୩ ବର୍ଷ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସରକାରୀ ବୈଠକକୁ ଡାକିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୩ ବର୍ଷ ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସରକାରୀ ବୈଠକକୁ ଡାକିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ବିଜେଡିରୁ ବହିଷ୍କୃତ ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କୌଣସି ଜିଲ୍ଲା ସ୍ତରୀୟ ବୈଠକକୁ ଡକାଯାଉନଥିଲା। ଦୀର୍ଘ ୩ ବର୍ଷ ପରେ ଏକ ସରକାରୀ ବୈଠକରେ ଯୋଗ ଦେଇ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ। ଏନେଇ ସେ କହିଛନ୍ତି ଯେ, ଆଜି ଯାଏ ମୋତେ ପ୍ରଶାସନ ପକ୍ଷରୁ ଡକା ଯାଉ ନ ଥିଲା। ହେଲେ ଆଜି ଡକା ଯାଇଥିବାରୁ ଆସିଛି। ବୈଠକରେ ଯୋଗ ଦେଇ ବେଶ୍‌ ଖୁସି ଲାଗୁଛି।

ଦୁର୍ନୀତି ମାମଲାରେ ଭିଜିଲାନ୍ସ ଗିରଫ ହୋଇ ଜେଲ୍‌ ଯିବା ତଥା ବିଜେଡିରୁ ବହିଷ୍କୃତ ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କଠାରୁ ଦୂରତା ବଜାୟ ରଖିଥିଲା ଜିଲ୍ଲା ପ୍ରଶାସନ। ସେ ବିଧାୟକ ଥିବା ସତ୍ତ୍ୱେ ତାଙ୍କୁ ସମସ୍ତ ସରକାରୀ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଉଥିଲା। ଏପରିକି ତାଙ୍କୁ କୌଣସି ଘଟଣା ସମ୍ପର୍କରେ ସୂଚନା ଦିଆଯାଉ ନ ଥିଲା। ଏହାକୁ ନେଇ ଜିଲ୍ଲା ପ୍ରଶାସନ ଉପରେ କ୍ଷୁବ୍ଧ ଥିବା ବିଧାୟକ ବିଶେଦଗାର କରିବାକୁ ପଛାଉ ନ ଥିଲେ।

ଦୀର୍ଘ ଦିନ ଏପରି ଛକାପଞ୍ଝା ଚାଲିବା ପରେ ତରଳିଛି ପ୍ରଶାସନ । ଗତକାଲି ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରିଥିଲା।ଆଉ ନିମନ୍ତ୍ରଣ କ୍ରମେ ବିଧାୟକ ବୈଠକରେ ଉପସ୍ଥିତ ହୋଇଥିଲେ । ଜିଲାପାଳ ତଥା ଗ୍ରାହକ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଭୋକ୍ତାଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ ଡ . ପାଣିଗ୍ରାହୀ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ବାଦ ଦେଲେ ଆଉ କୌଣସି ବିଧାୟକ ଯୋଗ ଦେଇନଥିଲେ ।

Related Posts