
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ପରେ ବର୍ତ୍ତମାନ ସାରା ଦେଶରେ ରାଜନୀତି କରିବାକୁ ମନ ବଳାଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ତେବେ ଟିଆରଏସ୍ର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କେସିଆର କହିଛନ୍ତି, ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ୍)କୁ ଭାରତୀୟ ରାଷ୍ଟ୍ରୀୟ ସମିତି(ବିଆରଏସ୍)ରେ ଗଢ଼ି ତୋଳିବାକୁ ଅନେକ ପ୍ରସ୍ତାବ ଆସିଛି।ଦଳର ୨୧ତମ ପ୍ରତିଷ୍ଠା ଦିବସରେ କେସିଆର ବିକଳ୍ପ ରାଜନୀତିକ ଫୋର୍ସର ଆବଶ୍ୟକତା ବିଷୟରେ କହିଛନ୍ତି। ଏଥିସହ ଏହି ଫୋର୍ସ ହିଁ ଭାରତକୁ ଆଗକୁ ନେବାରେ ସକ୍ଷମ ହେବ। ତେଲେଙ୍ଗାନାର ସଫଳ ମଡେଲ କଥା କହି ଟିଆରଏସ୍ ଜାତୀୟ ସ୍ତରରେ ନିଜର ସଫଳତା ଦୋହରାଇ ପାରିବ ବୋଲି କେସିଆର ଦମ୍ଭୋକ୍ତି କରିଛନ୍ତି। କେସିଆର ଆହୁରି କହିଛନ୍ତି, “ଟିଆରଏସ୍ ଜାତୀୟ ରାଜନୀତିକୁ ପ୍ରଭାବିତ କରିବାରେ ସକ୍ଷମ ଓ ପରିବର୍ତ୍ତନ ଆଣିବାରେ ବି ସମର୍ଥ ହେବ। ଭାରତର ବିକାଶଯାତ୍ରା ଯଦି ତେଲେଙ୍ଗାନା ଓ ହାଇଦ୍ରାବାଦରୁ ଆରମ୍ଭ ହେବ, ତା’ହେଲେ ପୂରା ରାଜ୍ୟ ଏଥିପାଇଁ ଗର୍ବ ଅନୁଭବ କରିବ।
ବର୍ତ୍ତମାନ ଦେଶ ଗୋଟିଏ ବିକଳ୍ପ ଚାହୁଁଛି। ସେପଟେ ଦେଶ କିଛି ରାଜନୀତିକ ଦଳକୁ ନେଇ କୌଣସି ରାଜନୀତିକ ସାମ୍ମୁଖ୍ୟ ଚାହୁଁନାହିଁ। ତେଲେଙ୍ଗାନାରେ ଆମେ ଯେମିତି କାମ କରିଛୁ ଜାତୀୟ ବିକଳ୍ପ ପାଇଁ ମଧ୍ୟ ସେମିତି ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏହି ପ୍ରକ୍ରିୟାର ମୋଡ କେଉଁ ଆଡ଼େ ଯିବ, ସେକଥା ସମୟ ହିଁ କହିବ। ୭ ବର୍ଷ ମଧ୍ୟରେ ତେଲେଙ୍ଗାନାରେ ହୋଇଥିବା ସଂସ୍କାର ସମଗ୍ର ଦେଶ ପାଇଁ ପ୍ରେରଣା ସାଜିଛି। ଦେଶରେ ବିପୁଳ ପରିମାଣର ପ୍ରାକୃତିକ ଓ ମାନବ ସମ୍ବଳ ଥିବା ବେଳେ କାହିଁକି ତେଲେଙ୍ଗାନା ଭଳି ସଫଳତା ସମଗ୍ର ଦେଶ ପାଉ ନାହିଁ ବୋଲି କେସିଆର ପ୍ରଶ୍ନ କରି ବତର୍କର ଆହ୍ୱାନ ଦେଇଛନ୍ତି।
ସେ କହିଛନ୍ତି, “ସ୍ୱାଧୀନତାର ୭୫ ବର୍ଷ ପରେ ଲୋକଙ୍କ ପାଖରେ ଆବଶ୍ୟକ ସୁବିଧା ପହଞ୍ଚି ପାରିନି।
ଦେଶରେ ସାଂପ୍ରଦାୟିକ ଦଙ୍ଗା ବଢ଼ୁଛି। ଏହି ଘଟଣା ଆମକୁ କେଉଁ ଆଡ଼େ ନେଇ ଯାଉଛି, ସେକଥା ସମସ୍ତେ ଚିନ୍ତା କରିବା ଦରକାର। ଏପରି ଘଟଣା ଆଉ କେଉଁ ଦେଶରେ ଘଟୁନାହିଁ। ଆମେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଦିଆଯାଉଥିବା ଗାଳିକୁ ଶୁଣୁଛେ। ସେହିପରି ଗାନ୍ଧିଜୀଙ୍କ ହତ୍ୟାକାରୀଙ୍କୁ ଏଠି ପୂଜା କରାଯାଉଛି। ହିଜାବ ଓ ହଲାଲକୁ ନେଇ ରାଜନୀତି ଏବଂ ଗୋଟିଏ ସଂପ୍ରଦାୟର ଲୋକଙ୍କ ଦୋକାନକୁ ବୟକଟ କରିବା ପାଇଁ ଆହ୍ୱାନ ଦେବା କେବଳ ଧ୍ୱଂସକୁ ଡାକି ଆଣୁଛି।” ଏଥିସହ ସେ ବିଜେପିକୁ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।