ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ଦାଖଲ ଶେଷ ହୋଇଛି। ମୋଟ ୩ଜଣ ଏହି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ, ସାଂସଦ ଶଶି ଥରୁର ଓ ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ କେଏନ ତ୍ରିପାଠୀ ନାମାଙ୍କନ ଦାଖଲ କରିଥିବା ନେଇ ଦଳର ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ଆଜି ମଲ୍ଲିକାର୍ଜୁନ ଖଡଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ଖଡଗେ କହିଛନ୍ତି ଯେ, ସେ ଦଳର ‘ଜଣେ ନେତା ଗୋଟିଏ ପୋଷ୍ଟ’ ନିୟମ ଅଧୀନରେ ଏହି ପଦକ୍ଷେପ ନେଇଛନ୍ତି। ଖଡଗେ ତାଙ୍କ ଇସ୍ତଫା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି।
ସୂଚନାଯୋଗ୍ୟ ଯେ, ନିକଟରେ ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ କଂଗ୍ରେସର ଚିନ୍ତନ ଶିବରରେ ନିଷ୍ପତ୍ତି ନିଆଯାଇଥିଲା କି କୌଣସି ବ୍ୟକ୍ତି ଦଳରେ ଦୁଇଟି ପଦବୀରେ ରହିବେ ନାହିଁ। ଅର୍ଥାତ୍ ଯେକୌଣସି ନେତାଙ୍କୁ ଦ୍ୱିତୀୟ ପଦବୀ ଗ୍ରହଣ କରିବା ପୂର୍ବରୁ ତାଙ୍କର ପୂର୍ବ ପଦରୁ ଇସ୍ତଫା ଦେବାକୁ ପଡିବ।
ତେବେ ଖଡଗେଙ୍କ ପ୍ରତି ରହିଥିବା ସମର୍ଥନକୁ ଦେଖିଲେ ମନେହେଉଛି ଯେ, ସେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ହୋଇପାରନ୍ତି। ତେବେ ଅଧ୍ୟକ୍ଷ ପଦ ପାଇଁ ଖଡଗେ ଗତକାଲି ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ, ଏହା ପରେ ଅକ୍ଟୋବର ୧୭ ରେ ଏହି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଅକ୍ଟୋବର ୧୯ ପ୍ରକାଶ ପାଇବ।
