ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ହିଂସା: ନବରଙ୍ଗପୁରରୁ ହାଇଦ୍ରାବାଦ ଯାଉଥିବା ବସରେ ଲଗାଇଦେଲେ ନିଆଁ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ହିଂସା | ନକ୍ସଲଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଯାହାକୁ ଖାତିର କରିନଥିଲେ ଘରୋଇ ବସ୍‌ ମାଲିକ | ଫଳସ୍ୱରୂପ ନକ୍ସଲ ମାନେ ବନ୍ଦକୁ ନେଇ ହିଂସାକାଣ୍ଡ ଘଟାଇଛନ୍ତି | ଗତକାଲି ରାତିରେ ସୀମାନ୍ତ ତେଲେଙ୍ଗାନାର ଚିନ୍ତୁର ଥାନା ଅନ୍ତର୍ଗତ କତୁର ଗ୍ରାମ ନିକଟରେ ନବରଙ୍ଗପୁରରୁ ହାଇଦ୍ରାବାଦ ଯାଉଥିବା ବସକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଛନ୍ତି। ବସ ପୋଡିବା ପରେ ନକ୍ସଲମାନେ ପୋଷ୍ଟର ସହ ଲିଫଲେଟ ଛାଡ଼ି ଚାଲିଯାଇଛନ୍ତି | ବସ୍‌ରେ ଥିବା ୫୦ ପାଖାପାଖି ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍‌ଟି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି।

ସୂଚନା ମୁତାବକ ଗତକାଲି ରାତିରେ ଶତାଧିକ ନକ୍ସଲ କଣ୍ଟା ଏବଂ କତୁର ଗ୍ରାମ ମଧ୍ୟରେ ରହିଥିବା ଜଙ୍ଗଲରୁ ବାହାରି ରାସ୍ତା ଅବରୋଧ କରିଥିଲେ। ରାସ୍ତାର ଦୁଇପଟେ ବହୁ ଗାଡି ଅଟକି ରହିଥିଲା। ତେବେ କେଭିଆର ନାମକ ଘରୋଇ ବସ କିନ୍ତୁ ଆଗକୁ ବଢିବାକୁ ଚେଷ୍ଟା କରିଥିଲା ।

ଯାହାଫଳରେ ନକ୍ସଲ ରାଗିଯାଇ ବସଟିକୁ ନିଆଁ ଲଗାଇ ପୋଡି ଦେଇଥିଲେ। ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇବାକୁ ଧମକ ଦେବା ପରେ ବସରେ ନିଆଁ ଲଗାଇ ଦେଇଥିଲେ।ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଚିନ୍ତୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଓଡ଼ିଶାର ମାଲକାନଗିରି ଜିଲ୍ଲା ମୋଟୁଠାରୁ ମାତ୍ର ୧୦ କିମି ଦୂର ଆନ୍ଧ୍ରପ୍ରଦେଶ କୁଟୁରଠାରେ ଘଟିଛି ଏହି ଘଟଣା ।

ସୂଚନାଯୋଗ୍ୟ, କୁଟୁରଠାରେ ଦଣ୍ଡକାରଣ୍ୟ ଡିଭିଜନ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହି ସମୟରେ ପୋଷ୍ଟର, ବ୍ୟାନର ଲଗାଇ ଗାଡ଼ି ଚଳାଚଳ କରିବାକୁ ବାରଣ କରାଯାଇଥିଲା। ମାତ୍ର ଏକ ବସ୍‌ ଗତ ରାତିରେ ପ୍ରାୟ ୫୦ ଯାତ୍ରୀଙ୍କୁ ଧରି ମାଲକାନଗିରିରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। କୁଟୁରଠାରେ ଶତାଧିକ ନକ୍ସଲ ରାସ୍ତା ଉପରକୁ ଆସି ଗାଡ଼ିଟିକୁ ଅଟକାଇଥିଲେ। ଡ୍ରାଇଭର, ହେଲପରଙ୍କୁ ଧମକଚମକ ଦେଇ ଯାତ୍ରୀମାନଙ୍କୁ ବାହାରି ଯିବାକୁ କହିଥିଲେ।

ଏହାପରେ ନକ୍ସଲମାନେ ଗାଡ଼ିର ଡିଜେଲ ଟାଙ୍କର ଖୋଲି ନିଆଁ ଲଗାଇ ଦେଇଥିଲେ। ଫଳରେ ଗାଡ଼ିଟି ହୁତହୁତ ହୋଇ ଜଳି ଉଠିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁ କୌଣସି ଜୀବନହାନୀ ହୋଇ ନ ଥିବା ଜଣାଯାଇଛି।

ଘଟଣାସ୍ଥଳରେ ପୁଲିସ୍‌ ତଦନ୍ତ ଜାରି ରହିଛି । ନକ୍ସଲ ଉପଦ୍ରବ ଅଞ୍ଚଳ ହୋଇ ନ ଥିବା ସତ୍ତ୍ୱେ କୁଟୁରଠାରେ ଶତାଧିକ ନକ୍ସଲ ଏପରି କାଣ୍ଡ ଘଟାଇଥିବାରୁ ସେଠାରେ ସେମାନଙ୍କ ଦବଦବା ବଢ଼ିଥିବା ଅନୁମାନ କରାଯାଇଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ପୁଲିସ୍‌ ଅପରେସନ ବଢ଼ାଇ ଦେଇଛି।

Related Posts