ବାତ୍ୟା ପାଇଁ ତତ୍କାଳ ଆର୍ଥିକ ସହାୟତା ମାଗିଲେନି ଓଡିଶା ସରକାର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସି ବାତ୍ୟା ‘ୟାସ୍‌’ ଜନିତ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ ତତ୍କାଳ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଦାବି କରିନଥିଲେ । ଦେଶରେ ଏବେ କୋଭିଡ୍ ମହାମାରୀ ଶୀର୍ଷରେ ଥିବା ଯୋଗୁଁ କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟ ବୋଝ ନହୋଇ ନିଜସ୍ୱ ଅର୍ଥରେ ପରିସ୍ଥିତିର ମୁକାବିଲା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତିବର୍ଷ ଏଭଳି ପ୍ରାକୃତିକ ଦୁର୍ବିପାକ ଆସୁଥିବା ହେତୁ ଓଡିଶାକୁ ବାତ୍ୟା ଦାଉରୁ ରକ୍ଷା କରିବାପାଇଁ ଦୀର୍ଘସୂତ୍ରୀ ସମାଧାନ ପାଇଁ କେନ୍ଦ୍ର ନିକଟରେ ଦାବି କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଠାରେ ପହଞ୍ଚିବାପରେ ବାତ୍ୟା “ୟାସ୍” ଜନିତ କ୍ଷୟକ୍ଷତି ସଂକ୍ରାନ୍ତରେ ସମୀକ୍ଷା ବୈଠକ କରିଥିଲେ । ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ଡକ୍ଟର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଏସ୍ଆରସି ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୀକ୍ଷା ବୈଠକରେ ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତି ସଂପର୍କରେ ଛୋଟ ଭିଡିଓ ପ୍ରଦଦର୍ଶନ ସହିତ ପାୱାର ପେଜେଣ୍ଟେସନ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ତତ୍କାଳ ଆର୍ଥିକ ସହାୟତା ବଦଳରେ ବାରମ୍ବାର ଓଡିଶା ଉପକୂଳକୁ ଆସୁଥିବା ବାତ୍ୟାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ସହଯୋଗ କରିବା ଆବଶ୍ୟକ ରହିଛି । ବୈଠକରେ ବିଶେଷ କରି ଦୁଇଟି ଦୀର୍ଘସ୍ଥାୟୀ ବ୍ୟବସ୍ଥା ଦାବି କରିଥିଲେ। ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍ ବ୍ୟବସ୍ଥା ଯେମିତିକି ଉନ୍ନତ ଟେକ୍ନୋଲୋଜି ଓ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ସେହିପରି ଉପକୂଳର ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା କରିବାକୁ ଦାବି କରିଥିଲେ।  ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଭଦ୍ରକ ଓ ବାଲେଶ୍ବର ଅଞ୍ଚଳରେ ଏରିଆଲ ସର୍ଭେ କରିଥିଲେ । ସୂଚନାଯୋଗ୍ୟ ଗତବର୍ଷ ଅମ୍ଫାନ ବାତ୍ୟା ସମୟରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ତତ୍କାଳ ୫୦୦କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ। ଏବଂ ବାତ୍ୟାର ଦୀର୍ଘସ୍ଥାୟୀ ମୁକାବିଲା ପାଇଁ ରାଜ୍ୟ ସରକାର ୧୬,୦୩୨କୋଟି ଟଙ୍କା ଦେବାକୁ ଅନୁରୋଧ କରିଥିଲେ।

Related Posts