(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର ; ଏଣିକି ଆଉ ବୁଥ୍ରେ ନୁହେଁ ବରଂ ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି। ନୂଆ ନିୟମ ଅନୁସାରେ ନିର୍ବାଚନ ଶେଷ ହେବାପରେ ପ୍ରିଜାଇଡିଂ ଅଫିସର୍ ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବ୍ୟାଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ କରି ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ। ସମସ୍ତ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବ୍ଲକ୍ରେ ଧାର୍ଯ୍ୟ ତାରିଖ ଦିନ କାଉଣ୍ଟିଂ ହେବ। ଏଥିପାଇଁ ଏଥର ୯୨ ହଜାର ବାଲାଟ୍ ବକ୍ସର ଆବଶ୍ୟକ ପଡିବ। ଏଥିପାଇଁ ଏକ ଡ୍ରାଫଟ୍ ନୋଟିଫିକେସନ୍ ପ୍ରକାଶ ପାଇଛି। ଏହି ୩ଟି ଆଇନ ହେଉଛି ଓଡ଼ିଶା ଜିଲ୍ଲାପରିଷଦ ସଂଶଧୋନ ଆଇନ ୨୦୨୧, ଓଡ଼ିଶା ପଞ୍ଚାୟତ ସମିତି ସଂଶଧୋନ ସମିତି ଓ ଓଡ଼ିଶା ଗ୍ରାମପଞ୍ଚାୟତ ନିର୍ବାଚନ ସଂଶଧୋନ ଆଇନ ୨୦୨୧ । ଏ ନେଇ ୧୫ ଦିନ ମଧ୍ୟରେ ଲୋକମାନେ ସେମାନଙ୍କର ମତ ଦେବା ପାଇଁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ନିୟମ ଅନୁସାରେ ହେବାକୁ ଥିବା କାଉଣ୍ଟିଂକୁ ସେଣ୍ଟ୍ରାଲ୍ କାଉଣ୍ଟିଂ କୁହାଯିବ। ପ୍ରାର୍ଥୀ ଓ ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ଧାର୍ଯ୍ୟ ତାରିଖରେ ଗଣତି ହେବ। ପୂର୍ବରୁ କିନ୍ତୁ ଏହି ବ୍ୟବସ୍ଥା ନଥିଲା।
ସୂଚନାଯୋଗ୍ୟ ଯେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଭୋଟଗ୍ରହଣ ହେବା ଦିନ ହିଁ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦରେ କିଏ ଜିତିଛି ଓ କିଏ ହାରିଛି ତାହା ଜଣାପଡିଯାଉଥିଲା। ବର୍ତ୍ତମାନର ନୂଆ ନିୟମ ଅନୁସାରେ କିନ୍ତୁ ତାହା ହେବ ନାହିଁ। ହେଲେ ଏଥିପାଇଁ ଏଥର ଅଧିକ ବେଲଟ ବକ୍ସ ଆବଶ୍ୟକ ପଡ଼ିବ। ତେଣୁ ଜିଲ୍ଲାପାଳଙ୍କୁ ମଧ୍ୟ ଅଧିକ ବେଲଟ ବକ୍ସ ବଢାଇବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହଯାଇଛି।
ଅପରପକ୍ଷରେ ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ସୀମା ପୁନଃ ନିର୍ଦ୍ଧାରଣ ଅର୍ଥାତ ଓ୍ୱାର୍ଡ ଓ ପଞ୍ଚାୟତ ପୁନର୍ଗଠନର ଆବଶ୍ୟକତା ପଡିବ ନାହିଁ। ହେଲେ ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ଆସନ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରଖିବାକୁ ପଡିବ। ତେଣୁ କେବେ ଆଇନ୍ ସଂଶୋଧିତ ହୋଇ ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ଏହା ଉପରେ ନଜର ରହିଛି।
