ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ ରଙ୍ଗାସାମୀ

ଅଲ ଇଣ୍ଡିଆ ଏନଆର କଂଗ୍ରେସ (AINRC) ପ୍ରତିଷ୍ଠାତା ନେତା ଏନ ରଙ୍ଗାସାମି ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଆଜି ଅପରାହ୍ନୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଜ୍ୟପାଳ ଟି ସୌନ୍ଦାରଞ୍ଜନ ତାଙ୍କୁ ଶପଥ ପାଠ କରାଇଛନ୍ତି।ରଙ୍ଗାସାମୀ ୪ର୍ଥ ଥର ପାଇଁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କରୋନା ସଂକ୍ରମଣ ଯୋଗୁଁ ମାତ୍ର ୫ ମିନିଟ୍‌ରେ ଶପଥପାଠ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ମୁଖ୍ୟମନ୍ତ୍ରୀ ରଙ୍ଗାସାମୀ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି। ୨୦୦୧ରେ ପୁଡୁଚେରୀରେ କଂଗ୍ରେସ ସରକାର ଗଠନ କରିଥିବା ବେଳେ ରଙ୍ଗାସାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୬ରେ କଂଗ୍ରେସ ବିଧାନସଭା ନିର୍ବାଚନ ଜିତିଥିଲା ଓ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ପଦରେ ଅକ୍ତିଆର କରିଥିଲେ କିନ୍ତୁ କ୍ୟାବିନେଟ ସଦସ୍ୟଙ୍କ ସହ ବିବାଦ କାରଣ ରୁ ୨୦୦୮ରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୨୦୧୧ ବିଧାନସଭା ନିର୍ବାଚନ ପୂର୍ବରୁ ରଙ୍ଗାସାମୀ ଅଲ ଇଣ୍ଡିଆ ଏନଆର କଂଗ୍ରେସ ଗଠନ କରିଥିଲେ। ଏହା ପରେ ଏଆଇଏଡିଏମକେ ସହ ମିଶି ପୁଡୁଚେରୀରେ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ରଙ୍ଗାସାମୀଙ୍କ ଦଳ ୧୫ଟି ଜିତିଥିବା ବେଳେ ଏଆଇଏଡିଏମକେ ୫ଟି ଆସନ ଅକ୍ତିଆର କରିଥିଲା । କିନ୍ତୁ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ମେଣ୍ଟ କରି ରଙ୍ଗାସାମୀ ସରକାର ଗଠନ କରିଥିଲେ। ଏଥିସହ ସେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଜି ସେ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଛନ୍ତି କିନ୍ତୁ ତାଙ୍କ ମନ୍ତ୍ରିମଣ୍ଡଳ ଗଠନ ହୋଇନାହିଁ। ପରବର୍ତ୍ତୀ ସମୟରେ କ୍ୟାବିନେଟ ସଦସ୍ୟଙ୍କ ନାଁ ଘୋଷଣା କରାଯିବ। କଂଗ୍ରେସ ଛାଡ଼ି ଗତ ଜାନୁଆରୀ ମାସରେ ବିଜେପିରେ ଯୋଗଦେଇଥିବା ଏ ନମଶିବାୟମ ପୁଡୁଚେରୀର ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଅଲ ଇଣ୍ଡିଆ ଏନଆର କଂଗ୍ରେସ ସହ ମେଣ୍ଟ କରି ବିଜେପି ପୁଡୁଚେରୀରେ ନିର୍ବାଚନ ଲଢ଼ୁଥିଲା। ଏନଆର କଂଗ୍ରେସ ୩୦ ବିଧାନସଭା ଆସନରୁ ୧୦ଟିରେ ଜିତିଥିବା ବେଳେ ବିଜେପି ୬ଟି ଆସନ ଦାଖଲ କରିଛି । ପୁଡୁଚେରୀରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହେଉଛି ୧୬। କଂଗ୍ରେସ ଓ ଡିଏମକେ ମେଣ୍ଟ ୮ଟି ଆସନରେ ବିଜୟ ହୋଇଥିବା ବେଳେ ୬ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି।

Related Posts