ମାନସ ସ୍ୱାଇଁ ହତ୍ୟାକାଣ୍ଡ; ୧୦ ହଜାର ଟଙ୍କା ପାଇଁ ମାନସଙ୍କୁ କରାଯାଇଥିଲା ହତ୍ୟା !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାମାମଲାରେ ଦିନକୁ ଦିନ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ କ୍ରାଇମବ୍ରାଞ୍ଚକୁ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ତେବେ ବକେୟା ୧୦ ହଜାର ଟଙ୍କା ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ସମ୍ପୂର୍ଣ୍ଣ ୱେବପୋର୍ଟାଲର ଏକ କ୍ଷୁଦ୍ର ଭିଡିଓର ସୁଟିଂ ବାବଦରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଠାରୁ ମାନସ ୧୦ ହଜାର ଟଙ୍କା ପାଇବାର ଥିଲା । ଯେଉଁଥିପାଇଁ ମାନସ ଅଫିସ କମ୍ପ୍ୟୁଟରରୁ ଭିଡିଓ ନେଇ ଯାଇଥିଷଳ ଏବଂ ଏହା ପରେ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି କ୍ରାଇମବ୍ୟାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି । ସେପଟେ କ୍ୟାମରୋମ୍ୟାନ ମାନସ ସ୍ୱାଇଁ ସମ୍ପୂର୍ଣ୍ଣ ୱେବ ପୋର୍ଟାଲରେ କାମ କରୁଥିବାବେଳେ ଗଲା ଜାନୁଆରୀ ୧୦ ତାରିଖ ପରଠାରୁ ସୁନ୍ଦରପଦା ଦୟାଲ ଆଶ୍ରମରେ ରହୁଥିଲେ । ଯେହେତୁ ମାନସଙ୍କର ଭୁବନେଶ୍ୱରରେ ଭଡ଼ା ଘର ନଥିଲା । ତେଣୁ ସେ ଆଶ୍ରମରେ ରହିଯାଉଥିଲେ । ଏହି ସମୟରେ ସମ୍ପୂର୍ଣ୍ଣ ୱେବପୋର୍ଟାଲ ପକ୍ଷରୁ ଏକ କ୍ଷୁଦ୍ର ଭିଡିଓ ରେକର୍ଡିଂ ଦାୟିତ୍ୱ ନେଇଥିଲେ ମାନସ । ରେକଡିଂ ବାବଦକୁ ୧୦ ହଜାର ଟଙ୍କା ବକେୟା ଥିଲା । ସେ ବକେୟା ବାରମ୍ବାର ମାଗିଥିଲେ ବି ଶର୍ମିଷ୍ଠା ଦେଇନଥିଲା ।

