(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଧବାର ଦିନ ସମଗ୍ର ଶିକ୍ଷା ଯୋଜନା ୨.୦କୁ ମଂଜୁରୀ ଦିଆଯାଇଛି । ଏହି ଯୋଜନା ୧ ଏପ୍ରିଲ ୨୦୨୧ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ମୋଟ ୨.୯୪ ଲକ୍ଷ କୋଟିର ବ୍ୟୟ ଅଟକଳ କରାଯାଇଛି । ସେଥିରୁ କେନ୍ଦ୍ର ସରକାର ୧,୮୫,୩୯୮.୩୨ କୋଟି ଟଙ୍କା ଖର୍ଚ୍ଚ କରିବେ।
ଏହି ଯୋଜନାରେ ପ୍ରି ପ୍ରାଇମେରୀରୁ ସିନିୟର ସେକେଣ୍ଡାରୀ ସ୍ତର ପର୍ଯ୍ୟନ୍ତ ମୋଟ ୧.୧୬ ନିୟୁତ ସ୍କୁଲ, ୧୫୬ ନିୟୁତ ଛାତ୍ରଛାତ୍ରୀ ଓ ୫.୭ ନିୟୁତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମିଲ କରାଯିବ ।
ସମଗ୍ର ଶିକ୍ଷା ଯୋଜନା କଣ ?
ଏହି ଯୋଜନା ହେଉଛି ବିଦ୍ୟାଳୟ ଶିକ୍ଷା ପାଇଁ ଏକ ସମନ୍ବିତ ଯୋଜନା ଯେଉଁଥିରେ ପ୍ରାକ ବିଦ୍ୟାଳୟ ଶିକ୍ଷା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି। ଏଥିରେ ସ୍କୁଲ୍ ଶିକ୍ଷାକୁ ନିରନ୍ତର ପ୍ରକ୍ରିୟା ଭାବେ ଗ୍ରହଣ କରାଯାଇଛି ଏବଂ ଏହା ଶିକ୍ଷା ପାଇଁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି-୪)ର ଅନୁରୂପ। ଏହି ଯୋଜନା ଜାତୀୟ ଶିକ୍ଷା ନୀତି 2020ର ସୁପାରିସ ଗୁଡ଼ିକୁ ଅନୁପାଳନ କରି କାର୍ଯ୍ୟ କରିବାର ପ୍ରାବଧାନ ମଧ୍ୟ ରହିଛି। ଏହା ଯୋଜନା ଛାତ୍ରଛାତ୍ରୀଙ୍କ ପୃଷ୍ଠଭୂମି, ବହୁଭାଷୀ ଆବଶ୍ୟକତା, ଭିନ୍ନ ଭିନ୍ନ ଶିକ୍ଷାଗତ କ୍ଷମତା ପ୍ରତି ଧ୍ୟାନ ଦେବା ସହିତ ପାଠପଢ଼ା ପ୍ରକ୍ରିୟାରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରିଥାଏ।
ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସ୍କୁଲ ଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବ ନୂଆ ଯୁଗ । ସାର୍ବଜନୀନ ଶିକ୍ଷା ସହ ସ୍କୁଲର ଭିତ୍ତିଭୂମି ବିକାଶ ଓ ପିଲାମାନେ ଯେପରି ସ୍କୁଲ ଛାଡ଼ି ଯିବେନି ତାହା ଉପରେ ଗୁରୁତ୍ବ ଦିଆଯିବ । ସ୍କୁଲରେ ଧନ୍ଦାମୂଳକ ଓ ଶାରିରୀକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବ । ସେହିପରି ସରକାରୀ ସ୍କୁଲରେ ବି ପ୍ଲେ ସ୍କୁଲ ଆରମ୍ଭ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ସରକାରୀ ସ୍କୁଲରେ ପ୍ରି-ପ୍ରାଇମେରୀ ପିଲାମାନଙ୍କ ପାଇଁ ମୁଣ୍ଡପିଛା ୫୦୦ ଟଙ୍କା ବ୍ୟୟରେ ଶିକ୍ଷା ଉପକରଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଟିଏଲଏମ ବ୍ୟବସ୍ଥା ପାଇଁ ବାର୍ଷିକ ୫୦୦ ଟଙ୍କା ଲେଖାଏଁ, ଶିକ୍ଷକ ମାନୁଆଲ ଓ ସମ୍ବଳ ପାଇଁ ପ୍ରତି ଶିକ୍ଷକଙ୍କ ପିଛା ୧୫୦ ଟଙ୍କା ଏବଂ ଆକଳନ ପାଇଁ ପ୍ରତି ଜିଲ୍ଲା ପିଛା ୧୦-୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।
କଣ ସବୁ ବ୍ଯବସ୍ଥା ନିଆଯାଇଛି ?
ଭିତ୍ତିଭୂମି ବିକାଶ
ଛାତ୍ରଛାତ୍ରୀଙ୍କ ଉପସ୍ଥିତି ବୃଦ୍ଧି
ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ
ଲିଙ୍ଗ ଓ ସମାନତା
ଆର୍ଥିକ ସହାୟତା ଏବଂ ଶିକ୍ଷକଙ୍କ ଦରମା
ଡିଜିଟାଲ ଯୋଜନା
ବିଦ୍ୟାଳୟ ପୋଷାକ
ପାଠ୍ୟପୁସ୍ତକ ସମେତ ଶିକ୍ଷା ଅଧିକାର ଆଇନ ଅନ୍ତର୍ଗତ ଅଧିକାର
ଧନ୍ଦାମୂଳକ ଶିକ୍ଷା
କ୍ରୀଡ଼ା ଓ ଶାରୀରିକ ଶିକ୍ଷା
ଶିକ୍ଷକଙ୍କ ଶିକ୍ଷାଦାନ ଓ ପ୍ରଶିକ୍ଷଣକୁ ସୁଦୃଢ଼ କରିବା