ଅନୁଗୁଳରେ ଶିଶୁ ବିକ୍ରି ! ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ନବଜାତକ

ଅନୁଗୁଳରେ ପିଲା ବିକ୍ରି । ଜନ୍ମ ହେବାର ମାତ୍ର ୪ ଘଣ୍ଟା ମଧ୍ୟରେ ନବଜାତ ଶିଶୁପୁତ୍ରକୁ ତା’ର ବାପା ମା’ ବିକ୍ରି କରି ଦେବା ଘଟଣା ଅନୁଗୁଳରେ ସୃଷ୍ଟି କରିଛି ଚାଞ୍ଚଲ୍ୟ । ଯଦିଓ ନବଜାତ ଶିଶୁପୁତ୍ରଟିକୁ ଉଦ୍ଧାର କରାଯାଇଛି, କିନ୍ତୁ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପିଲାଟି ଏବେ ଜୀବନ ସହ ସଂଘର୍ଷ କରୁଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ।

ନବଜାତକକୁ ବିକି କରିଥିବା ବାପା ମା’ ହେଉଛନ୍ତି ଆଠମଲ୍ଲିକ ଅଂଚଳର ଜଣେ ରାଜମିସ୍ତ୍ରୀ ବାଇଧର ‌ବେହେରା ଓ ତାଙ୍କ ଦ୍ବିତୀୟ ପତ୍ନୀ ସବିତା । ଅନୁଗୁଳ ମହିଳା ମହାବିଦ୍ୟାଳୟ ପାଖ ମଦ‌ନ ମୋହନ ପଡ଼ାର ଗୋଲାସାହିରେ ଭଡ଼ାଘରରେ ରହୁଛନ୍ତି ବାଇଧର ।
ବାଇଧରଙ୍କ ପ୍ରଥମ ପତ୍ନୀଙ୍କଠାରୁ ୩ଟି ସନ୍ତାନ ଥିବା ବେଳେ କିଛି ବର୍ଷ ତଳେ ସେ ବେହେରାଙ୍କୁ ଦ୍ବିତୀୟ ବିବାହ କରିଥିଲେ ।

ଦ୍ବିତୀୟ ବିବାହ ପରେ ବାଇଧର ପ୍ରଥମ ପତ୍ନୀ ଓ ପିଲାମାନଙ୍କଠାରୁ ଅଲଗା ରହୁଛନ୍ତି । ବାଇଧର ଓ ବବିତାଙ୍କର ପୂର୍ବରୁ ଗୋଟିଏ କନ୍ୟା ସନ୍ତାନ ରହିଛି । ଗତ ୨୨ ତାରିଖରେ ବବିତା ଭଡ଼ାଘରେ ଗୋଟିଏ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । କିନ୍ତୁ ସେହି ଦିନ ଅପରାହ୍ନ 5ଟାରେ ସେ ନବଜାତକକୁ ଅନୁଗୁଳ ବଜାରରେ ଥିବା ପ୍ରକାଶ ଜଏଲର୍ସର ମାଲିକ ସୁନୀଲ ଅଗ୍ରୱାଲଙ୍କ ହାତରେ ଟେକି ଦେଇଥିଲେ ।

ଏହାର 6 ଦିନ ପରେ ଗତ୨୮ ତାରିଖରେ ଏ ନେଇ ଖବର ପାଇଥିଲେ ସ୍ବେଚ୍ଛାସେବୀ ବ୍ରହ୍ମଜ୍ୟୋତି ମିଶ୍ର । ଏ ବାବଦରେ ସେ ଲିଖିତ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ଏ ନେଇ ଅନୁଗୁଳ ଥାନାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ‌ମଙ୍ଗଳବାର ପୂର୍ବାହ୍ନରେ ପୋଲିସ୍‌ ସହାୟତାରେ ଶିଶୁ ସୁରକ୍ଷା ଅଧିକାରୀ ଅନୁଗୁଳ ବଜାରସ୍ଥିତ ସୁନୀଲ ଅଗ୍ରୱାଲଙ୍କ ବାସଭବନରେ ଚଢ଼ାଉ କରିଥିଲେ ।

ଏ ସମ୍ପର୍କରେ ଆଗୁଆ ସୂଚନା ପାଇ ସୁନୀଲ ତାଙ୍କ ଘର ଓ ଦୋକାନ ବନ୍ଦ କରି କେଉଁ ଆଡ଼େ ଚାଲି ଯାଇଥିଲେ । କିନ୍ତୁ ପରେ ଅପରାହ୍ନ ସୁନୀଲ ଅନୁଗୁଳ ଥାନାକୁ ଯାଇ ଶିଶୁଟିକୁ ପୋଲିସକୁ ହସ୍ତାନ୍ତର କରିଥିଲେ । ମଙ୍ଗଳବାର ସଂଧ୍ୟାରେ ପୋଲିସ୍‌ ଶିଶୁ କଲ୍ୟାଣ ସମିତି(ସିଡବ୍ଲ୍ୟୁସି)କୁ ପିଲାଟିକୁ ହସ୍ତାନ୍ତର କରିଥିଲା ।

କିନ୍ତୁ ଅଚାନକ ତା’ର ପାଟିରୁ ରକ୍ତ ବାହାରିବାରୁ ତୁରନ୍ତ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ପିଲାଟିର ଅବସ୍ଥା ସଂକଟାପନ୍ନ ରହିଛି । ତେବେ ପିଲା ବିକ୍ରି ସମ୍ପର୍କରେ ସଂପୃକ୍ତ ଦମ୍ପତି ଓ ସୁନୀଲ ଅଗ୍ରୱାଲଙ୍କୁ ପଚରାଉଚରା କରାଯିବ ବୋଲି କହିଛନ୍ତି ସିଡବ୍ଲ୍ୟୁସି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ।

Related Posts