ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍‌, 10 ସନ୍ଦିଗ୍ଧ ଗିରଫ

ଆସନ୍ତା ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତୀୟ ସୁରକ୍ଷା ଏଜେନ୍ସିଙ୍କୁ ମିଳିଛି ବଡ ସଫଳତା । ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍‌ ବା ଆଇଏସ୍‌ଆଇଏସ୍‌ର ଏକ ମଡ୍ୟୁଲ ହରକତ୍- ଉଲ୍- ହର୍ବ- ଏ ଇସଲାମକୁ ଦେଶରୁ ଧ୍ବସ୍ତ କରାଯାଇଛି । ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏ, ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଓ ଉତ୍ତର ପ୍ରଦେଶ ଏଟିଏସର ମିଳିତ ଚଢାଉରେ ଆଇଏସ୍ ମଡ୍ୟୁଲ ସହ କାମ କରୁଥିବା 10 ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଆଉ କିଛି ଲୋକଙ୍କୁ ଅଟକ ରଖାଯାଇଛି ।

ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ 16ଟି ସ୍ଥାନରେ ଚଢାଉ ହୋଇଥିଲା । ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ, ଭିଆଇପି ଓ ଭିଡ ସ୍ଥାନକୁ ଟାର୍ଗେଟ କରି ଆତ୍ମଘାତୀ ଆକ୍ରମଣର ଯୋଜନା ଥିଲା ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି ।

ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଜାନୁଆରୀ 26 ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ବଡ ଧରଣ ସଫଳତା ମିଳିଛି । ଉତ୍ତର ଭାରତ ବିଶେଷ କରି ରାଜଧାନୀ ଦିଲ୍ଲୀରେ ଜାନୁଆରୀ 26 ତାରିଖରେ ଏକ ବଡ ଧରଣର ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି । ଇସଲାମିକ ଷ୍ଟେଟ୍‌ ସହ ଜଡିତ ହରକତ୍ -ଉଲ୍ -ହର୍ବ -ଇ -ଇସଲାମ୍‌ ନାମକ ଆତଙ୍କବାଦୀ ସଂଗଠନ ଉତ୍ତର ଭାରତ ବିଶେଷ କରି ଦିଲ୍ଲୀରେ ବିନାଶଲୀଳା ପାଇଁ ଷଡଯନ୍ତ୍ର କରିଥିଲେ ।

ଦିଲ୍ଲୀ ଓ ଉତ୍ତର ପ୍ରଦେଶର 16ଟି ସ୍ଥାନରେ ଚଢ଼ାଉ କରାଯାଇ ଆଇଏସ୍ ମଡ୍ୟୁଲ୍‌ର ବଡ ଧରଣର ଷଡଯନ୍ତ୍ରର ପର୍ଦ୍ଦାଫାଶ କରାଯାଇଛି । ଆକ୍ରମଣ ଷଡଯନ୍ତ୍ରରେ ଗିରଫଙ୍କ ମଧ୍ୟରେ ଜଣେ ସିଭିଲ୍ ଇଞ୍ଜିନିୟର, ଜଣେ ମୌଲବୀ, ଜଣେ ସ୍ନାତକ ଛାତ୍ର ଓ ଜଣେ ଅଟୋ ଡ୍ରାଇଭର ଅଛନ୍ତି ।

ଉତ୍ତରପ୍ରଦେଶରେ ଏନ୍‌ଆଇଏ ଆଇଜି ଆଲୋକ ମିତ୍ତଲ କହିଛନ୍ତି ଯେ ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ଆଇଏସ୍‌ ମଡ୍ୟୁଲ୍ ଗତ 6 ମାସରୁ ଅଧିକ ସମୟ ଧରି ସକ୍ରିୟ ଥିଲା । ଏହି ମଡ୍ୟୁଲ୍‌ର ପ୍ରାୟ 20 ସଦସ୍ୟ ଥିଲେ । ଏନ୍‌ଆଇଏ, ୟୁପି ଏଟିଏସ୍ ଓ ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ୍ ମଙ୍ଗଳବାର ଦିଲ୍ଲୀର ଜାଫରାବାଦ ଓ ଉତ୍ତର ପ୍ରଦେଶରେ ଅମରୋହା ଜିଲ୍ଲାର 16ଟି ସ୍ଥାନରେ ଚଢାଉ କରିଥିଲେ ।

ସନ୍ଦିଗ୍ଧଙ୍କ କାର୍ଯ୍ୟକଳାପ ଉପରେ ବେଶ୍ କିଛି ଦିନ ହେବ ନଜର ରଖାଯାଇଥିଲା ବୋଲି କୁହାଯାଇଛି । ଚଢାଉ ପରେ ଗୋଟିଏ ଦେଶୀ ରକେଟ ଲଞ୍ଚର, 12ଟି ପିସ୍ତଲ ସହ ବୋମା ନିର୍ମାଣ ପାଇଁ ଉଦ୍ଦିଷ୍ଟ 112ଟି ଆଲର୍ମ ଘଣ୍ଟା ଜବତ କରାଯାଇଛି । ଆଉ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି ।

Related Posts