ରାଜଧାନୀରେ ବଢ଼ିଲା କରୋନା: ଲାଗୁ ହେଲା ମାସ୍କ ପିନ୍ଧିବା ନିୟମ, ନମାନିଲେ କଟିବ ଜରିମନା

ନୂଆଦିଲ୍ଲୀ : ପୁଣି ଚିନ୍ତା ବଢ଼ାଇଛି ଜାତୀୟ ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା କରୋନା ସଂକ୍ରମଣ ହାର । ପୁଣି ଆରମ୍ଭ ହୋଇଯାଇଛି କଟକଣା। ବୁଧବାର ଏ ନେଇ ଦିଲ୍ଲୀ ବିପର୍ଯ୍ୟୟ ପ୍ରସମନ ପ୍ରାଧିକରଣ (ଡିଡିଏମଏ) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସୋସିଆଲ ଡିଷ୍ଟାନସିଂ ସମେତ ସାନିଟାଇଜର ଓ ମାସ୍କ ଜରୁରୀ କରିଦିଆଯାଇଛି। ସେହିପରି ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କଠାରୁ ଜରିମନା ଅସୁଲ ଲାଗି ମଧ୍ୟ ନିଷ୍ପତ୍ତି ହୋଇଛି। ଏଥିରେ ନିୟମ ଉଲ୍ଲଂଘନକାରୀଙ୍କୁ ୫ଶହ ଟଙ୍କା ଜରିମନା କରାଯିବ ବୋଲି ଜଣାପଡିଛି।

ବୈଠକରେ ଜରୁରୀ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିୟର ( ଏସଓପି) ମଧ୍ୟ ଜାରି ହୋଇଛି। ଏହା ଛଡା ଟେଷ୍ଟିଂ ଓ ଭାକ୍ସିନେସନ ଉପରେ ଗୁରୁତ୍ୱ ଦିଆଯାଇଛି। ସାରା ଦେଶରେ ଏପ୍ରିଲ ୧ ତାରିଖ ବେଳକୁ କରୋନା ସଂକ୍ରମଣ ହ୍ରାସ ଯୋଗୁ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ କଟକଣା ହ୍ରାସ କରିଦିଆଯାଇଥିଲା। ଏପରିକି କେତେକ ସ୍ଥାନରେ ମାସ୍କ ଆଉ ଅନିବାର୍ଯ୍ୟ ନୁହେଁ ବୋଲି ମଧ୍ୟ କୁହାଯାଇଥିଲା। ତେବେ ଦିଲ୍ଲୀରେ ପୁଣି ସଂକ୍ରମଣ ବଢିବା ଏବେ ଚିନ୍ତାର କାରଣ ପାଲଟିଛି।

କଟକଣା ପ୍ରତ୍ୟାହାରକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସେତେବେଳେ ତରବରିଆ ନିଷ୍ପତ୍ତି ବୋଲି କହିଥିଲେ। ମାସ୍କ ଲଗାଇଲେ କେବଳ କରୋନା ନୁହେଁ ଇନଫ୍ଲୁଏଞ୍ଜା ଓ ସ୍ୱାଇନ ଫ୍ଲୁ ଭଳି ସଂକ୍ରାମକ ରୋଗରୁ ବି ଲୋକଙ୍କ ଜୀବନ ରକ୍ଷା କରାଯାଇପାରେ ବୋଲି ସ୍ୱାସ୍ଥ୍ୟବିଶେଷଜ୍ଞମାନେ କହିଥିଲେ। ନିକଟରେ ମହାରାଷ୍ଟ୍ର ଓ ଦିଲ୍ଲୀ ସରକାର ସାର୍ବଜନିକ ସ୍ଥଳରେ ମାସ୍କ ବ୍ୟବହାର ଆଉ ଜରୁରୀ ନୁହେଁ ବୋଲି ଘୋଷଣା କରିଥିଲେ। ଦିଲ୍ଲୀରେ ଗତ ୧୧ ଏପ୍ରିଲ ପରଠାରୁ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ୧୮ ଏପ୍ରିଲ ବେଳକୁ ଦୈନିକ ସଂକ୍ରମଣ ହାରରେ ଅନୁନ୍ୟ ୩ ଗୁଣା ବୃଦ୍ଧି ହୋଇଥିବା ଦେଖା ଯାଇଛି। ମଙ୍ଗଳବାର ଦିଲ୍ଲୀ ୪.୪୨ ପ୍ରତିଶତ ସକରାତ୍ମକତା ହାର ସହ ୬୩୨ ନୂଆ କୋଭିଡ-୧୯ ସଂକ୍ରମଣ ମାମଲା ଠାବ ହୋଇଛି। ସୋମବାର ଏହି ସଂଖ୍ୟା ୫୦୧ ଥିଲା।

ତେବେ ସଂକ୍ରମଣ ଯଦି ଆଗକୁ ଆହୁରି ବଢେ ତେବେ ପୂର୍ବ ପରି ଅନ୍ୟ ସବୁ କଟକଣା ଲାଗିବ ବୋଲି ସୂଚନା ମିଳିଛି।

Related Posts