‘ମୋ ସରକାର’ର Most Powerful-10

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ନବୀନଙ୍କ ‘ମୋ ସରକାର’ରେ ସବୁଠୁ ଶକ୍ତିଶାଳୀ କିଏ ? ପ୍ରଶାସନରେ ବହୁ ବ୍ୟୁରୋକ୍ରାଟ, ମନ୍ତ୍ରୀ ଓ ନେତା ଅଛନ୍ତି କିନ୍ତୁ ବାସ୍ତବରେ ସରକାର ଚଳାଉଛି କିଏ ? ଉପରକୁ 38ଟି ବିଭାଗ ଏବଂ 21 ଜଣ ମନ୍ତ୍ରୀ ଅଛନ୍ତି, ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିଜେଡିର 19 ଜଣ ସାଂସଦ ଅଛନ୍ତି ଏବଂ ବିଜୁ ଜନତା ଦଳର ସାଂଗଠନିକ ଅଧିକାରୀ ବି ଅଛନ୍ତି କିନ୍ତୁ ଭିତରେ କିଏ ଯାହାଙ୍କ କଥା ନବୀନ ଶୁଣନ୍ତି ? ଖାସ୍‌ କରି ଯେତେ ସବୁ ଫ୍ଲାଗସିପ୍ କାମ ଏବଂ ବଡ଼ ବଡ଼ କାମ ଓ ଗୋପନୀୟ କାମ କରିବାକୁ କେଉଁମାନଙ୍କୁ ଦାୟିତ୍ବ ଦିଆଯାଏ । ଏବାବଦରେ ଅନେକ ବ୍ୟୁରୋକ୍ରାଟ ଏବଂ ନେତାଙ୍କ କଥା ଶୁଣିବାକୁ ମିଳେ । ସେହିମାନଙ୍କ ଇସାରାରେ ଚାଲିଛି ରାଜ୍ୟର ପ୍ରଶାସନ ଏବଂ ବିଜୁ ଜନତା ଦଳ । ଅନେକ କଥା ବିଚାରକୁ ନେଇ ସତ୍ୟପାଠ ପକ୍ଷରୁ ନବୀନଙ୍କ ପଞ୍ଚମ ପାଳି ‘ମୋ ସରକାର’ର 10 ଜଣ ପାୱାରଫୁଲ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁମାନେ କି ରାଜ୍ୟ ପ୍ରଶାସନରେ ରହି ଗୋଟି ଚଳାଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଅନେକ ସାମ୍ନାରେ ଅଛନ୍ତି ଆଉ କିଛି ପଛରେ ରହିଛନ୍ତି । ସେହିଭଳି ବ୍ୟକ୍ତିଙ୍କୁ ନେଇ ପ୍ରସ୍ତୁତ କରାଯାଇଛି ନବୀନଙ୍କ  Playing Eleven ।

10-ଦିଲୀପ ମହାନ୍ତି

ଓଏଏସ୍‌ରୁ ଆଇଏଏସ୍‌କୁ ପ୍ରମୋଟେଡ ହେବା ପରେ ତୃତୀୟ ମହଲାରେ ଅବସ୍ଥାପିତ ହୋଇଥିବା ଦିଲୀପ ମହାନ୍ତି ନବୀନଙ୍କ ପଞ୍ଚମ ପାଳିର 10 ନମ୍ବର କ୍ଷମତାଶଶଳୀ ବ୍ୟକ୍ତି । ଅବସର ପରେ ଦୁଇ ଦୁଇ ଥର ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବା ପ୍ରଶାସନରେ ଦିଲୀପଙ୍କ ପ୍ରଭାବକୁ ଦର୍ଶାଉଛି । ଦିଲୀପଙ୍କ କାର୍ଯ୍ୟ ଉପରେ ମାନ୍ୟବର ଭରସା କରୁଥିବାରୁ ତାଙ୍କୁ ନିଜ ନିର୍ବାଚନମଣ୍ଡଳୀ ‘ହିଞ୍ଜିଳି’ର ଦାୟିତ୍ବ ଦେଇଛନ୍ତି । ଆଉ ଦିଲୀପ ବାରମ୍ବାର ନବୀନଙ୍କ ଭରାସାକୁ ଜିତି ହିଞ୍ଜିଳିରେ ନବୀନଙ୍କ ଲୋକପ୍ରିୟତାକୁ ବଢ଼ାଇଛନ୍ତି ।

