ମନୋଜ ଦାସଙ୍କ ସ୍ମୃତିରେ ଦିଆଯିବ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ; ନବୀନ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଯଶସ୍ବୀ ସାରସ୍ବତ ସାଧକ ସ୍ୱର୍ଗତ ମନୋଜ ଦାସଙ୍କ ସ୍ମୃତିରେ “ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର” ପ୍ରଦାନ କରାଯିବ ।  ଆଜି ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିବର୍ଷ ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକ ମାନଙ୍କୁ ଏହି ପୁରସ୍କାର ରାଜ୍ୟ ସରକାରଙ୍କ ପକ୍ଷରୁ    ପ୍ରଦାନ କରାଯିବ ।  ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ଦିଆଯିବ । ଯୁବପୀଢିଙ୍କ ମଧ୍ୟରେ ଉଭୟ ଇଂରାଜୀ ଏବଂ ଓଡିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ବର୍ଷ ଉଚ୍ଚ ବିଦ୍ୟାଳୟ ସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ। ଏଥିପାଇଁ ଉଭୟ ଓଡ଼ିଆ ଓ ଇରାଜୀ ଭାଷା ରେ ଗୋଟିଏ ଗୋଟିଏ  ପୁରସ୍କାର  ପ୍ରଦାନ କରାଯିବ । ପୁରସ୍କାର ବାବଦ ଏକ ଲଷ ଟଙ୍କା ପ୍ରଦାନ କରାଯିବ । ସ୍ବର୍ଗତ ମନୋଜ ଦାସଙ୍କ ପରିବାର ସଦସ୍ୟ ମାନଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ଏକ ସ୍ମାରକୀ ପ୍ରତିଷ୍ଠା କରିବେ। ତାଙ୍କ ଜନ୍ମ ସ୍ଥାନ ବାଲେଶ୍ୱର ଜିଲ୍ଲା ଶଂଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ  ରାଜ୍ୟ ସରକାର ହାତକୁ ନେବେ ଏବଂ ତାହାକୁ ପ୍ରଥିତଯଶା ଭାତୃଦ୍ବୟ  ପ୍ରଫେସର ମନ୍ମଥ ନାଥ ଦାସ ଓ ମନୋଜ ଦାସ, ଏହି ଦୁଇ ଭାଇଙ୍କ ନାମରେ  ‘ମନ୍ମଥ-ମନୋଜ ସ୍ମାରକୀ’ ଭାବରେ ଘୋଷଣା କରାଯିବ।  ସେଠାରେ ଉଭୟ ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ଦ୍ବାରା ଇତିହାସ ଓ ସାହିତ୍ୟ ଉପରେ   ରଚିତ ସମସ୍ତ ପୁସ୍ତକକୁ ରଖାଯାଇ ଏକ ପାଠାଗାର ସ୍ଥାପନ କରାଯିବ। ବାସଭବନ ପରିସରରେ ଥିବା ମନ୍ଦିରର ସଂରକ୍ଷଣ ମଧ୍ୟ କରାଯିବ। ସ୍ୱର୍ଗତ ମନୋଜ ଦାସଙ୍କ ସ୍ମୃତିରେ  ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଏବଂ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ କୋଣାର୍କ ପତ୍ରିକାର ସ୍ବତନ୍ତ୍ର ସଂଖ୍ୟା ପ୍ରକାଶ କରାଯିବ। ସୂଚନାଯୋଗ୍ୟ , ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ୮୭ ବର୍ଷ ବୟସରେ ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କର କାଳଜୟୀ ରଚନା ମଧ୍ୟରେ ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର, ଆବୁ ପୁରୁଷ, ଶେଷ ବସନ୍ତର ଚିଠି, ଅରଣ୍ୟ ଉଲ୍ଲାସ ଆଦି।୨୦୦୧ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିବା ବେଳେ ୨୦୨୦ରେ ସେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ।

Related Posts