ପ୍ରଧାନମନ୍ତ୍ରୀ ମୋଦି ଏବଂ ଋଷ ରାଷ୍ଟ୍ରପତି ପୁତିନଙ୍କ ମଧ୍ୟରେ ଦୀର୍ଘ ୪୫ମିନିଟର ଆଲୋଚନା; ଅଫାଗାନିସ୍ତାନକୁ ନେଇ ଚିନ୍ତା ପ୍ରକଟ କଲେ ଦୁଇ ଦେଶ

putin

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆଫଗାନିସ୍ତାନରେ ଚାଲିଥିବା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷିଆର ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କ ସହ ଫୋନରେ କଥା ହୋଇଛନ୍ତି। ଦୁହେଁ ପ୍ରାୟ ୪୫ ମିନିଟ୍ ପର‌୍ୟ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ସମୟରେ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବାର ସୂଚନା ମିଳିଛି । ଏହା ସହ ଆଫଗାନିସ୍ତାନରେ ଉପୁଜିଥିବା ସମସ୍ୟାର ମୁକାବିଲା ପାଇଁ ଉଭୟ ନେତା ମିଳିତ ଭାବେ କାର‌୍ୟ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆଫଗାନିସ୍ତାନରେ ସାମ୍ପ୍ରତିକ ଘଟଣା ସମ୍ପର୍କରେ ସେ ତାଙ୍କ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହ ବିସ୍ତୃତ ଏବଂ ଉପଯୋଗୀ ମତ ବିନିମୟ କରିଛନ୍ତି।

ଏପରିକି କରୋନା ବିରୋଧରେ ଭାରତ-ଋଷିଆର ସହଯୋଗ ସମେତ ଦ୍ୱିପାକ୍ଷିକ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସମ୍ପ୍ରତି ବିଭିନ୍ନ ଦେଶ ଆଫଗାନିସ୍ତାନରେ ରହିଥିବା ନିଜ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ନେବା ଅଭିଯାନ ଜାରି ରଖିଛନ୍ତି । ଭାରତ ପକ୍ଷରୁ ମଧ୍ୟ ଭାରତୀୟଙ୍କୁ ଆଣିବା ବ୍ୟବସ୍ଥା କରାଯାଉଛି । ଅପରିପକ୍ଷେ କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆଫଗାନିସ୍ତାନ ପ୍ରସଙ୍ଗରେ ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲଙ୍କ ସହ ମଧ୍ୟ କଥା ହୋଇଥିଲେ। କାବୁଲ ବିମାନବନ୍ଦରରେ ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ସମସ୍ତ ଦେଶର ସହଯୋଗକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ମଧ୍ୟରେ ଏଭଳି ଆଲୋଚନା ଜାରି ରହିଥିବାର ଦେଖିବା ପାଇଁ ମିଳିଛି ।

Related Posts