09-ଗୋପ ନାରାୟଣ ଦାସ

ଗୋପ ନାରାୟଣ ଦାସ । ଯାହାଙ୍କୁ ଗୋପବନ୍ଧୁ ଦାସ ଭାବେ ସମସ୍ତେ ଜାଣିନ୍ତି । ଚାକିରିରୁ ଅବସର ନେବା ପରେ ସିଧାସଳଖ ନବୀନଙ୍କ ରାଜନୈତିକ ପରାମର୍ଶଦାତା ହୋଇଛନ୍ତି ଗୋପବନ୍ଧୁ । ରାଜନୀତିରେ ନବୀନଙ୍କୁ ଭଲ ପରାମର୍ଶ ଦେବା ସହ ପାଣ୍ଡିଆନଙ୍କୁ ମଧ୍ୟ ସହଯୋଗ କରୁଛନ୍ତି । 2019 ନିର୍ବାଚନରେ ନବୀନ ନିବାସରେ ନେତାଙ୍କ ଗହଳି ଯେତିକି ନଥିଲା ତାଠାରୁ ଅଧିକ ନେତା ଟିକେଟ ପାଇଁ ଗୋପବନ୍ଧୁଙ୍କ ସହ ଗୁପ୍ତ ଆଲୋଚନା କରିଥିଲେ । ନବୀନଙ୍କ ପ୍ରତିଟି ରାଜନୈତିକ ନିଷ୍ପତ୍ତିରେ ଗୋପବନ୍ଧୁ ସାମିଲ ହେବା ତାଙ୍କ କ୍ଷମତାକୁ ବୟାନ କରୁଛି ।

 

08-ଆଶିଷ ସିଂହ

ସେହିଭଳି ଏହା ପଛକୁ ଅଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ । ଏନ୍‌କାଉଣ୍ଟର ସ୍ପେସାଲିଷ୍ଟ ଭାବେ ଜଣାଶୁଣା ଆଶିଷ ସିଂହ ଏସ୍‌ପି ଥିବା ବେଳେ ଗଞ୍ଜାମରୁ ଅପରାଧ କମାଇବାରେ ସବୁଠୁ ସଫଳ ହୋଇଥିବା IPS ଅଫିସର ହୋଇଥିଲେ ।  2017 ମସିହାରେ ବିଜେଡି ଯୁବ ନେତା ତଥା ଛତ୍ରପୁରର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଗିରଫ ଦୁଇ ଅଭିଯୁକ୍ତ କୃଷ୍ଣ ନାୟକ ଓ ଦୁର୍ଯୋଧନ ରେଡ୍ଡୀଙ୍କୁ ରିମାଣ୍ଡ ନେଇ ସେମାନଙ୍କ ପାଟିରୁ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସମ୍ପୃକ୍ତିକୁ ଲୋକଲୋଚନକୁ ଆଣି ଚର୍ଚ୍ଚାକୁ ଆସିଥିଲେ ଆଶିଷ । ଏହା ପରେ ଆଶିଷ ସିଂହ ଶାସକ ଦଳର ଇଙ୍ଗିତରେ କାମ କରୁଥିବା ଅଭିଯୋଗ କରିଥିଲେ ଗୋଲକ ମହାପାତ୍ର ।

