ସାର ଅଭାବରୁ ରାସ୍ତାକୁ ଓହ୍ଲାଉଛନ୍ତି ଚାଷୀ : ବନ୍ଦରରେ ପଡ଼ିରହିଛି ୨୭ ହଜାର ଟନ୍ ସାର, ମୁଖ୍ୟମନ୍ତ୍ରୀଙ୍କ ଚିଠି ସତ୍ତ୍ବେ ବି ମିଳିଲାନି ଆବଶ୍ୟକ ପରିମାଣ ସାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାର ଅଭାବରୁ ରାଜରାସ୍ତାକୁ କୃଷକ ମାନେ ଓହ୍ଲାଉଛନ୍ତି । ଅପରପକ୍ଷରେ ବନ୍ଦରରେ ପଡ଼ି ରହିଛି ଟନ୍ ଟନ୍ ସାର। ଅଗଷ୍ଟ ଶେଷ ହେବାକୁ ବସିଥିବା ବେଳେ ଓଡ଼ିଶାକୁ ଆବଶ୍ୟକତା ମୁତାବକ ସାର ମିଳିଲା ନାହିଁ। ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀଙ୍କ ଚିଠି ସତ୍ବେ କିଛି ବି ସୁଫଳ ମିଳିଲାନି । 

ରାଜ୍ୟରେ ୟୁରିଆ ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏମିତିକି ସାର ପାଇଁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ସେପଟେ ତିନି ସପ୍ତାହରୁ ଅଧିକ ସମୟ ହେବ ସାର ଆସି ପାରାଦୀପ ବନ୍ଦରରେ ପଡ଼ି ରହିଛି। ସେହିପରି ଆଉ କିଛି ସାର ୧୦ ଦିନ ହେଲାଣି ଧାମରାରେ ବନ୍ଦରରେ ପଡ଼ି ରହିଛି। ଅଭିଯୋଗ ଅନୁଯାୟୀ, ତେବେ ଏଥିରେ ବାଧକ ସାଜିଛି ରେଳ ବିଭାଗ ରେକ୍‌ । ଯେତିକି ସାର ଆସୁଛି, ସେତିକି ଚାଷୀଙ୍କ ପାଖରେ ଠିକ୍ ସମୟରେ ପହଞ୍ଚି ପାରୁ ନାହିଁ। 

କୃଷି ବିଶେଷଜ୍ଞ ମାନଙ୍କ ମତ ହେଉଛି ଯେ, ଚଳିତ ବର୍ଷ ବର୍ଷାର ଅଭାବ ଯୋଗୁଁ ଫସଲ ବଞ୍ଚାଇବା ପାଇଁ ଅଧିକ ସାରର ଆବଶ୍ଯକତା ରହିଛି । ବର୍ଷା ଅଭାବରୁ ଧାନ ଫସଲ କ୍ଷତିକୁ ଦୃଷ୍ଟିରେ ରଖି ଅଧିକ ସାର ଆବଶ୍ୟକ କରୁଥିବା ଦେଢ଼ ଲକ୍ଷ ହେକ୍ଟରର ଅତିରିକ୍ତ ଅଣ ଧାନ କପା, ମକା, ପରିବା ଚାଷ କରାଯାଉଛି। 

ସେହି ଦୃଷ୍ଟିରୁ ଗତ ବର୍ଷ ତୁଳନାରେ ଚଳିତବର୍ଷ ସାରର ଅଧିକ ଆବଶ୍ୟକତା ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରାଥମିକ ଆବଶ୍ୟକତା ଅନୁସାରେ ୩ ଲକ୍ଷ ୧୦ ହଜାର ମେଟ୍ରିକ ଟନ ୟୁରିଆ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେତିକି ମଧ୍ୟ ଆଜି ପର୍ଯ୍ୟନ୍ତ ମିଳି ପାରି ନାହିଁ। ଏବେ ବି ରାଜ୍ୟକୁ ଆହୁରି ୯୩ ହଜାର ମେଟ୍ରିକ ଟନର ୟୁରିଆର ଆବଶ୍ୟକତା ରହିଛି। ଏହାର ଅର୍ଥ ହେଉଛି ବର୍ତ୍ତମାନ ସୁଦ୍ଧା କେବଳ ୨ ଲକ୍ଷ ୧୭ ହଜାର ମେଟ୍ରିକ ଟନ ହିଁ ରାଜ୍ୟକୁ ମିଳିଛି। ପାରାଦୀପ ଏବଂ ଧାମରା ବନ୍ଦରରେ ସାର ପଡ଼ି ରହିଥିବା ସତ୍ତ୍ବେ ଚାଷୀ ସାର ପାଇପାରୁ ନାହିଁ। 

ପାରାଦୀପ ବନ୍ଦରକୁ ଆସିଥିବା ମୋଟ୍‌ ୧୭ ହଜାର ମେଟ୍ରିକ ଟନରୁ ୭ ହଜାର ମେଟ୍ରିକ ଟନ ୟୁରିଆ ରାଜ୍ୟ ସରକାର ପାଇସାରିଥିବା ବେଳେ ବାକି ୧୦ ହଜାର ମେଟ୍ରିକ ଟନ ବର୍ତ୍ତମାନ ସୁଦ୍ଧା ସେଠାରେ ପଡ଼ି ରହିଛି। ରେଳ ବିଭାଗ ପକ୍ଷରୁ ରେକ ଦିଆଯାଉନଥିବାରୁ ପାଖରେ ଥାଇ ବି ଚାଷୀଙ୍କୁ ୟୁରିଆ ମିଳି ପାରୁନଥିବା ନେଇ ରାଜ୍ୟ କୃଷି ବିଭାଗ ଡିଡିଏ-ଫର୍ଟିଲାଇଜର କହିଛନ୍ତି। 

ସାର ବିକ୍ରି ପାଇଁ କେନ୍ଦ୍ର ଦ୍ବାରା ସ୍ବୀକୃତିପ୍ରାପ୍ତ ନ୍ୟାସନାଲ ଫର୍ଟିଲାଇଜର ଲିମିଟେଡ ମଧ୍ୟ ରେଳ ବିଭାଗକୁ ରେକ ଦେବାକୁ ଅନୁରୋଧ କରିଛି ବୋଲି ଡିଡିଏ-ଫର୍ଟିଲାଇଜର କହିଛନ୍ତି। ଏହି ୨୭ ହଜାର ମେଟ୍ରିକ ଟନ ସାର ରାଜ୍ୟ ସରକାରଙ୍କୁ ମିଳିବା ପରେ ମଧ୍ୟ ଆହୁରି ୬୬ ହଜାର ମେଟ୍ରିକ ଟନ ସାରର ଆବଶ୍ୟକତା ପଡ଼ିବ। କିନ୍ତୁ କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି। 

ସୂଚନା ଅନୁଯାୟୀ, ଚଳିତ ବର୍ଷ ଆରମ୍ଭରୁ ହିଁ ରାଜ୍ୟରେ ସାରର ଅଭାବ ଦେଖାଦେଇଥିଲା। ଏହି ପ୍ରସଙ୍ଗରେ ପ୍ରଥମେ କୃଷି ମନ୍ତ୍ରୀ ଏବଂ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଅଗଷ୍ଟ ସୁଦ୍ଧା ବଳକା ସାର ଦିଆଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ଲାଭ ହୋଇ ନାହିଁ। 

Related Posts