ବାତ୍ୟା ୟାସ୍ ରେ ମୃତ ଗାଈଗୋରୁଙ୍କ ମାଂସକୁ ବିକ୍ରି କରାଯାଇଛି କି ନାହିଁ ଏହାର ତଦନ୍ତ କରାଯିବ : ପଶ୍ଚିମବଙ୍ଗ ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନିକଟରେ ଆସିଥିବା ବାତ୍ୟା ୟାସ୍ ଯୋଗୁଁ ଅନେକ ଗୋରୁମାନଙ୍କର ମୃତ୍ୟୁ ହୋଇଛି। ତେବେ ଏହି ଗୋରୁମାନଙ୍କର ମାଂସକୁ କିଛି ଅସମାଜିକ ବ୍ୟକ୍ତି ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବିକ୍ରି କରିବାର ଆଶଙ୍କା ରହିଛି। ତେଣୁ ସେମାନଙ୍କ ଉପରେ ନଜର ରଖିବାକୁ ବରିଷ୍ଠ ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି ଯେ , “ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ମୃତ ପଶୁମାନଙ୍କର ମାଂସ ବିକ୍ରି କରିଥାନ୍ତି। କାରଣ ପୂର୍ବରୁ ଏମିତି ଏକ ରାକେଟ୍ ର ପର୍ଦ୍ଦାଫାସ ହୋଇଥିଲା ବୋଲି ମମତା ବାନାର୍ଜୀ କହିଛନ୍ତି। ୨୦୧୮ ଏପ୍ରିଲ୍ ମାସରେ ପୋଲିସ କୋଲକାତା ନିକଟସ୍ଥ ଡମ୍ପିଂ ଗ୍ରାଉଣ୍ଡରେ ଗୋରୁ ଶବ ବିକ୍ରି ରାକେଟ୍ ର ପର୍ଦ୍ଦାଫାସ କରିଥିଲା। ପରେ ଜଣାପଡିଥିଲା ଯେ ଏହି ମୃତ ପଶୁମାନଙ୍କର ମାଂସ କୁ ଫର୍ମାଲଡିହାଇଡ ଭଳି ଏକ କେମିକାଲରେ ପ୍ରିଜର୍ଭ କରି -44 ° C ତାପମାତ୍ରାରେ ଫ୍ରିଜ୍ ହେବା ପରେ ଏଗୁଡିକୁ ବେଙ୍ଗଲ ସମେତ ବିହାର, ଓଡିଶା ଏବଂ ଆସାମର ବ୍ୟବସାୟୀ ମାନଙ୍କୁ ବିକ୍ରି କରାଯାଉଥିଲା। ଏଗୁଡିକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖି ରେଷ୍ଟୁରାଣ୍ଟ ଏବଂ ହୋଟେଲ ଗୁଡିକୁ ସପ୍ଲାଏ କରାଯାଉଥିଲା। ୟାସ୍ ବାତ୍ୟାର ସମୀକ୍ଷା କରି ମମତା ବାନାର୍ଜୀ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଗୋରୁ ମାଂସ ବିକ୍ରି ହେଉଛି କି ନାହିଁ ତାହାର ଯାଞ୍ଚ୍ କରି ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହା ଜବତ ଶବର ଅନ୍ତିମ ସଂସ୍କାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅଧିକାରୀ ମାନଙ୍କ ସୂଚନା ମୁତାବକ ବାତ୍ୟାରେ ହଜାରେରୁ ଉର୍ଦ୍ଧ୍ୱ ଗୋରୁ ଓ କୁକୁଡ଼ାଙ୍କର ମୃତ୍ୟୁ ଘଟିଛି। ବାତ୍ୟା ୟାସ୍ ଓଡିଶାରେ ଲ୍ୟାଣ୍ଡ କରିଥିଲେ ମଧ୍ୟ ପଶ୍ଚିମବଙ୍ଗର ଏକାଧିକ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତିନୋଟି ଜିଲ୍ଲାର ୧୪ ଟି ବ୍ଲକରେ ଅତି କମରେ ୬୩ ଟି ଗ୍ରାମ ପଞ୍ଚାୟତ ଏବେ ମଧ୍ୟ ଜଳମଗ୍ନ ରହିଛି। ଏବଂ ମୃତ ଗୋରୁମାନେ ବର୍ତ୍ତମାନ ମଧ୍ୟ ସେଠାରେ ପଡି ରହିଥିବା ବେଳେ ଏହା ଦ୍ୱାରା ରୋଗର ଆଶଙ୍କା ମଧ୍ୟ ବଢାଇ ଦେଇଛି । ସମୀକ୍ଷା ବୈଠକରେ ଉପସ୍ଥିତ ଥିବା ରାଜ୍ୟ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ କହିଛନ୍ତି ଯେ ରେଷ୍ଟୁରାଣ୍ଟରେ ମୃତ ମାଛ ମଧ୍ୟ ବିକ୍ରି ହେବାର ସମ୍ଭାବନା ରହିଛି। ତେଣୁ ଏସବୁ ଉପରେ ନଜର ରଖିବାକୁ ବରିଷ୍ଠ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି।

Related Posts