07-ରୂପା ରୋଶନ ସାହୁ

ଖୋର୍ଦ୍ଧା ଜିଲ୍ଲାପାଳରୁ ସିଧାସଳକ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇ CMOରେ ନିଜର ଦବଦବା ରଖିଛନ୍ତି ରୂପା ରୋଶନ ସାହୁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରତ୍ୟେକଟି ନିଷ୍ପତ୍ତିରେ ରୂପା ରୋଶନ ସାହୁଙ୍କୁ ସମ୍ପୃକ୍ତି ରହୁଥିବା କୁହାଯାଉଛି । 2019 ନିର୍ବାଚନରେ ଟିକେଟ ପାଇନଥିବା ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ବିଭିନ୍ନ ନିଗମର ଅଧ୍ୟକ୍ଷ ଏବଂ ବିଭିନ୍ନ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି । ଏ ସମସ୍ତଙ୍କ ନିଯୁକ୍ତି ନେଇ ଯେଉଁ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଥିଲା ତାହାକୁ କରିଥିଲେ ରୂପା ରୋଶନ ସାହୁ । ତେଣୁ ତାଙ୍କୁ ନବୀନଙ୍କ ପ୍ଲେଇଙ୍ଗ୍ ଇଲେଭେନର ସପ୍ତମ କ୍ଷମତାଶାଳୀ ବୋଲି କୁହାଯାଉଛି ।

06-ଅସିତ ତ୍ରିପାଠୀ

ନବୀନଙ୍କ ପାୱାରଫୁଲ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଯିଏକି ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ।

 

  05-ପ୍ରଣବ ପ୍ରକାଶ ଦାସ

ନବୀନଙ୍କ ପାୱାରଫୁଲ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଯାଜପୁର ବିଧାୟକ ତଥା ବିଜେଡିର ୟୁଥ ଆଇକନ ବୋଲାଯାଉଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି । ୨୦୦୯ ନିର୍ବାଚନ ବେଳେ ବିଜେଡିର ସାଂଗଠନିକ କଥା ବୁଝି ମୋଷ୍ଟ ପାୱାରଫୁଲ ହୋଇଥିବା କଳ୍ପତରୁ ଦାସଙ୍କ ଦେହାନ୍ତ ପରେ ନବୀନଙ୍କ ନିକଟତର ହୋଇଥିଲେ ବବି । ବିଭିନ୍ନ ସମୟରେ ଦଳର ସାଂଗଠନିକ ସ୍ତରରେ ଥିବା ସମସ୍ୟାର ସମାଧାନ କରି ନବୀନଙ୍କ ଭରସା ଜିତିଉଛନ୍ତି ବବି । ତେଣୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜନେତା ହିସାବରେ ନବୀନଙ୍କ ଖାସ୍‌ ଥିଲେ ବବି । କୁହାଯାଉଛି ଯାଜପୁର ଜିଲ୍ଲାର ବୁରୀ ନିର୍ବାଚନମଣ୍ଡଳୀରୁ ହେଭିୱେଟ୍‌ ଦେବାଷିଷ ନାୟକଙ୍କ ଟିକେଟ୍‌ କାଟିବାରେ ଥିଲା ବବିଙ୍କ ଭୂମିକା । ବିରୋଧୀ କ୍ୟାମ୍ପରେ ଥାଇ ବ୍ଲକ ଚେୟାରମ୍ୟାନ ହୋଇଥିବା ସୁନନ୍ଦା ଦାସଙ୍କୁ ବିଜେଡି କ୍ୟାମ୍ପକୁ ଆଣି ଟିକେଟ ଦେବା ସହ ତାଙ୍କୁ ଜିତାଇବାରେ ବବି ଦାସଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ ।

