ଲାକ୍ଷାଦ୍ଵୀପ ପ୍ରଶାସକଙ୍କୁ ହଟାଇବା ଦାବିରେ ସର୍ବ ସମ୍ମତି କ୍ରମେ କେରଳ ବିଧାନସଭାରେ ପ୍ରସ୍ତାବ ପାରିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲାକ୍ଷାଦ୍ଵୀପ ପ୍ରଶାସକ ପ୍ରଫୁଲ୍ଲ ଖୋଡା ପଟେଲଙ୍କ ଦ୍ବାରା ଅଣାଯାଇଥିବା ବିବାଦୀୟ ଆଇନକୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଆଜି କେରଳର ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଲାକ୍ଷାଦ୍ଵୀପ ଲୋକଙ୍କ ପ୍ରତି ନିଜର ସମର୍ଥନ ଜଣାଇ ବିଧାନସଭାରେ ଏକ ସଂକଳ୍ପ ପ୍ରସ୍ତାବ ଆଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ, ” ଲାକ୍ଷାଦ୍ଵୀପ ପ୍ରସଙ୍ଗରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ଉଚିତ। ଲୋକଙ୍କ ସ୍ୱାର୍ଥ ରକ୍ଷା କରିବା କେନ୍ଦ୍ରର ଦାୟିତ୍ୱ ଅଟେ। ” ତେଣୁ ଲୋକଙ୍କ ସ୍ୱାର୍ଥକୁ ଚ୍ୟାଲେଞ୍ଜ କରୁଥିବା ପ୍ରଶାସକଙ୍କୁ ତୁରନ୍ତ ହଟାଇଦେବା ଉଚିତ ଏବଂ ଏଥିପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ।” ଲାକ୍ଷାଦ୍ଵୀପ ଲୋକଙ୍କ ଜୀବନ ଏବଂ ଜୀବିକା ରକ୍ଷା କରନ୍ତୁ ବୋଲି ସେ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି । କେରଳ ବିଧାନସଭାରେ ସର୍ବସମ୍ମତି କ୍ରମେ ଲାକ୍ଷାଦ୍ଵୀପ ପ୍ରଶାସକଙ୍କୁ ତୁରନ୍ତ ହଟାଇବା ଏବଂ କେନ୍ଦ୍ରର ହସ୍ତକ୍ଷେପ ଦାବି କରି ସଂକଳ୍ପ ପ୍ରସ୍ତାବ ପାରିତ ହୋଇଛି। ପଟେଲଙ୍କ ଦ୍ବାରା ପ୍ରସ୍ତାବିତ ଗୋ-ହତ୍ୟା ନିଷେଧାଦେଶ, ସାରା ଦେଶରେ ଲାକ୍ଷାଦ୍ଵୀପରେ ସବୁଠାରୁ କମ୍ କ୍ରାଇମ୍ ରେଟ୍ ସତ୍ତ୍ୱେ ଏକ ପ୍ରିଭେନସନ୍ ଡିଟେକ୍ସନ ଲ’ ଏବଂ ଲ୍ୟାଣ୍ଡ ଡେଭଲପମେଣ୍ଟ ରେଗୁଲେସନ ଭଳି କିଛି ବିବାଦୀୟ ଆଇନ ରହିଛି। ବିରୋଧୀଙ୍କ ଅଭିଯୋଗ ହେଉଛି ଯେ ଗୁଜୁରାଟର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ତଥା ମୋଦୀ ଓ ଅମିତ ଶାହାଙ୍କ ଖାସ୍ କୁହାଯାଉଥିବା ପଟେଲ ଲାକ୍ଷାଦୀପର ମୁସଲିମ୍ ବହୁଳ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ବିଜେପିର ରାଜନୈତିକ ଏଜେଣ୍ଡା ଥୋପୁଛନ୍ତି। ଏହା ପୂର୍ବରୁ ଏନସିପି ସୁପ୍ରିମୋ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କ ଚିଠି ଲେଖି ଏହି ମାମଲାରେ ହସ୍ତକ୍ଷେପ ଲୋଡ଼ିଥିଲେ ।

Related Posts