“ମୋଦୀ ଜି, ମୁଁ ଡିଏନଏ ଟେଷ୍ଟ ପାଇଁ ପ୍ରସ୍ତୁତ, ଆପଣ ଦୟାକରି ନେତାଜୀଙ୍କ ଚିତାଭସ୍ମକୁ ଭାରତ ଫେରାଇ ଆଣନ୍ତୁ ” – ସୁବାଷ ବୋଷଙ୍କ ଝିଅ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସ୍ମରଣ କରୁଛି । ତେବେ ଏହି ଅବସରରେ ଜର୍ମାନୀରେ ରହୁଥିବା ନେତାଜୀଙ୍କ ଝିଅ ଅନୀତା ବୋଷ ନେତାଜୀଙ୍କ ଚିତାଭସ୍ମକୁ ଭାରତ ଆଣିବାକୁ ଭାରତ ସରକାରଙ୍କୁ ଦାବି କରିଛନ୍ତି। ବାସ୍ତବରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଯାଇଛି। ଅନେକ ଦାବି କରିଛନ୍ତି ଯେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇଛି। ଏହାପରେ ତାଙ୍କର ଦେହାବଶେଷକୁ ଜାପାନର ଜଣେ ଅଧିକାରୀଙ୍କ ଦ୍ଵାରା ସଂଗ୍ରହ କରାଯାଇ ଟୋକିଓର ରେନକୋଜି ମନ୍ଦିରରେ ସଂରକ୍ଷିତ କରାଯାଇଛି।

୭୯ ବର୍ଷିୟ ଅନୀତା ବୋଷ, କହିଛନ୍ତି ଯେ ଜାପାନର ଟୋକିଓର ଏକ ମନ୍ଦିରରେ ସଂରକ୍ଷିତ ନେତାଜୀଙ୍କ ଚିତାଭସ୍ମର ଡିଏନଏ ପରୀକ୍ଷା ପାଇଁ ସେ ପ୍ରସ୍ତୁତ ଅଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଜାପାନ ସରକାରଙ୍କର ମଧ୍ୟ ଏହାକୁ ନେଇ କୌଣସି ଆପତ୍ତି ନାହିଁ ବରଂ ଏହି ଚିତାଭସ୍ମକୁ ହସ୍ତାନ୍ତର କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି। ତେବେ ଖୁବ୍ ଶୀଘ୍ର ନେତାଜୀଙ୍କ ଚିତାଭସ୍ମକୁ ଭାରତ ଫେରାଇ ଆଣିବାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି।

ଏହା ସହିତ ଅନୀତା ବୋଷ ତାଙ୍କ ବିବୃତ୍ତିରେ ଭାରତ, ପାକିସ୍ଥାନ ଏବଂ ବାଂଲାଦେଶ ବାସୀଙ୍କୁ ନିବେଦନ କରି କହିଛନ୍ତି ଯେ ନେତାଜୀଙ୍କ ଜୀବନରେ ତାଙ୍କ ଦେଶର ସ୍ଵାଧୀନତା ଛଡ଼ା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନଥିଲା। ତେଣୁ ବର୍ତ୍ତମାନ ସମୟ ଆସିଛି ଆମେ ଅନ୍ତତଃ ତାଙ୍କ ଚିତାଭସ୍ମକୁ ଭାରତ ମାଟିକୁ ଫେରାଇ ଆଣିବା। ‘ନେତାଜୀଙ୍କୁ ଘରକୁ ଆଣ’ ଆହ୍ବାନ ଦେଇ ନେତାଜୀଙ୍କ ଚିତାଭସ୍ମକୁ ନିଜ ମାତୃଭୂମିକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିବାକୁ ସେ କହିଛନ୍ତି ।

ସୂଚନା ଅନୁସାରେ ନେତାଜୀଙ୍କ ଏକମାତ୍ର ସନ୍ତାନ ଅନୀତା ବୋଷ ଦୀର୍ଘ ଦିନ ଧରି କହି ଆସୁଛନ୍ତି ଯେ ନେତାଜୀଙ୍କ ଚିତାଭସ୍ମ ରେନକୋଜି ମନ୍ଦିରରେ ଅଛି। ଅଷ୍ଟ୍ରିଆରେ ଜନ୍ମିତ ଅର୍ଥନୀତିଜ୍ଞ ଅନୀତା ବୋଷ , ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ତାଙ୍କ ପତ୍ନୀ ଏମିଲି ସ୍କେଙ୍କଲଙ୍କ ଏକମାତ୍ର ଝିଅ । ବ୍ରିଟିଶମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଯେତେବେଳେ ନେତାଜୀ ଜର୍ମାନୀରୁ ଦକ୍ଷିଣ ପୂର୍ବ ଏସିଆକୁ ଯାଇଥିଲେ ସେତେବେଳେ ତାଙ୍କୁ ମାତ୍ର ଚାରି ମାସ ହୋଇଥିଲା |ନେତାଜୀଙ୍କର ଅନେକ ଭାରତୀୟ ସମ୍ପର୍କୀୟ ମଧ୍ୟ ପୂର୍ବରୁ ନେତାଜୀ ତାଇୱାନରୁ କେଉଁଆଡେ ଯାଇଛନ୍ତି ଜାଣିବା ପାଇଁ ସରକାରଙ୍କୁ ଅନେକ ଥର ଅନୁରୋଧ କରିଛନ୍ତି।

Related Posts