସୁରେଶ ପୂଜାରୀ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇଥିଲେ। ସୁରେଶ ପୂଜାରୀ ପୂର୍ବରୁ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ତୁଲାଇଛନ୍ତି। ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦଳ ତାଙ୍କୁ ସହପ୍ରଭାରୀ ଦାୟିତ୍ଵ ଦେଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାକୁ ଫୋକସ୍ କରି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନ ବିଧାନସଭାରୁ ନିର୍ବାଚନ ଲଢିଥିଲେ। ବିଜେପୁରୁ ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଲଢିବା ପଶ୍ଚିମ ଓଡ଼ିଶା ରାଜନୀତିରେ ବହୁତ ବଡ ପ୍ରଭାବ ପକାଇ ପାରି ନଥିଲା। ସୁରେଶ ପୂଜାରୀ ବରଗଡ ଆସାନରୁ ବିଜୟୀ ହୋଇଥିଲେ। କିନ୍ତୁ ଦଳର ଜଣେ ପୁରୁଖା ନେତା ହୋଇଥିବା ସତ୍ତ୍ୱେ ସେ ମଧ୍ୟ ମନ୍ତ୍ରୀ ମଣ୍ଡଳରୁ ବାଦ୍ ପଡିଛନ୍ତି। ସେହିପରି କଳାହାଣ୍ଡି ସାସଂଦ ବସନ୍ତ ପଣ୍ଡା ସେ ମଧ୍ୟ ଜଣେ ହେଭିୱେଟ୍ ନେତା ପୂର୍ବରୁ ସେ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ତୁଲାଇଛନ୍ତି। 

     ୨୦୧୯ ଲୋକସଭା ନିର୍ବାଚନରେ ସେ କଳାହାଣ୍ଡି ଲୋକସଭା ଆସନରୁ ବିଜୟୀ ହୋଇଥିଲେ ସୁଦ୍ଧା ତାଙ୍କୁ ମଧ୍ୟ ମନ୍ତ୍ରୀ ମଣ୍ଡଳରୁ ବାଦ୍ ଦିଆଯାଇଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ୨୦୧୯ ରେ ଦଳ ସେତେଟା ଭଲ ପ୍ରଦର୍ଶନ କରି ପାରି ନଥିଲା। ପଶ୍ଚିମ ଓଡ଼ିଶାରୁ ବିଜେପିକୁ ୫ଟି ଲୋକସଭା ଆସନ ମଳିବା ଦଳ ପାଇଁ ଏକ ବଡ ଉପଲବ୍ଧି ଥିଲା। କିନ୍ତୁ ପାଞ୍ଚଟି ଆସନ ମିଳିବା ସତ୍ବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜଣକୁ ବି ମନ୍ତ୍ରୀ ପଦ ନମିଳିବା ପଶ୍ଚିମ ଓଡ଼ିଶାରେ ବିଜେପି ପାଇଁ କେଉଁ ପରିସ୍ଥିତି ସୃଷ୍ଟି କରିବ ତାହା ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଜଣା ପଡିବ।

Related Posts