
ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଇଦ ଅବସରରେ ଯବାନମାନଙ୍କ ଉପରେ ପଥର ମାଡ ହୋଇଛି | ଆଜି ମୁସଲିମ ଧର୍ମାବଲମ୍ବୀମାନେ ବହୁ ଧୁମ ଧାମରେ ପବିତ୍ର ଇଦ୍ ପାଳନ କରୁଥିବା ବେଳେ, ଏହି ଅବସରରେ ଜମ୍ମୁ-କାଶ୍ମୀରରୁ ଏଭଳି ଖବର ଆସିଛି ।
ରିପୋର୍ଟ ଅନୁସାରେ, ଦକ୍ଷିଣ କାଶ୍ନୀରର ଅନନ୍ତନାଗରେ ଏକ ମସଜିଦ ସାମ୍ନାରେ ପଥର ମାଡ ହୋଇଛି । କିଛି ଦୁର୍ବୃତ୍ତ ସୁରକ୍ଷାକର୍ମୀଙ୍କ ଉପରେ ପଥର ମାଡ କରିଥିଲେ । ତେବେ ଏଥିରେ କେହି ଆହତ ହୋଇଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ଘଟଣାସ୍ଥଳରେ ସ୍ଥିତି ଉତ୍ତେଜନାପୀର୍ଣ୍ଣ ଥିବାରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି ।
ତେବେ ଆଜି ସାରା ଦେଶରେ ଇଦ ପାଳନ କରାଯାଉଛି । ଜମ୍ମୁ-କାଶ୍ମୀରରେ ମଧ୍ୟ ଅନେକ ମସଜିଦରେ ସମୁହ ନମାଜ ପାଠ ନେଇ ଚିତ୍ର ସାମ୍ନାକୁ ଆସିଛି ।
ଦୁଇ ବର୍ଷ ପରେ ଆଜି ଭାଇଚାରାର ପର୍ବ ଇଦ୍ରେ ଏକାଠି ହେଉଛନ୍ତି ମୁସଲିମ୍ ଭାଇ ଭଉଣୀମାନେ । ମସ୍ଜିଦ୍ ଯାଇ ନମାଜ ପାଠ କରିବା ସହିତ ଘରେ ପ୍ରସ୍ତୁତ କରୁଛନ୍ତି ସୁସ୍ୱାଦୁ ବ୍ୟଞ୍ଜନ । ରଙ୍ଗ ବେରଙ୍ଗର ପୋଷାକ ସହ ଗହଳିରେ ବାରି ହୋଇପଡ଼ିବ ଅତରର ବାସ୍ନା । ରାସ୍ତାଘାଟରେ ଦେଖିବାକୁ ମିଳିବ ମୁସଲିମ୍ ଭାଇଙ୍କ ଆଲିଙ୍ଗନର ଦୃଶ୍ୟ ।
କରୋନା କଟକଣା ହଟିବା ପରେ ଚମକିବ ଇଦ୍ ପର୍ବ । ଗୋଟିଏ ମାସ ଯାଏ ରୋଜା (ଉପବାସ) ରଖିବା ପରେ ମସଜିଦ୍ରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଇଦ୍ ଗାହା ବା ଖୋଲା ପଡ଼ିଆକୁ ଯାଇ ସମୂହ ନମାଜ ପାଠ କରିବେ । ଇଦ୍ ପାଳନ ପାଇଁ ରମ୍ଜାନ୍ ମାସରେ ମାସକ ଯାଏ ମୁସଲିମ୍ ଭାଇ ଭଉଣୀମାନେ ‘ରୋଜା’ ଅର୍ଥାତ୍ ଉପବାସ ରଖି ନମାଜ ପାଠ କରିଥାନ୍ତି ।
୩୦ ଦିନ ଉପବାସ ରଖିବା ପରେ ଇଦ୍ ପର୍ବ ଆସିଥାଏ । ସାଧାରଣତଃ ଏହି ମାସକୁ ପୂରା ନିଷ୍ଠାର ସହ ପାଳନ କରାଯାଏ । ସନ୍ଧ୍ୟା ବେଳେ ପଢ଼ା ଯାଉଥିବା ନମାଜକୁ ତରାବି କୁହାଯାଏ । ଶେଷ ଦିନ ମୁସ୍ଲିମ୍ ଭାଇମାନଙ୍କ ସହ ମିଳନ ହୁଏ । ବନ୍ଧୁ ବାନ୍ଧବଙ୍କ ଘରକୁ ଉପହାର ନେଇ ଯିବା ସହ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ଇଦ୍ ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ଜଣାଇବା ସହ ଟ୍ବିଟ କରି କହିଛନ୍ତି,”ଏହି ଶୁଭ ଅବସର ଆମ ସମାଜରେ ଏକତା ଏବଂ ଭାଇଚାରାର ମନୋଭାବକୁ ବଢ଼ାଇବ । ସାରା ଦେଶବାସୀ ସମସ୍ତେ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧତା ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ” ।
ସୂଚନାଯାଗ୍ୟ, ଗତ କିଛିଦିନ ତଳେ କାଶ୍ମୀରରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ହାର୍ଡକୋର୍ ଆତଙ୍କବାଦୀ ନିହତ ହୋଇଥିଲେ । ଏହାସହ ୨ ଜଣ ଯବାନ ମଧ୍ୟ ସହିଦ ହୋଇଥିବା ଖବର ଆସିଥିଲା ।