ସେହି ରାଗରେ ମାନସ ୱେବପୋର୍ଟାଲ ଅଫିସର ଏକ କମ୍ପୁଟରରୁ ପାଖାପାଖି ୬୦ଟି ଭିଡିଓ ଚୋରାଇ ନେଇ ନିଜ ପାଖରେ ଏକ ମେମୋରି କାର୍ଡରେ ରଖିଥିଲେ । ଅଫିସ କମ୍ପ୍ୟୁଟରରେ ସେହିସବୁ ଭିଡିଓ ଡିଲିଟ ହୋଇଯାଇଥିବା ଶର୍ମିଷ୍ଠା ଜାଣିପାରିଥିଲା । ଜାନୁଆରୀ ୩୦ ତାରିଖରେ ଶର୍ମିଷ୍ଠା ଓ ପୂର୍ବତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନିରଞ୍ଜନ ସେଠୀ ପୋର୍ଟାଲ ଅଫିସକୁ ଡାକି ମାନସଙ୍କୁ ମେମୋରି କାର୍ଡରେ ଥିବା ଭିଡିଓ ମାଗିଥିଲେ । ମାତ୍ର ମେମୋରି କାଡ ନଦେବାରୁ ଅଫିସରେ ଉଭୟ ମାନସଙ୍କୁ ମାଡ଼ ମାରିଥିଲେ । ଏଥିରେ ମାନସ ଗୁରୁତର ଆହତ ହୋଇଥିଲେ । ସେହିଦିନ ବି ଶର୍ମିଷ୍ଠା ଓ ନିରଞ୍ଜନ ତାଙ୍କୁ ଏକ ଗାଡ଼ିରେ ଦୟାଲ ଆଶ୍ରମ ନେଇ ଖୋଜାଖୋଜି କରିଥିଲେ ବି ତାହା ମିଳିନଥିଲା । ସେହି ସମୟରେ ମାନସଙ୍କ ଏକ କ୍ୟାମେରା ଶର୍ମିଷ୍ଠା ଛଡ଼ାଇ ନେଇଥିଲେ । ଜାନୁଆରୀ ୩୧ ତାରିଖରେ ମାନସ ଦୟାଲ ଆଶ୍ରମ ଛାଡ଼ିଦେଇଥିଲେ । ଭୁବନେଶ୍ୱର ନୟାପଲ୍ଲୀ ଥାନା ଆଇଆରସି ଭିଲେଜ ଅଞ୍ଚଳରେ ଜଣେ ସମ୍ପକୀୟଙ୍କ ଘରେ ରହୁଥିଲେ । ସେଠୁ ନୟାଗଡ଼ ରଣପୁରର ଗୋଡ଼ିପୋଖରୀ ଘରକୁ ବି ଯିବାଆସିବା କରୁଥିଲେ ମାନସ । ଏହା ପରେ ବି ଶର୍ମିଷ୍ଠା ମେମୋରି କାର୍ଡି ପାଇବାକୁ ମାନସଙ୍କୁ ଫୋନ କରିଥିଲା ।

ମେମୋରି କାର୍ଡ ପାଇବାକୁ ହେଲେ ଦୟାଲ ଆଶ୍ରମରୁ ଛଡ଼ାଇ ନେଇଥିବା ତାଙ୍କ କ୍ୟାମେରା ଓ ବକେୟା ୧୦ ହଜାର ଟଙ୍କା ଦେବାକୁ ଶର୍ମିଷ୍ଠାଙ୍କୁ କହିଥିଲେ ମାନସ । କିନ୍ତୁ ଶର୍ମିଷ୍ଠା ସର୍ତ୍ତରେ ରାଜି ହୋଇନଥିଲା ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । କ୍ରାଇମବ୍ରାଞ୍ଚ ଆହୁରୀ ମଧ୍ୟ ଜାଣିବାକୁ ପାଇଛି ଯେ ସହଯୋଗୀ କ୍ୟାମେରାମ୍ୟାନ ଦୀପକ ସାହୁ ଜରିଆରେ ଶର୍ମିଷ୍ଠା ଭଦ୍ରକର ଚାନ୍ଦବାଲିରୁ ମାନସଙ୍କୁ ଠାକ କରିଥିଲେ । ୬ ତାରିଖରେ ମାନସ ପଲାସପୁରରେ ସୁଟିଂ ସାରି ୭ ତାରିଖ ସକାଳେ ଫେରିବାବେଳେ ଲାଇଭ ଲୋକେସନ ହ୍ୱାଟ୍ସଆପରେ ପଠାଇବାକୁ ଦୀପକଙ୍କୁ କହିଥିଲା ଶର୍ମିଷ୍ଠା । ଦୀପକ ଲୋକେସନ ପଠାଇବା ପରେ ଶର୍ମିଷ୍ଠା ଅନ୍ୟ ସହଯୋଗୀଙ୍କ ସହିତ ମିଶି ୭ ତାରିଖ ସକାଳେ ଏକ କାରରେ ପିଛା କରି ପାଳାସପୁରରୁ ମାନସଙ୍କୁ ଉଠାଇ ଆଣିଥିଲେ ।

Related Posts