ଉତ୍ତରପ୍ରଦେଶ, ବିହାର ଏବଂ ଓଡ଼ିଶାରେ କଂଗ୍ରେସ କାହା ସହ ମେଣ୍ଟ ନକରି ଏକାକି ଲଢ଼ୁ: ପ୍ରଶାନ୍ତ କିଶୋର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତ କିଛି ଦିନ ଧରି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବାସଭବନ ଦଳୀୟ ବୈଠକ ହୋଇ ଆସୁଛି । ଦେଶରେ ପୁଣିଥରେ ନିଜର ସ୍ଥିତିକୁ ଦୃଢ଼ କରିବାକୁ କଂଗ୍ରେସ ଆପ୍ରାଣ ଉଦ୍ୟମ ଚଳାଇଛି । ଏନେଇ ଦଳ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ବାରମ୍ବାର ବୈଠକ କରିବାରେ ଲାଗିଛି । ଏହା ମଧ୍ୟରେ ପ୍ରଶାନ୍ତ ବୈଠକରେ କଂଗ୍ରେସର ନିର୍ବାଚନରେ ସଫଳତା ପାଇଁ କିଛି ଟିପ୍ସ ଦେଇଛନ୍ତି। ତେବେ ୟୁପି, ବିହାର ଏବଂ ଓଡିଶା ଭଳି ରାଜ୍ୟରେ କଂଗ୍ରେସ ଏକାକୀ ନିର୍ବାଚନ ଯୁଦ୍ଧରେ ପ୍ରବେଶ କରିବା ଉଚିତ। ଏହା ବ୍ୟତୀତ ତାମିଲନାଡୁ, ମହାରାଷ୍ଟ୍ର ଏବଂ ବଙ୍ଗଳା ଭଳି ରାଜ୍ୟରେ ମିଳିତ ମଞ୍ଚ ଗଠନ କରାଯିବା ଉଚିତ୍। ଗତ ୪ ଦିନ ମଧ୍ୟରେ ସୋନିଆ ଗାନ୍ଧୀଙ୍କ ଘରେ ପ୍ରଶାନ୍ତ କିଶୋରଙ୍କର ଏହା ତୃତୀୟ ବୈଠକ ଥିଲା । ଏହାପୂର୍ବରୁ ସୋମବାର ସନ୍ଧ୍ୟାରେ ସେ ସୋନିଆ ଗାନ୍ଧୀଙ୍କ ବାସଭବନରେ ମଧ୍ୟ ପହଞ୍ଚିଥିଲେ।

ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ। ସେପଟେ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ବୈଠକରେ ମଧ୍ୟପ୍ରଦେଶର ପୂର୍ବତନ ସିଏମ୍ କମଲ ନାଥ, ଦିଗବିଜୟ ସିଂ, ମୁକୁଲ ୱାସନିକ, ଜୟରାମ ରମେଶ, କେସି ଭେନୁଗୋପାଲ, ଏ.କେ ଆଣ୍ଟୋନି ଏବଂ ଅମ୍ବିକା ସୋନି ମଧ୍ୟ ଉପସ୍ଥିତ ଥିଲେ। ପ୍ରଶାନ୍ତ କିଶୋର ଏବଂ କଂଗ୍ରେସ ନେତୃତ୍ୱ ମଧ୍ୟରେ ପ୍ରଥମ ବୈଠକ ୧୬ ଏପ୍ରିଲରେ ହୋଇଥିଲା । ପାର୍ଟି ସୂତ୍ରରୁ ପ୍ରକାଶ ଯେ ଆଗାମୀ ଦିନରେ ଏପରି ଦୁଇଟି ସଭା ହୋଇପାରେ। କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ଏକାକୀ ଲଢ଼ିବା କିମ୍ବା ରାଜ୍ୟରେ ମିଳିତ ମଞ୍ଚ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ରାହୁଲ ଗାନ୍ଧୀ ମଧ୍ୟ ସହମତ କରିଛନ୍ତି। ପ୍ରଥମ ବୈଠକରେ ପ୍ରଶାନ୍ତ କିଶୋରଙ୍କ ତରଫରୁ କଂଗ୍ରେସକୁ ୩୭୦ ଯୋଜନା ଦିଆଯାଇଥିଲା। ଏଥିରେ ସେ କହିଥିଲେ ଯେ ଲୋକସଭାରେ କଂଗ୍ରେସ କେବଳ ୩୭୦ ଟି ଆସନ ଉପରେ ଧ୍ୟାନ ଦେବା ଉଚିତ୍। ଏହା ବ୍ୟତୀତ ଅନ୍ୟ ସ୍ଥାନରେ ମିଳିତ ମଞ୍ଚ ଜାରି କରାଯିବା ଉଚିତ୍ ବୋଲି କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts