ମୁଖ୍ୟମନ୍ତ୍ରୀଙ୍କ ସଭାକୁ କଳା ରଙ୍ଗ ମନା; ପୋଲିସ ଅଟକାଇବାରୁ କଳା ଶାଲ୍, ଓଢଣୀ ଓ ଜ୍ୟାକେଟ କାଢ଼ିଲେ ଲୋକେ

ଭୁବନେଶ୍ୱର,୨୨/୧୨(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ସଭାରେ କଳା ଡ୍ରେସକୁ ମନା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତରେ ଯାଇ ସେଠାରେ ପୋଲିସ ଲାଇନ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନେକ ଲୋକଙ୍କୁ ହଟହଟା ହେବାକୁ ପଡିଛି । କାରଣ ହେଉଛି କଳା ରଙ୍ଗ ।କାର୍ଯକ୍ରମକୁ ଆସିଥିବା ଲୋକଙ୍କ ଭିତରେ କିଏ କଳା ରଙ୍ଗର ଜ୍ୟାକେଟ୍ ପିନ୍ଧିଥିଲେ ତ କିଏ କଳା ରଙ୍ଗର ଶାଲ୍ ଘୋଡେଇ ହୋଇଥିଲା । କିଏ କଳା ଓଢଣୀ ପକାଇଥିଲା ତ ପୁଣି କିଏ କଳା ରଙ୍ଗର ଟୋପି ପିନ୍ଧିଥିଲା । ହେଲେ ସଭାସ୍ଥଳରେ ଜଗିରହିଥିବା ପୋଲିସ ସେମାନଙ୍କୁ କଳାରଙ୍ଗର ପରିଧାନ ବାହାରେ ଛାଡି ଯିବା ପାଇଁ ବାଧ୍ୟ କରିଥିଲା ।

ସଭାସ୍ଥଳ ପ୍ରବେଶ ଦ୍ୱାରରେ ପୋଲିସ ସମସ୍ତଙ୍କ ଉପରେ କଡା ନଜର ରଖିଥିଲା । ଯିଏ କଳା ରଙ୍ଗର ପୋଷାକ ପିନ୍ଧିଥିଲା, କି କଳାରଙ୍ଗର ଅନ୍ୟ ଜିନିଷ ରଖିଥିଲା ସେମାନଙ୍କୁ ଅଟାକାଉଥିଲା ପୋଲିସ । କଳା ଜ୍ୟାକେଟ୍, ଶାଲ, ଟୋପିକୁ ବାହାରେ ଛାଡି ଯିବାକୁ ଲୋକଙ୍କୁ କୁହାଯାଇଥିଲା । ଲୋକମାନେ ସଭାସ୍ଥଳ ବାହାରେ ଥିବା ଗେଟ୍, ବାଉଁଶ ଖୁଂଟ ଆଦିରେ ନିଜ ନିଜ କଳାରଙ୍ଗର ଶୀତବସ୍ତ୍ରକୁ ଟାଙ୍ଗି ସଭାସ୍ଥଳକୁ ଯିବାକୁ ଏକରକମର ବାଧ୍ୟ ହୋଇଥିଲେ । ତେବେ ପ୍ରଶ୍ନ ଉଠୁଛି, କାହିଁକି ଲୋକଙ୍କୁ କଳା ଡ୍ରେସ୍ ପିନ୍ଧି ସଭାସ୍ଥଳକୁ ଯିବାକୁ ମନା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପୂରା ବାଲେଶ୍ଵର ସହରରେ ୩୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ପୂର୍ବାଞ୍ଚଳ ଆଇଜି, ୩ ଜଣ ଏସପି ଓ ଡିଏସପିଙ୍କ ନେତୃତ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ବାଲେଶ୍ୱର ଗସ୍ତରେ ଆସି ପ୍ରାୟ ୨ ହଜାର କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ।

Related Posts