ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗିଛି ଜେଡିୟୁ । ମେଣ୍ଟ ଭାଙ୍ଗିବା ନେଇ ଘୋଷଣା ପରେ ରାଜ୍ୟପାଳ ଫଗୁ ଚୌହନଙ୍କୁ ଭେଟିଛନ୍ତି ନୀତିଶ କୁମାର। ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତିଶ। ଏହାପରେ ସେ ଆରଜେଡି ସହ ମିଶି ମହା ଗଠବନ୍ଧନ ସରକାର ଗଠନ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ ଦୀର୍ଘଦିନ ହେବ ବିଜେପି ସହ ଅସନ୍ତୁଷ୍ଠ ଥିବା ନୀତିଶ ଆଜି ନିଜ ଦଳର ବିଧାୟକ ଓ ସାଂସଦ ମାନଙ୍କର ବୈଠକ ଡ଼କାଇଥିଲେ। ଏହି ବୈଠକ ପରେ ଆନୁଷ୍ଠାନିକ ଭାବେ ବିଜେପି ସହ ମେଣ୍ଟ ଭାଙ୍ଗିବା ନେଇ ଦଳ ତରଫରୁ ଘୋଷଣା ହୋଇଥିଲା। ଏହାପରେ ସେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି। ଏହାପରେ ସେ ଲାଲୁ ଯାଦବଙ୍କ ଦଳ ଆରଜେଡି, କଂଗ୍ରେସ ଓ ବାମ ଦଳ ସହ ମିଶି ସରକାର ଗଠନ କରିବା ନେଇ କସରତ ଆରମ୍ଭ କରିଛନ୍ତି। ଏହି କ୍ରମରେ ସେ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀଙ୍କ ସହ ଫୋନ୍ ଯୋଗେ କଥା ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି। ତେବେ ପୂର୍ବରୁ ବିଜେପି ହାତ ଛାଡ଼ିଲେ ନୀତିଶ ଙ୍କୁ ସମର୍ଥନ ଦେବାକୁ ଆରଜେଡି ଘୋଷଣା କରିଥିଲା। ଯଦି ସବୁ ରାଜନୈତିକ ସମୀକରଣ ଠିକ୍ ଠାକ୍ ରହେ ତେବେ ଖୁବ୍ ଶୀଘ୍ର ବିହାରରେ ମହା ଗଠବନ୍ଧନ ସରକାର ଆସିବା ନେଇ ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି।

Related Posts