ଭୁବନେଶ୍ୱର,୧୩/୧୨ (ସତ୍ୟପାଠ ବ୍ୟୁରୋ): ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ (ଇଡି) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଙ୍ଗଳବାର ଗିରଫ କରିଛି। ଅର୍ଚ୍ଚନାଙ୍କ ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଅର୍ଚ୍ଚନା ନାଗଙ୍କୁ ଇଡି ଆଜି କୋର୍ଟରେ ହାଜର କରିଥିଲା। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଛି ଇଡି । ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ପିଏମଏଲଏ ଆଇନ ସେକ୍ସନ ୧୧ ବଳରେ ଅର୍ଚ୍ଚନାଙ୍କୁ ଇଡି ଗିରଫ କରିଛି। ତେବେ ଅର୍ଚ୍ଚନା ନାଗ ମାମଲାରେ ଇଡି ପୂର୍ବରୁ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ ଯେ, କମିସନରେଟ ପୁଲିସ ହାତରୁ ମାମଲା ସ୍ଥାନାନ୍ତରିତ ହେଲା ପରେ ଇଡି ପ୍ରଥମ ଥର ପାଇଁ ଅର୍ଚ୍ଚନା ନାଗଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ରିମାଣ୍ଡ କାଳରେ ବିଭାଗୀୟ ଅଧିକାରୀମାନେ ପଚରାଉଚରା କରିଥିଲେ। ତେବେ ରିମାଣ୍ଡ ସମୟରେ ଇଡିକୁ ଅର୍ଚ୍ଚନାଙ୍କ ପାଖରୁ ଅନେକ ତଥ୍ୟ ହସ୍ତଗତ ହୋଇଛି। ତେବେ ଇଡି ଅର୍ଚ୍ଚନା ନାଗ ଓ ତାଙ୍କର ସ୍ବାମୀ ଜଗବନ୍ଧୁଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପୁଣି ଥରେ ରିମାଣ୍ଡ ନେବାକୁ ଚାହୁଁଛି। ଏଥି ପାଇଁ ଜଗବନ୍ଧୁଙ୍କୁ ୧୫ ଦିନ ଓ ଅର୍ଚ୍ଚନାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଇଡି ଆବେଦନ କରିଛି।