ଦରମା ବୃଦ୍ଧି ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ମୋ ବସ୍ ଡ୍ରାଇଭର : ସମର୍ଥନ ଜଣାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେତନ ବୃଦ୍ଧି ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ମୋ ବସ୍‌ ଡ୍ରାଇଭର। ସୋମବାର ସକାଳୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମୋ ବସ୍‌ ଡ୍ରାଇଭର। ଆନ୍ଦୋଳନ ରତ ଡ୍ରାଇଭର ମାନେ ଚେତାବନୀ ଦେଇଛନ୍ତି ଯେ ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନ ହୋଇଛି ସେ ଯାଏ ସେମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିବେ। ଆଜି ଠାରୁ ମୋ ବସ୍ ସେବା ସ୍ବାଭାବିକ ହେବ ବୋଲି ଆଶା କରାଯାଉଥିବା ବେଳେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ସେବା ପ୍ରଭାବିତ ହୋଇଛି। ରାଜଧାନୀ ଭୁବନେଶ୍ୱରର ୧୪ଟି ରୁଟ୍‌ରେ ମୋ ବସ୍ ଚଳାଚଳ ବନ୍ଦ ରହିଛି। ବିଶେଷ କରି ଖୋର୍ଦ୍ଧା, ବାଳକାଟୀ, ସାଇ ମନ୍ଦିର ରୁଟ୍‌ରେ ପ୍ରାୟ ଶହେଟି ବସ୍‌ ଚଳାଚଳ ବନ୍ଦ ରହିଛି।

ସମ୍ ହସ୍ପିଟାଲ ନିକଟ ଡିପୋରେ ମୋ ବସ୍ ଡ୍ରାଇଭରମାନେ ଆନ୍ଦୋଳନ କରୁଛନ୍ତି। ସୂଚନା ମୁତାବକ ସେଠାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି ଏବଂ କର୍ତ୍ତୃପକ୍ଷ ମଧ୍ୟ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। କିନ୍ତୁ ଏହି ଆଲୋଚନା ଫଳପ୍ରଦ ହୋଇପାରି ନ ଥିବା ସୂଚନା ରହିଛି। ସେମାନଙ୍କ ଦାବି ପୂରଣ ପାଇଁ କର୍ତ୍ତୃପକ୍ଷ ୧୫ ଦିନ ସମୟ ମାଗିଥିବା ବେଳେ ଅଲଗା ବସ୍‌ ଡ୍ରାଇଭର ମଗାଇ ବସ୍‌ ବାହାର କରୁଥିବାରୁ ଆନ୍ଦୋଳନରତ ଡ୍ରାଇଭର ମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି।

ଆନ୍ଦୋଳନକାରୀ ଡ୍ରାଇଭର ମାନଙ୍କ କହିବା କଥା ହେଉଛି, ଆମେ ୮ ଘଣ୍ଟା କାମ କରି ମାସକୁ ୧୨ ହଜାର ଟଙ୍କା ପାଉଛୁ ,ସେଥିରୁ କଟାକାଟି ହୋଇ ଆମ ପାଖକୁ ୧୧, ୫୦୦ ଟଙ୍କା ଆସୁଛି। ବର୍ତ୍ତମାନ ଯେଉଁଭଳି ଭାବେ ଦରଦାମ ବୃଦ୍ଧି ହେଲାଣି ଏତିକି ଦରମାରେ ଘର ଚଳାଇବା କଷ୍ଟକର ହୋଇପଡିଛି। ଖାଇବା ତେଲ ଲିଟର ୧୫୦, ପେଟ୍ରୋଲ ଲିଟର ୧୦୪ ତେଣୁ ଏତେ ସ୍ବଳ୍ପ ଦରମାରେ ଚଳିବା ଅସମ୍ଭବ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ମୋ ବସ୍ ଡ୍ରାଇଭର ମାନେ ଦାବି କରିଛନ୍ତି ଯେ ସେମାନଙ୍କୁ ମାସକରେ ୨୬ ଦିନକୁ ୮ ଘଣ୍ଟା ହିସାବରେ ୧୮ ହଜାର ଦରମା ଦିଆଯାଉ।

କରୋନା ଯୋଗୁଁ ବସ୍ ଚଳାଚଳ ବନ୍ଦ ରହିଥିବା କାରଣରୁ କର୍ତ୍ତୃପକ୍ଷ ନୋ ୱାର୍କ ନୋ ପେ କରିଛନ୍ତି। ଫଳରେ ଆମେ ଚଳିବାକୁ ବହୁ ହଇରାଣ ହେଉଛୁ ବୋଲି ଆନ୍ଦୋଳନକାରୀ ଡ୍ରାଇଭର କହିଛନ୍ତି। ସେମାନେ ଚେତାବନୀ ଦେଇଛନ୍ତି ଯେ ଯଦି ସେମାନଙ୍କର ଦାବି ପୂରଣ ନ ହୁଏ ତେବେ ସେମାନେ ଏଠାରୁ ଉଠିବେ ନାହିଁ।

ତେବେ ମୋ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ କରୁଥିବାର ଖବର ପାଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ବି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେଠାରେ ସେ ଡ୍ରାଇଭରଙ୍କ ଦାବି ପୂରଣ ପାଇଁ ଆନ୍ଦୋଳନରେ ବସିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି, ମୋ ବସ୍‌ ଚଳାଚଳ ଆରମ୍ଭରୁ ଏହି ଡ୍ରାଇଭରମାନେ ଏଥିରେ ନିୟୋଜିତ ଅଛନ୍ତି। ସେମାନେ ଦିନ ରାତି ଏକ କରି କାମ କରୁଛନ୍ତି। ମାତ୍ର ସେମାନଙ୍କୁ ଗୋତି ଶ୍ରମିକ ପରି ଖଟାଇ ମାତ୍ର ୧୨ ହଜାର ଟଙ୍କା ଦିଆଯାଉଛି। କଂଗ୍ରେସ ନେତା ଦାବି କରିଛନ୍ତି ଯେ ସେମାନଙ୍କ ଦାବି ଅନୁଯାୟୀ, ତାଙ୍କୁ ୧୮ ହଜାର ଟଙ୍କା ଦରମା ଦିଆଯାଉ ।

ତେବେ ପୂର୍ବରୁ ରହି ଆସିଥିବା ଏହି ଡ୍ରାଇଭରମାନଙ୍କୁ ବାହାର କରାଯାଉଥିବାରୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯଦି ଡ୍ରାଇଭରମାନେ କିଛି ଭୁଲ କରିଛନ୍ତି ତେବେ ସେମାନଙ୍କ ଠାରୁ ଉତ୍ତର ମାଗିବା ଆବଶ୍ୟକ। ଏହାପରେ କାର୍ଯ୍ୟାନୁଷ୍ଠାନ ନେବା ଅନୁଚିତ। ମାତ୍ର ଏପରି ମନଇଚ୍ଛା ବାହାର କରା ନ ଯାଉ ବୋଲି ସେ କହିଛନ୍ତି।

Related Posts