‘ପଶ୍ଚିମବଙ୍ଗରୁ ଶୁଭୁଛି ବଞ୍ଚାଅ ବଞ୍ଚାଅ ନାରା’, ‘ଦେଶବାସୀ କହୁଛନ୍ତି ବାଃ କି ସିନ୍‌’

ମୋଦି ଭର୍ସେସ୍‌ ଅଲ୍‌ । ଗୋଟିଏ ପଟେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀଙ୍କ ନେତୃତ୍ବରେ ଏକାଠି ହୋଇଥିବା ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ୍‌ କଲେ । ସେପଟେ ଡାମନ ଡିଓ ଏବଂ ଦାଦ୍ରା ନଗର ହାବେଳୀ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଉପରେ କଲେ ପ୍ରବଳ ଆକ୍ରମଣ । କହିଲେ, ବିରୋଧୀଙ୍କ ମହାମେଣ୍ଟ କେବଳ ମୋଦି ବିରୋଧରେ ନୁହେଁ, ବରଂ ଦେଶର ଜନତାଙ୍କ ବିରୋଧରେ । ମହାମେଣ୍ଟକୁ କଟାକ୍ଷ କରି ମୋଦି କହିଲେ ପଶ୍ଚିମବଙ୍ଗରୁ ଶୁଣାଯାଉଛି ବଞ୍ଚାଅ ବଞ୍ଚାଅ ନାରା ।

କୋଲକାତାରେ ବିରୋଧୀ ଦଳ ନେତାଙ୍କ ମହାମେଳି

ବିରୋଧୀ ମହାମେଣ୍ଟକୁ ପ୍ରଧାନମନ୍ତ୍ରୀ କଡ଼ା ଜବାବ୍‌ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଲେ କିଛି ଲୋକ ନିଜକୁ ବଞ୍ଚାଇବାକୁ ସାହାରା ଖୋଜୁଛନ୍ତି । ପୂର୍ବରୁ କଂଗ୍ରେସକୁ ଗାଳି ଦେଉଥିବା ସମସ୍ତେ ଆସିଛନ୍ତି ଗୋଟିଏ ମଞ୍ଚକୁ । ମହାମେଣ୍ଟ କେବଳ ମୋଦି ବିରୋଧରେ ନୁହେଁ ବରଂ ଭାରତର ଜନତାଙ୍କ ବିରୋଧରେ ଷଡ଼ଯନ୍ତ୍ର ।

ବିରୋଧୀ ନେତାଙ୍କ ଏକଜୁଟତା ଉପରେ କଟାକ୍ଷ ବି କଲେ ପ୍ରଧାନମନ୍ତ୍ରୀ । କହିଲେ ପଶ୍ଚିମବଙ୍ଗରେ ମାତ୍ର ଜଣେ ବିଧାୟକ ଥିବା ଦଳ ବିରୋଧରେ ଏକାଠି ହୋଇଛନ୍ତି ସାରା ଦେଶର ବିରୋଧୀ । ଗଣତନ୍ତ୍ରର ତଣ୍ଟି ଚିପିଥିବା ଲୋକେ ଏବେ ଗଣତନ୍ତ୍ର ବଞ୍ଚାଇବାର କଥା କହୁଛନ୍ତି । ଏହାକୁ ଦେଖି ଦେଶବାସୀ କହୁଛନ୍ତି ବାଃ କି ସିନ୍‌ ।

ଏମିତି କହି ବିରୋଧୀଙ୍କ ସ୍ବାର୍ଥପର ମନୋଭାବ ଉପରେ ମୋଦି କଲେ ଆକ୍ରମଣ । କହିଲେ ବିରୋଧୀ ଦଳ ମାନେ ସମ୍ପୂର୍ଣ୍ଣ ଭାବେ ଏକାଠି ହୋଇ ନ ଥିଲେ ବି ଏବେଠାରୁ ଆରମ୍ଭ ହୋଇଗଲାଣି ଭାଗ ବଣ୍ଟା । କଂଗ୍ରେସ ଓ ତାର ପରିବାର ବାଦକୁ ମଧ୍ୟ ମୋଦି ସମାଲୋଚନା କଲେ ।

Related Posts