ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗକୁ କେନ୍ଦ୍ର କରି ଗର୍ଜିଲେ ଉଭୟ ଆପ୍‌’ ଓ ‘ବିଜେପି’ ବିଧାୟକ । ରାତି ତମାମ ବିଧାନସଭା ପରିସରରେ ଦେଖିବାକୁ ମିଳିଲା ପ୍ରତିବାଦ ।

ଉପରାଜ୍ୟପାଳଙ୍କୁ ବିରୋଧ କରି ସାରା ରାତି ଧାରଣା ଦେବ ବୋଲି ‘ଆପ୍‌’ ଘୋଷଣା କରିବାର କିଛି ସମୟ ପରେ ଦୁର୍ନୀତି ଅଭିଯୋଗରେ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ‌ସତ୍ୟେନ୍ଦ୍ର ଜୈନଙ୍କ ବହିଷ୍କାର ଦାବି କରି ‘ବିଜେପି’ ବିଧାୟକମାନେ ମଧ୍ୟ ରାତି ସାରା ଧାରଣା ଦେଇଥିଲେ।

ପ୍ଲାକାର୍ଡ ଧରି ‘ଆପ୍‌’ ବିଧାୟକମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇଥିବା ବେଳେ ‘ବିଜେପି’ ନେତାମାନେ ଭଗତ୍‌ ସିଂହ, ରାଜଗୁରୁ ଏବଂ ଶୁକଦେବଙ୍କ ପ୍ରତିମୂର୍ତ୍ତି ପାଖରେ ଧାରଣା ଦେଇଥିଲେ। ବିଧାନସଭାରେ ତାଙ୍କ କଥା ଶୁଣା ନ ଯିବାରୁ ସେମାନେ ଧାରଣା ଦେବାକୁ ବାଧ୍ୟ ହେଲେ ବୋଲି ବିରୋଧୀଦଳର ନେତା ‘ବିଜେପି’ ବିଧାୟକ ରାମବୀର ସିଂହ ବିଧୁରି ବିବୃତି ଦେଇଛନ୍ତି।

ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସାକ୍‌ସେନାଙ୍କ ବିରୋଧରେ ତଦନ୍ତ କରାଯିବା ଦାବି ଉଠାଇ ତା’ର ବିଧାୟକମାନେ ବିଧାନସଭା ପରିସରରେ ରାତି ସାରା ଧାରଣା ଦେବେ‌ ବୋଲି ‘ଆପ୍’ କହିଥିଲା। ‘ଆପ୍‌’ ଅଭିଯୋଗ କରିଛି କି, ୨୦୧୬ରେ ଭି. କେ. ସାକ୍‌ସେନା ‘ଖଦୀ ଆଣ୍ଡ୍‌ ଭିଲେଜ୍‌ ଇଣ୍ଡଷ୍ଟ୍ରିଜ୍‌ କମିସନ୍‌’ର (କେଭିଆଇସି) ଅଧ୍ୟକ୍ଷ ଥିବା ବେଳେ ବିମୁଦ୍ରାୟନରେ ଅଚଳ ଘୋଷିତ କରାଯାଇଥିବା ୧,୪୦୦ କୋଟି ଟଙ୍କା ଅଦଳବଦଳ କରିବା ପାଇଁ ଦୁଇଜଣ କର୍ମଚାରୀଙ୍କୁ ବାଧ୍ୟ କରାଇଥିଲେ।

ଉଲ୍ଲେଖଯୋଗ୍ୟ, ‘ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨’ରେ ହୋଇଥିବା ଦୁର୍ନୀତିର ‘ସିବିଆଇ’ ତଦନ୍ତ ନିମନ୍ତେ ରାଜ୍ୟପାଳ ସାକ୍‌ସେନା ସୁପାରିସ କରିବାର କିଛି ଦିନ ପରେ ‘ଆପ୍‌’ ତାଙ୍କ ବିରୋଧରେ ମଧ୍ୟ ‘ସିବିଆଇ’ ତଦନ୍ତ ଦାବି କରିଛି।

‘ଆପ୍‌’ ବିଧାୟକମାନେ ଉପରାଜ୍ୟପାଳ ସାକ୍ସେନାଙ୍କ ଇସ୍ତଫା ଏବଂ ‘ଖଦୀ ଦୁର୍ନୀତି’ର ତଦନ୍ତ ଦାବି କରୁଛନ୍ତି।