ବଲ୍‌ ଟେମ୍ପରିଂ-ସ୍ମିଥ୍‌, ୱାର୍ଣ୍ଣର ଓ ବେନ୍‌କ୍ରାଫ୍ଟଙ୍କ ଉପରେ ଦୟା ନାହିଁ, ଦଣ୍ଡ କାଏମ୍‌ ରହିବ

ଅଷ୍ଟ୍ରେଲିଆ କ୍ରିକେଟର୍ସ ଆସୋସିଏସନ୍‌(ଏସିଏ) ସ୍ମିଥ୍‌, ୱାର୍ଣ୍ଣର ଓ ବେନ୍‌କ୍ରାଫ୍ଟଙ୍କ ଉପରୁ ପ୍ରତିବନ୍ଧକ ହଟାଇବାକୁ ସିଏ ପାଖରେ ଦାବି କରିଥିଲା । ଏବେ ତିନି ଜଣଙ୍କୁ ନିଜର ପୂର୍ଣ୍ଣ ପ୍ରତିବନ୍ଧକକୁ ସମ୍ପୂର୍ଣ୍ଣ କରିବାକୁ ହେବ ।

କ୍ରିକେଟ୍‌ ଅଷ୍ଟ୍ରେଲିଆ(ସିଏ) ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ୍‌ ଷ୍ଟିଭ୍‌ ସ୍ମିଥ୍‌, ଡେଭିଡ୍‌ ୱାର୍ଣ୍ଣର ଓ କାମେରୁନ୍‌ ବେନକ୍ରାଫ୍ଟଙ୍କ ଦଣ୍ଡ କାଏମ୍‌ ରଖିବ । ଯାହାର ଅର୍ଥ ତିନି ଜଣ ଖେଳାଳିଙ୍କୁ ନିଜର ସମ୍ପୂର୍ଣ୍ଣ ପ୍ରତିବନ୍ଧକକୁ ପୁରା କରିବାକୁ ହେବ । ସ୍ମିଥ୍‌-ୱାର୍ଣ୍ଣର-ବେନକ୍ରାଫ୍ଟଙ୍କ ଉପରେ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ରେ ଗତ ମାର୍ଚ୍ଚ ମାସରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ବଲ୍‌ ଟାମ୍ପରିଂ କରିଥିବାରୁ ପ୍ରତିବନ୍ଧକ ଲଗାଯାଇଥିଲା ।

ସ୍ମିଥ୍‌ ଓ ୱାର୍ଣ୍ଣରଙ୍କ ଉପରେ ସିଏ ଗୋଟିଏ ବର୍ଷ ଲେଖାଏଁ ପ୍ରତିବନ୍ଧକ ଲଗାଇଥିଲା । ସେହିପରି ବେନ୍‌କ୍ରାଫ୍ଟଙ୍କ ଉପରେ 9 ମାସର ପ୍ରତିବନ୍ଧକ ଲଗାଯାଇଛି । ବେନ୍‌କ୍ରାଫ୍ଟ ତ ଚଳିତମାସ ଡିସେମ୍ବର ମାସରେ କ୍ରିକେଟ୍‌କୁ ଫେରିଆସିବେ, କିନ୍ତୁ ସ୍ମିଥ୍‌ ଓ ୱାର୍ଣ୍ଣଙ୍କର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌କୁ ଲେଉଟାଣି ପାଇଁ ମାର୍ଚ୍ଚ 2019 ଯାଏଁ ଅପେକ୍ଷା କରିବାକୁ ହେବ ।

ଏହି ମାମଲାର ତଦନ୍ତ ପାଇଁ ଗଠିତ କରାଯାଇଥିବା ସ୍ବତନ୍ତ୍ର ସମିତି ବିବାଦ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ୍‌ର ଯେ କୌଣସି ମତେ ବିଜୟ ହାସଲ କରିବାର ସଂସ୍କୃତିକୁ ଦାୟୀ କରିଥିଲା । ସମିତିର ରିପୋର୍ଟ ପରେ ଅଷ୍ଟ୍ରେଲିଆ କ୍ରିକେଟର୍ସ ଆସୋସିଏସନ୍‌(ଏସିଏ) ସିଏଠାରୁ ଖେଳାଳିଙ୍କ ଉପରୁ ପ୍ରତିବନ୍ଧକ ହଟାଇବାକୁ ଦାବି କରିଥିଲା ।

ଏହି ଖେଳାଳିଙ୍କ ଉପରେ ପ୍ରତିବନ୍ଧକରେ ରିହାତି କରାଯିବ ନା ନାହିଁ, ଏହି ପ୍ରସଙ୍ଗରେ ସିଏ ଟେଲିଫୋନ୍‌ ମାଧ୍ୟମରେ ଚର୍ଚ୍ଚା କରାଯିବା ପରେ ନିଷ୍ପତ୍ତି ନିଆଯାଇଛି । ସ୍ମିଥ୍‌ ଓ ୱାର୍ଣ୍ଣର ଏବେ ନିଜର ପ୍ରତିବନ୍ଧକର ଅଷ୍ଟମ ମାସରେ ଅଛନ୍ତି, ଯେତେବେଳେ କି ବେନକ୍ରାଫ୍ଟଙ୍କ ପ୍ରତିବନ୍ଧକ ଡିସେମ୍ବରରେ ଶେଷ ହୋଇଯିବ ।

Related Posts