04-ବିଶାଲ ଦେବ

ଦେଶରେ ଓଡ଼ିଶାକୁ କ୍ରୀଡ଼ା ରାଜଧାନୀ ଭାବେ ଗଢ଼ି ତୋଳିବାରେ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଓଡ଼ିଶାରେ ହକି ବିଶ୍ବକପ ଆୟୋଜନରେ ସଫଳତା ହେଉ କି କଳିଙ୍ଗ ଷ୍ଟାଡିୟମର ଉନ୍ନତିକରଣ କଥା ହେଉ ବିଶାଳ ଦେବ ଦକ୍ଷତାର ସହ କାମ କରି ମୁଖ୍ୟମନ୍ତ୍ରୀଙ୍କ ଭରସା ଜିତିପାରିଛନ୍ତି । ତେଣୁ ତାଙ୍କୁ ଏକାଧିକ ବିଭାଗର ଦାୟିତ୍ବ ମଧ୍ୟ ମଳିଛି । ପର୍ଯ୍ୟଟନ ବିଭାଗର ସଚିବ ପଦ ମିଳିବା ପରେ ଓଡ଼ିଶାର ପର୍ଯ୍ୟଟନକୁ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବାକୁ ଲାଗିପଡ଼ିଛନ୍ତି ବଶାଲ ଦେବ । ନିକଟରେ କୋଣାର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଇକୋ ରିଟ୍ରିଟ୍ ବେଶ ସଫଳ ହୋଇଥିଲା ଆଉ ଏଥିପାଇଁ ଖର୍ଚ୍ଚ ହୋଇଛି ୪.୮୨ କୋଟି ଟଙ୍କା । ଏହି ଇକୋ ରିଟ୍ରିଟ୍‌ର ପରିକଳ୍ପାରେ କୁହାଯାଉଛି ବିଶାଲ ଦେବଙ୍କ ଭୂମିକା ବି କଛି କମ୍ ନାହି । ଇକୋ ରିଟ୍ରିଟ୍ର ସଫଳତାକୁ ଦେଖି ଏହାକୁ ଆହୁରି ୧୫ ଦିନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

03-କ୍ରିଷନ କୁମାର

କାଳିଆ ଯୋଜନାକୁ ନେଇ ବିଜେଡି 2019 ନିର୍ବାଚନ ଜିତିଲା ବୋଲି କୁହାଯାଉଛି । ସେହି ଯୋଜନାର ପରିକଳ୍ପନା ଶ୍ରଷ୍ଠା ହେଉଛନ୍ତି କ୍ରିଷନ କୁମାର । ତେଣୁ ନବୀନଙ୍କ ପଞ୍ଚମ ପାଳିରେ କ୍ଷମତାଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି IAS କ୍ରିଷନ କୁମାର । ଏହା ପୂର୍ବରୁ ବିଏମ୍‌ସି କମିସନର ଥିବାବେଳେ ଦକ୍ଷତାର ସହ ରାଜଧାନୀରେ କାମ କରି ପାୱାର କରିଡରେ ନିଜର ଏକ ଆଗ୍ରେସିଭ ଛାପ ଛାଡ଼ିଥିଲେ କ୍ରିଷନ କୁମାର । ତେଣୁ ସରକାର ଶ୍ରୀକ୍ଷେତ୍ରକୁ ଏକ ଧାର୍ମିକ ସ୍ଥଳ ଭାବେ ପରିଣତ କରିବାକୁ ଯୋଜନା କରିବା ପରେ କ୍ରିଷନ କୁମାରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନଯୁକ୍ତି ମିଳିଥିଲା ।

02-ଡି.ଏସ. କୁଟ୍ଟେ

୧୯୯୭ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଡି.ଏସ କୁଟ୍ଟେ ଗୁଇନ୍ଦା ବିଭାଗରେ କାର୍ଯ୍ୟ କରି ବେଶ୍ ଭଲ ନାଁ କମାଇଥିଲେ । ବିଶେଷ କରି ନକ୍ସଲ ଦମନ କ୍ଷେତ୍ରରେ କୁଟ୍ଟେଙ୍କ ଭୂମିକା ଥିଲା ବେଶ୍ ଗୁରୁତ୍ବପୂର୍ଣ୍ଣ । ଏହା ପରେ ତାଙ୍କୁ ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତି ମିଳିଥିଲା । ପରେ 2019 ନଭେମ୍ବର ୧୯ରେ ନବୀନ ବାବୁ କୁଟ୍ଟେଙ୍କୁ ତାଙ୍କର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦେଇଥିଲେ । ପରିବହନ କମିଶନରରୁ CMOର ସ୍ବତନ୍ତ୍ର ସଚିବ ଯାଏ କୁଟ୍ଟେଙ୍କର ଏହି ଲମ୍ବା ସଫରକୁ ଦେଖିଲେ ଯେ କେହି କି ଜାଣିପାରିବ ନବୀନଙ୍କ ପ୍ରଶାସନରେ ତାଙ୍କର କ୍ଷମତା କେତେ ।

