
ଝାରସୁଗୁଡା: ଝାରସୁଗୁଡ଼ା ଟାଉନ ଥାନା ପୋଲିସ କୁ ମିଳିଛି ସଫଳତା | ଆଜି ବ୍ରାଉନ ସୁଗାର ଚାଲାଣ କରୁଥିବା ୩ ଯୁବକଙ୍କୁ ଗିରଫ କରିଛି ପୋଲିସ | ଏଥିସହ ତାଙ୍କ ନିକଟରୁ ୧୬.୯୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି | ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି।
ଆଜି ଏ ସମ୍ପର୍କରେ ଝାରସୁଗୁଡା ଏସ ଡି ପି ଓ ନିର୍ମଳ ମହାପାତ୍ର ଓ ଆଇଆଇସି ସାବିତ୍ରୀ ବଳ ଏକ ସାମ୍ବାଦିକ ସମ୍ମିଳନୀରେରେ ସୂଚନା ଦେଇଛନ୍ତି। ଗତକାଲି ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା ଯେ , ରାଉରକେଲା ଅଂଚଳରୁ ଝାରସୁଗୁଡ଼ାକୁ ବ୍ରାଉନ ସୁଗାର ଚାଲାଣ ହେଉଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇ ରାଉରକେଲା- ଝାରସୁଗୁଡ଼ା ରାସ୍ତାର ବିମାନବନ୍ଦର ଛକରେ ଏସ ଆଇ ଏ. ମିଞ୍ଜଙ୍କ ନେତୃତ୍ୱରେ ନାକାବନ୍ଦୀ କରିଥିଲା।
ଏହି ସମୟରେ ଦୁଇ ଗୋଟି କେଟିଏମ ବାଇକରେ ସେହି ରାସ୍ତାରେ ଆସୁଥିବା ୪ ଜଣ ବାଇକ ଅରୋହୀଙ୍କ ତଲାସି ସମୟରେ ତାଙ୍କ ପାଖରୁ ବ୍ରାଉନ ସୁଗାର ମିଳିଥିଲା। ପୁଲିସ ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିଲା। ଗିରଫମାନେ ହେଲେ ମଙ୍ଗଲବଜାରର ଜିତେଶ କୁମ୍ଭାର(୨୪), ଇରସାଦ ଖଂ (୩୦) ଓ ମହମ୍ମଦ ମମତାଜ। ଏମାନଙ୍କଠାରୁ ଦୁଇ କେଟିଏମ ବାଇକ, ଗୋଟିଏ ମୋବାଇଲ ଓ ୧୩, ୦୯୦ ଟଙ୍କା ଜବତ ହୋଇଛି। ଏମାନଙ୍କ ନାମରେ ବିଭିନ୍ନ ମାମଲା ରହିଥିବା ପୁଲିସ କହିଛି।