ଢ଼ିଙ୍କିଆରେ ପୁଲିସର ଅକଥନୀୟ ଅତ୍ୟାଚାର ପରେ ମଧ୍ୟ ରାଜ୍ୟସରକାର ଚୁପ ବସିବା ଅତ୍ୟନ୍ତ ନିନ୍ଦନୀୟ: କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଢ଼ିଙ୍କିଆରେ ପୁଲିସର ଅତ୍ୟାଚାରକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଥମିବାରେ ନାଁ ନେଉନି । ଏନେଇ କିଛି ଦିନ ପୂର୍ବରୁ ହାଇକୋର୍ଟ ମଧ୍ୟ ରାୟ ଶୁଣାଇଛନ୍ତି । ଯେଉଁଥିରେ ଢ଼ିଙ୍କିଆରେ ପୁଲିସର କାର୍ଯ୍ୟକଳାପକୁ ନିନ୍ଦା କରାଯିବ ସହ ତାଙ୍କୁ ଉକ୍ତ ସ୍ଥାନକୁ ଯିବାକୁ ବାରଣ କରାଯାଇଛି । ହେଲେ ଏକଥାକୁ ସହଜରେ ହଜମ କରିପାରି ନାହିଁ ଓଡ଼ିଶା କଂଗ୍ରେସ । ତେବେ ପସ୍କୋର ବିଫଳତା ରାଗକୁ ଢ଼ିଙ୍କିଆରେ ଶୁଝାଉଛନ୍ତି ରାଜ୍ୟସରକାର ବୋଲି କହିଛନ୍ତି କଂଗ୍ରେସ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର । ଏହା ସହ ରାଜ୍ୟରେ ଶିଳ୍ପାୟନ ନାମରେ ସରକାର ରାଜ୍ୟକୁ ବ୍ୟବସାୟୀଙ୍କ ହାତରେ ଟେକି ଦେବାରେ ଲାଗିଛନ୍ତି। ଆଇନ ଯାହା କହୁଛି ଜମି ଅଧିଗ୍ରହଣ କରିବାର ୫ ବର୍ଷ ମଧ୍ୟରେ ଯେଉଁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଇଥିବ ସେହି ପ୍ରକଳ୍ପ ହୋଇ ନପାରିଲେ ଉକ୍ତ ଜମିକୁ ଏଲଏଆରଆର ଆକ୍ଟ- ୨୦୧୩ ଆଧାରରେ ଜମି ମାଲିକଙ୍କୁ ଫେରସ୍ତ କରିବାର ପ୍ରାବଧାନ ରହିଛି।

କିନ୍ତୁ ଢ଼ିଙ୍କିଆରେ ପୋସ୍କୋର ବିଫଳତାକୁ ନେଇ ରାଜ୍ୟ ସରକାର ଭୋକ ବିକଳରେ ତାଟିଆ କାମୁଡ଼ି ଢ଼ିଙ୍କିଆବାସୀଙ୍କ ଉପରେ ପୁଲିସ ବଳ ଲଗାଇ ରାଗ ସୁଝାଉଛନ୍ତି ବୋଲି କଂଗ୍ରେସ ସିଧାସଳଖ ରାଜ୍ୟ ସରକାର ଏବଂ ତାଙ୍କ ପୁଲିସ ବିଭାଗ ଉପରେ ବର୍ଷିଛି । ଏକ ଘରୋଇ କମ୍ପାନୀ ପାଇଁ ଜମି ଅଧିଗ୍ରହଣ ପାଇଁ ଯେଉଁସବୁ ନିତିନିୟମକୁ ପାଥେୟ କରିବା କଥା ତାହା ନକରି ସିଧାସଳଖ ଭାବରେ ରାଜ୍ୟ ସରକାର ଘରୋଇ କମ୍ପାନୀ ପାଇଁ ପକ୍ଷ ହୋଇ ଢ଼ିଙ୍କିଆବାସୀଙ୍କ ଉପରେ ଅତ୍ୟାଚାର କରିଚାଲିଛନ୍ତି। ଏପରିକି ମହିଳା ଓ ଶିଶୁ ଏଥିରୁ ବାଦ ପଡ଼ିନାହାନ୍ତି । ସବୁଠୁ ଆର୍ଶ୍ଚଯ୍ୟର କଥା ଘରୋଇ କମ୍ପାନୀକୁ ଜମି ଦେବା ପୂର୍ବରୁ ପରିବେଶ ମଞ୍ଜୁରୀ ନଥାଇ ସରକାର ଘରୋଇ କମ୍ପାନୀ ଆଗରେ ଆତ୍ମ ସମର୍ପଣ କରିଛନ୍ତି । ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ମଧ୍ୟ ପୁଲିସର କାର୍ୟ୍ୟକଳାପ ନେଇ ରାଜ୍ୟ ସରକାର ଚୁପ ବସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଏଥିରୁ ସ୍ପଷ୍ଟ ଯେ,ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ଜମି ଅଧିଗ୍ରହଣ ନାମରେ ଢ଼ିଙ୍କିଆବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛି ଯାହାକୁ କଂଗ୍ରେସ କଡ଼ା ଭାଷାରେ ନିନ୍ଦା କରୁଛି। ଅନ୍ୟପଟେ ଜଗତସିଂହପୁର ପୁଲିସ ଏସପି ଏବଂ ସଂପୃକ୍ତ ଅଭୟଚାନ୍ଦପୁର ଥାନା ଅଧିକାରୀ ବିଗତ ଦିନରେ ୨୦୨୦ ମସିହାରେ ପୁରୀ ବାସେଳିସାହି ଥାନାରେ କେ ରମେଶ ନାମକ ଯୁବକଙ୍କର ହାଜତ ମୃତ୍ୟୁ ଘଟଣାକୁ ନେଇ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲେ କିନ୍ତୁ ବଡ଼ ଆଶ୍ଚର୍ୟ୍ୟ ଏବଂ ଦୁର୍ଭାଗ୍ୟର କଥା ସେହି ଥାନା ଅଧିକାରୀ ଓ ସେହି ନିର୍ଦ୍ଦିଷ୍ଟ ଏସ୍ପିଙ୍କୁ ରାଜ୍ୟ ସରକାର ଢ଼ିଙ୍କଆରେ ତାଣ୍ଡବଲୀଳା ପାଇଁ ଦାୟିତ୍ୱ ଦେଇଛନ୍ତି ବୋଲି ନିଶିକାନ୍ତ ମିଶ୍ର କହିଛନ୍ତି ।

ସରକାର ଓ ଶାସକ ବିଜେଡି ନିଜର ରାଜନୈତିକ ମହତ ଆଂକାକ୍ଷାକୁ ଚରିତାର୍ଥ କରିବାପାଇଁ ପୋଲିସ ବାହିନୀକୁ ସରକାରୀ ଗୁଣ୍ଡା ସଜାଇ ଢ଼ିଙ୍କିଆରେ ମାନବାଧିକାର ଉଲ୍ଲଙ୍ଘନ କରୁଛି ଯାହାକି ଜନମଙ୍ଗଳ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ କହିବା ସହ ଢ଼ିଙ୍କିଆରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ସରକାର ତୁରନ୍ତ ଢ଼ିଙ୍କିଆ ଅଂଚଳରୁ ପୁଲିସ ପ୍ରତ୍ୟାହାର କରନ୍ତୁ ବୋଲି ଦଳ ଦାବି କରିଛି ।

Related Posts