 

01-ପାଣ୍ଡିଆନ

ନବୀନଙ୍କ ପଞ୍ଚମ ପାଳି ସରକାରରେ ସବୁଠୁ ଅଧିକ ପାୱାରଫୁଲ ବ୍ୟକ୍ତି ଯଦି କାହାକୁ ପଚରାଯାଏ ତେବେ ସେ ନିସନ୍ଦେହରେ ଜଣଙ୍କ ନାଁ କହିବ ସେ ହେଲେ ମାନ୍ୟବରଙ୍କ ମାନସ ସନ୍ତାନ ତଥା 5-ଟି ସଚିବ ଭି.କେ. ପାଣ୍ଡିଆନ । ତୃତୀୟ ମହଲାରୁ ସ୍କୁଲର ତୃତୀୟ ଶ୍ରେଣୀ ଯାଏ ସମସ୍ତଙ୍କ ଆଗରେ ପାଣ୍ଡିଆନ ଏବେ ସବୁଠୁ ଅଧିକ କ୍ଷମତାଶାଳୀ ବ୍ୟକ୍ତି । ଆଉ ପାଣ୍ଡିଆନଙ୍କୁ ଏଭଳି ଅହେତୁକ କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଣ୍ଡିଆନ ଏଭଳି ଜଣେ ଅଧିକାରୀ ଯାହାଙ୍କୁ ମୁଖ୍ୟମନ୍ତ୍ରୀ ସବୁ ଚାପ, ସବୁ ପ୍ରୋଟକଲରୁ ବାହାରେ ରଖିଛନ୍ତି । ସେ କେବଳ ନବୀନ ବାବୁଙ୍କୁ ରିପୋର୍ଟ କରିବେ । ଏପରିକି ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ସେ ରିପୋର୍ଟ କରନ୍ତି ନାହିଁ । ମୁଖ୍ୟ ଶାସନ ସଚିବ ବି ପାଣ୍ଡିଆନଙ୍କୁ କୌଣସି ଜବାବ ତଲବ କରିପାରିବେ ନାହିଁ ବଂର 5-ଟି ଆଳରେ ପାଣ୍ଡିଆନ ସମସ୍ତଙ୍କୁ ଜବାବ ତଲବ କରିପାରିବେ । ପାଣ୍ଡିଆନଙ୍କ ଫାଇଲ କେବଳ ଯିବ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ।

ପାଣ୍ଡିଆନ ଭିତରେ ଭିତରେ କେତେ ପାୱାରଫୁଲ ହେଲେଣି ତାହା ଜଣାପଡ଼ିଥିଲା ପ୍ୟାରି ବାବୁ ଯେତେବେଳେ ବିଜୁ ଜନତା ଦଳରୁ ବିଦା ହୋଇଥିଲେ ।  ସେତେବେଳେ ପ୍ୟାରିବାବୁ କହିଥିଲେ ଯେ ମୋ ବାହାରିବା ପଛରେ ପାଣ୍ଡିଆନ ଅଛନ୍ତି । ସେତେବେଳେ ଯାଇ ପାଣ୍ଡିଆନଙ୍କ କ୍ଷମତା ବିଷୟରେ ଓଡ଼ିଶା ଲୋକ ଜାଣିଲେ ।  ଏବେ ପୁରୀରୁ ପାଟଣାଗଡ଼ ଯାଏ ନବୀନ ଯେଉଁଠି, ପାଣ୍ଡିଆନ ସେଇଠି ।

ଏସମସ୍ତଙ୍କୁ ନେଇ ରାଜନୀତିର ସିରିଜରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତି ଜଣେ ସଫଳ ଅଧିନାୟକ ହୋଇଛନ୍ତି ନବୀନ ପଟ୍ଟନାୟକ ।
Related Posts