ଟାଟା ନାଁ ଶୁଣି ଶ୍ରୀକାନ୍ତ ନିରବ !

ରାଜ୍ୟରେ ଶକ୍ତି ସଙ୍କଟ ଓ ସଂସ୍କାରକୁ ନେଇ ନବୀନ ସରକାରଙ୍କୁ ଏକଦା ତିବ୍ର କଟାକ୍ଷ କରି ଆସୁଥିବା ଶ୍ରୀକାନ୍ତ ବାବୁ ରାଜ୍ୟରେ କିଛି ଦିନ ହେବ ବକେୟା ବିଦ୍ୟୁତ ବିଲ୍ ଆଦାୟକୁ ନେଇ ତୁମ୍ଭିତୋଫାନ ଚାଲିଥିଲେବି ହଟାତ୍ ନିରବ ହୋଇଯିବା ଅନେକ ପ୍ରଶ୍ନ ଠିଆ କରିଛି । ଚର୍ଚ୍ଚା ହେଉଛି ଯେବେଠୁ ଟାଟା ପାଓ୍ବାର ହାତକୁ ସେସୁ ଗଲାଣି ସେବେଠୁ ଜେନାଙ୍କ ମୁହଁରେ ତାଲା ପଡିଯାଇଛି ।

କିଛି ମାସ ତଳେ କଂଗ୍ରେସ ଶିବିରରୁ ବିଶ୍ରାମ ପାଇବା ପରେ ଶ୍ରୀକାନ୍ତ ବାବୁ ରାଜ୍ୟ ସରକାରଙ୍କୁ ବିଜୁଳୀ ଦର ସମ୍ପର୍କରେ ଖୁଵ୍ ଘେରିଥିଲେ । ଏପରିକି ଦିଲ୍ଲୀ ସରକାରଙ୍କ ବିଜୁଳି ବିଲ୍ ରେ ରିହାତି ସମ୍ପର୍କରେ ଜୋରଦାର ପ୍ରଚାର କରିବା ସହ ଡିଷ୍ଟ୍ରିବ୍ୟୁସନ କମ୍ପାନୀ ମାନଙ୍କୁ ଦିଲ୍ଲୀ ଦରରେ ବିଲ୍ ଆଦାୟ ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ଏ ସଙ୍କ୍ରାନ୍ତରେ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏପରିକି ଓଡିଶା ସରକାର ସାଧାରଣ ବିଜୁଳି ଉପଭୋକ୍ତାଙ୍କୁ ଲୁଟୁଥିବାର ମଧ୍ୟ ସାଂଘାତିକ ଅଭିଯୋଗ କରିଥିଲେ । ଅବଶ୍ୟ ଏଭଳି ନିଷ୍ପତ୍ତି ଦିଲ୍ଲୀ ସରକାର ନିର୍ବାଚନକୁ ଆଖି ଆଗକୁ ରଖି ନେଇଥିଲେ ହେଲେ ଶ୍ରୀକାନ୍ତଙ୍କ ଓଡିଶାରେ ଏ ପ୍ରଚାର ପଛରେ କାରଣ ଆପ୍ ମୁହାଁ ବୋଲି ସେତବେଳେ ଆଲୋଚନା ହୋଇଥିଲା ।

ସବୁଠାରୁ ବଡକଥା ହେଲା ଏତେ ସବୁ ପରେବି ଶ୍ରୀକାନ୍ତ ବାବୁ ସେତବେଳେ କୌଣସି ବଡ କମ୍ପାନୀ କିମ୍ବା କର୍ପୋରେଟ ହାଉସର ବକେୟା ବିଜୁଳୀ ବିଲ୍ ଉପରେ ଆଙ୍ଗୁଠି ଉଠାଇବାର ଦେଖିବାକୁ ମିଳିନଥିଲା । ସାରା ରାଜ୍ୟରେ କୋଟି କୋଟି ଟଙ୍କାର ବିଲ୍ ଦେଇନଥିବା କମ୍ପାନୀ ମାନଙ୍କ ଉପରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଆକ୍ରମଣ ଚାଲିଥିବା ବେଳେ ଶ୍ରୀକାନ୍ତଙ୍କ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

କୁହାଯାଉଛି ଏବେ ସେସୁ ଠାରୁ ଡିଷ୍ଟ୍ରିବ୍ୟୁସନ ଦାୟିତ୍ୱ ଟାଟା ପାଓ୍ବାର ନେବାପରେ ଶ୍ରୀକାନ୍ତ ବାବୁ ପୁରା ପାଟିରେ ତାଲା ଠୁଙ୍କି ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ସେସୁର ସିଇଓ ଅରୁଣ ବୋଥ୍ରା କମ୍ପାନୀ ମାନଙ୍କଠାରୁ ବକେୟା ଆଦାୟ ପାଇଁ ତୁହାକୁ ତୁହା କହିଲେବି ଶ୍ରୀକାନ୍ତଙ୍କ ମୁହଁରୁ କିନ୍ତୁ ପଦୁଟିଏ ବାହାରୁ ନାହିଁ । କରେଣ୍ଟ ଚାଲିଗଲେ ଫ୍ୟାନର ଅବସ୍ଥା ଯେପରି ଶ୍ରୀକାନ୍ତଙ୍କ ଅବସ୍ଥା ଠିକ୍ବା ସେହିପରି ମନେ ହେଉଛି ।

ଚର୍ଚ୍ଚା ହେଉଛି ଟାଟା ଆଉ ଶ୍ରୀକାନ୍ତଙ୍କ ମଧ୍ୟରେ ସମ୍ପର୍କ ଖୁଵ୍ ଭଲ । ଏ ସମ୍ପର୍କ ଏବେକାର ନୁହେଁ ବରଂ ବିଜୁ ବାବୁଙ୍କ ସମୟରୁ ଯେତବେଳେ ଯାଜପୁରର ବ୍ରାହ୍ମଣୀପାଳ ଫେରୋକ୍ରମ ପ୍ଲାଣ୍ଟକୁ ଟାଟା ହାତକୁ ଟେକି ଦିଆଗଲା ସେବେଠୁ । ଏହା ବ୍ୟତିତ ଟାଟା ବିରୁଦ୍ଧରେ ଯିଏ ଯିବ ସେ ତଥାଗତଙ୍କ ଅବସ୍ଥା ଭୋଗିବ ତାହା ହୁଏତ ଭାବି ଶ୍ରୀକାନ୍ତ ନିରବ ରହୁଥାଇ ପାରନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ରାଜନୈତିକ ଚରିତ୍ରମାନେ ଯେତବେଳେ ଯେଉଁ ପ୍ରସଙ୍ଗ ଉଠାଇଥାନ୍ତି ତାହା ପାତ୍ର ବିଶେଷରେ ଭିନ୍ନତା ପରିଲକ୍ଷିତ ହୋଇଥାଏ ତାହା ଏହି ଘଟଣାରେ ଦେଖିବାକୁ ମିଳିଛି ।

Related Posts