ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତୀୟ ପୁରୁଷ ହକି ଟିମ୍

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଦୀର୍ଘ ଚାରି ଦଶନ୍ଧି ପରେ ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ସୃଷ୍ଟି କରିଛି ଭାରତୀୟ ପୁରୁଷ ହକି ଟିମ୍।ଶେଷ ଥର ପାଇଁ ୧୯୮୦ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳ ଆଜି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛି। ଦଳ ଜର୍ମାନୀକୁ ୫-୪ରେ ପରାସ୍ତ କରି ଏହି ପଦକ ହାସଲ କରିଛି।

ଖେଳ ଆରମ୍ଭ ହେବାର ଦ୍ୱିତୀୟ ମିନିଟ୍‌ରେ ଜର୍ମାନୀ ଦେଇଥିଲା ପ୍ରଥମ ଗୋଲ୍‌। ପ୍ରଥମ କ୍ୱାର୍ଟରରେ ଭାରତ ୦-୧ରେ ପଛୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଜର୍ମାନୀ ଉପରେ ଏକ ଗୋଲ୍ ଦେଇଥିଲା ଭାରତ। ସିମରନଜିତ୍ ସିଂ ଦୁଇଟି ଗୋଲ୍ ସ୍କୋର କରିଥିଲେ।  କିନ୍ତୁ ଏହା ପରେ ଜର୍ମାନୀ ଦୁଇଟି ଗୋଲ ଦେଇ ୩-୧ରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ଭାରତ ଆଉ ଦୁଇ ଗୋଲ୍‌ ଦେଇ ପ୍ରତ୍ୟାବର୍ତ୍ତନ କରି ଥିଲା। ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦୁଇ ଦଳ ୩-୩ରେ ବରାବର ରହିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ହାର୍ଦ୍ଦିକ ସିଂହ ଓ ହରମନପ୍ରୀତ୍ ସିଂହ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ।

ତୃତୀୟ କ୍ୱାର୍ଟରରେ ରୁପିନ୍ଦର ପଲ୍ ପ୍ରଥମେ ଏକ ଗୋଲ୍ ଦେଇଥିଲେ। ଦଳ ୪-୩ରେ ଆଗୁଆ ରହିଥିଲା। ପରେ ସିମରନଜୀତ୍ ସିଂହ ଆଉ ଏକ ଗୋଲ୍‌ ଦେଇଥିଲା। ଏହା ସହ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦଳ ୫-୩ରେ ଆଗୁଆ ରହିଥିଲା।

ଚତୁର୍ଥ କ୍ୱାର୍ଟରର ପ୍ରଥମ ୫ ମିନିଟ୍‌ରେ ଜର୍ମାନୀ ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା ଓ ମ୍ୟାଚ୍‌କୁ ୪-୫ କୁ ନେଇଯାଇଥିଲା। ଭାରତ ପକ୍ଷରୁ ବି ଏହି କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା। ଶେଷରେ ଭାରତୀୟ ଦଳ ବିଜୟୀ ହୋଇଥିଲା।

ଅଲିମ୍ପିକ୍ସରେ ଭାରତ ସମୁଦାୟ ୮ ଥର ସ୍ୱର୍ଣ୍ଣ ପଦକ ଜିତିଛି। ଭାରତୀୟ ଦଳ ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ୧୯୬୦ ଅଲିମ୍ପିକ୍ସରେ ଦଳ ରୌପ୍ୟ ପଦକ ଜିତିଥିଲା। ୧୯୬୮ ଓ ୧୯୭୨ରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଥିବା ବେଳେ ବର୍ତ୍ତମାନ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଛି।

Related Posts