ଲାଉଡସ୍ପିକର ବିବାଦ: ୨୬ଟି ମସଜିଦର ଧର୍ମଗୁରୁଙ୍କ ନିଷ୍ପତି,ଏଣିକି ସକାଳର ଅଜାନ ବିନା ଲାଉଡସ୍ପିକରରେ ହେବ

ମୁମ୍ବାଇ: ମହାରାଷ୍ଟ୍ରରେ ଲାଉଡସ୍ପିକରକୁ ନେଇ ବିବାଦ ଜାରି ରହିଥିବା ବେଳେ, ଏହାରି ମଧ୍ୟରେ ୨୬ଟି ମସଜିଦର ଧର୍ମଗୁରୁମାନେ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ସକାଳର ଅଜାନ ବିନା ଲାଉଡସ୍ପିକରରେ ହେବ ବୋଲି ସର୍ବ ସହମତି କ୍ରମେ ନିଷ୍ପତି ନେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି (ବୁଧବାର) ବିଳମ୍ବିତ ରାତିରେ ପାଖାପାଖି ୨୬ଟି ମସଜିଦର ଧର୍ମଗୁରୁଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ କୁହାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରି ଏଣିକି ସକାଳର ଅଜାନ ବିନା ଲାଉଡସ୍ପିକରରେ ହେବ । ଏହାର ପାଳନ କରି ମୁମ୍ବାଇର ପ୍ରସିଦ୍ଧ ମିନାରା ମସ୍‌ଜିଦରେ ସକାଳର ଅଜାନ ବିନା ଲାଉଡସ୍ପିକରରେ ଦିଆଯାଇଛି ।

ମହାରାଷ୍ଟ୍ର ନବନିର୍ମାଣ ସେନା ପାର୍ଟି ପ୍ରମୁଖ ରାଜ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ ଯେ, ମେ’ ୪ ତାରିଖରେ ମସଜିଦ ବାହାରେ ଅଜାନ ହେଲେ, ସେଠାରେ ହନୁମାନ ଚାଲିସା ପାଠ କରାଯିବ । ଏହା ପୂର୍ବରୁ ରାଜଠାକରେ ଔରଙ୍ଗାବାଦ୍‌ରେ ଦେଇଥିବା ଭାଷଣ ସମୟରେ ଲାଉଡସ୍ପିକର ନେଇ ଚେତାବନୀ ଦେଇଥିଲେ । ଏହି ମାମଲାରେ ଔରଙ୍ଗାବାଦ୍‌ରେ ଏକ ଏଫଆଇଆର ଦିଆଯାଇଛି, ଯେଉଁଥିରେ କି ଉତ୍ତେଜିତ ଭାଷଣ ଦେଇଥିବା ଅଭିଯୋଗ ଅଣାଯାଇଛି ।

ସୂଚନାଯୋଗ୍ୟ, ଲାଉଡସ୍ପିକର ବିବାଦ ପ୍ରସଙ୍ଗରେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ଏକ ପୁରୁଣା ଭିଡିଓ ମଧ୍ୟ ସାମ୍ନାକୁ ଆଣିଛନ୍ତି । ଯେଉଁଥିରେ ବାଲ ଠାକରେ ଏହି ପ୍ରସଙ୍ଗରେ ଲାଉଲସ୍ପିକର ବିରୋଧରେ ମତ ରଖୁଥିବା ଦେଖିବାକୁ ମିିଳିଛି ।

ରାଜଙ୍କ ଦ୍ବାରା ଜାରି ଭିଡିଓରେ ବାଲ ଠାକରେ କହୁଛନ୍ତି, “ଯେବେ ମହାରାଷ୍ଟ୍ରରେ ତାଙ୍କ ସରକାର କ୍ଷମତାକୁ ଆସିବ ସେବେ ରାଜ୍ୟରେ ରାସ୍ତା ମଝିରେ ନମାଜ ପଢିବା ବନ୍ଦ ହୋଇଯିବ । ସେହିପରି ମସଜିଦରେ ଲାଉଡସ୍ପିକର ଲଗାଯିବା ଉପରେ ମଧ୍ୟ ନାରାଜି ଦର୍ଶାଇଥିଲେ । ଧାର୍ମିକ ଉତ୍ସବ ପାଇଁ ବିକାଶମୂଳକ କାର୍ଯ୍ୟରେ ଏବଂ ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ସମସ୍ୟା ସୃଷ୍ଟି ହେବା ଆଦୌ ଉଚିତ ନୁହେଁ ବୋଲି ବାଲ ଠାକରେ କହିଥିଲେ ।”ତେବେ ଏପରି ଭିଡିଓ ଜାରି କରି ରାଜ ଠାକରେ ଶିବସେନା ନେତୃତ୍ବାଧୀନ ସରକାରଙ୍କୁ ରାଜ୍ୟରେ ଲାଉଡସ୍ପିକର ହଟାଇବା ପାଇଁ ପରୋକ୍ଷ ଇଙ୍ଗୀତ ଦେଇଛନ୍ତି ।

ଅନ୍ୟପଟେ ନଭି ମୁମ୍ବାଇର ଏକ ସ୍ଥାନରେ ମସଜିଦ ନିକଟରେ ହନୁମାନ ଚାଳିଶା ପାଠ କରିଛନ୍ତି ନବ ନିର୍ମାଣ ସେନାର କିଛି କର୍ମୀ । ପୋଲିସ ସେମାନଙ୍କୁ ଉଠାଇ ନେଇଥିବା ମଧ୍ୟ ଦେଖିବାକୁ ମିଳିଛି । ସେହିପରି ମେ’ ପହିଲାରେ ଔରଙ୍ଗାବାଦରେ ରାଜ ଠାକରେ କରିଥିବା ରାଲିରେ ପ୍ରଶାସନ ସ୍ଥିର କରିଥିବା ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗରେ ତାଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି ।

Related Posts