ବିଚାରପତିଙ୍କୁ ହତ୍ୟା ଘଟଣା: ଦୋଷୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ

ରାଞ୍ଚି: ଝାଡ଼ଖଣ୍ଡ ଧାନବାଦରେ ବିଚାରପତିଙ୍କ ହତ୍ୟା ଘଟଣାରେ ପ୍ରକାଶ ପାଇଛି ରାୟ । ମାନ୍ୟବର ସିବିଆଇ କୋର୍ଟ ଦୋଷୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

ଦୋଷୀ ରାହୁଲ ବର୍ମା ଓ ଲଖନ ବର୍ମା ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୩୦୨(ମୃତ୍ୟୁ ପାଇଁ ଦଣ୍ଡ ଦେବା), ୨୦୧(ଅପରାଧ ଲୁଚାଇବାକୁ ଯାଇ ପ୍ରମାଣ ନଷ୍ଟ କରିବା ଓ ଅପରାଧିଙ୍କୁ ଖସାଇବା ଉଦ୍ୟମରେ ଭୁଲ ତଥ୍ୟ ଦେବା) ଏବଂ ଧାରା ୩୪ (ସାଧାରଣ ଉଦ୍ଦେଶ୍ୟ ସାଧନ ପାଇଁ କିଛି ଲୋକ ମିଶି ଅପରାଧ କରିବା) ଲଗାଯାଇଛି।

ସୂଚନାଯୋଗ୍ୟ, ଧାନବାଦର ନିମ୍ନ ଅଦାଲତର ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦଙ୍କୁ ହତ୍ୟା କରିଥିଲେ ଏହି ଦୁଇ ଅପରାଧୀ। ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ରଜନୀକାନ୍ତ ପାଠକଙ୍କ ନେତୃତ୍ୱରେ ଏହି ମାମଲାର ଶୁଣାଣି ଚାଲିଥିଲା। ଅପରାଧିଙ୍କୁ ଆଜୀବନ ସଜା ସହ ୨୫ ହଜାର ଫାଇନ୍ କରିଛନ୍ତି କୋର୍ଟ।

ଗତବର୍ଷ ଜୁଲାଇ ୨୮ ତାରିଖରେ ଜର୍ଜ ଉତ୍ତମ ଆନନ୍ଦ ମର୍ଣ୍ଣିଂ ୱାକ କରୁଥିବା ବେଳେ ଲଖନ ବର୍ମା ଏକ ଅଟୋ ଧରି ତାଙ୍କୁ ଧକ୍କା ଦେଇଥିଲେ। ଏହାପରେ ତୁରନ୍ତ ବିଚାରପତିଙ୍କୁ ହସ୍‌ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଉ ଆଜି ବର୍ଷ ପରେ ଦୋଷୀଙ୍କୁ ସଜା ମିଳିଛି।

ପୂର୍ବରୁ ଏହି ମାମଲାକୁ ଝାଡ଼ଖଣ୍ଡ ପୁଲିସର ଏସ୍‌ଆଇଟି ଟିମ୍ ତଦନ୍ତ କରୁଥିଲା। ହେଲେ ପରେ ଝାଡ଼ଖଣ୍ଡ ହାଇକୋର୍ଟ ଘଟଣାକୁ ଗୁରତର ସହ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ପରେ ମାମଲା ସିବିଆଇ ହାତକୁ ଯାଇଥିଲା।

Related Posts