
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶାରେ ଭାରତ ଯୋଡ ଯାତ୍ରାର ଆୟୋଜନ ନେଇ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଜୟରାମ ରମେଶ ସିଧା ସଳଖ ବିଜେପି, ଆରଏସଏସ, ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, “ଓଡ଼ିଶାରେ ବିଜେପି ସହିତ ବିଜେଡି ଲଢ଼ୁଛି। କିନ୍ତୁ ସେମାନେ ଦିଲ୍ଲୀରେ ଏକାଠି।ପ୍ରଧାନମନ୍ତ୍ରୀଙ୍କ କଥାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉଠବସ ହୁଅନ୍ତି। ସେ ବସ କହିଲେ ଏ ବସନ୍ତି, ଉଠୁ କହିଲେ ଉଠନ୍ତି। ଦେଶରେ ହେଉଥିବା ଭାରତ ଯୋଡ ଯାତ୍ରା ବିଜେପି , ଆରଏସଏସ ଓ ମୋଦିଙ୍କ ବିରୋଧରେ। ବେକାରୀ, ବେରୋଜଗାରୀ, ଧାର୍ମିକ ଧ୍ରୁବିକରଣ ଓ ଦରଦାମ ବୃଦ୍ଧି ବିରୋଧରେ ଭାରତ ଯୋଡ଼ ଯାତ୍ରା। କିନ୍ତୁ ଓଡ଼ିଶାରେ ଯେଉଁ ପଦଯାତ୍ରା ହେଉଛି ତାହା କେବଳ ବିଜେପି ନୁହେଁ ଏହା ବିଜେଡି ବିରୋଧରେ ମଧ୍ୟ। ଏହି ପଦଯାତ୍ରାକୁ ଆମେ ପରିବର୍ତ୍ତନ ଯାତ୍ରା କହି ପାରିବା। ମୁଁ ଓ ଦିଗବିଜୟ ସିଂ ଏହି ଭାରତ ଯୋଡ ଯାତ୍ରାରେ ଯୋଗ ଦେବୁ।”
ସେ ଆହୁରି କହିଛନ୍ତି ଯେ, ତିନୋଟି କାରଣରୁ ଏହି ପଦଯାତ୍ରା ହେଉଛି। ଆରଏସଏସ ଓ ବିଜେପିର ନୀତି ଯୋଗୁଁ ଭାରତ ଭାଙ୍ଗୁଛି। ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଭିତରେ ଦେଶ ଅଛି। ଧର୍ମ, ଜାତି ନାଁରେ ସମାଜକୁ ରାଜନୈତିକ ଉଦ୍ଦେଶ୍ୟରେ ଭଙ୍ଗା ଯାଉଛି। ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି, ତାକୁ ଆଇନ କରୁଛନ୍ତି। ଯାହା ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରୁଛି। କ୍ଷମତା ନିଜ ହାତକୁ ନେଇ ବିଜେପି ଦେଶ ଭାଙ୍ଗୁଛି। ଓଡ଼ିଶାରେ ଭାରତ ଯୋଡ ପରିବର୍ତ୍ତନ ଆଣିବ। ଏହା ପରିକ୍ରମା ଯାତ୍ରା ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ଜୟରାମ ରମେଶ।
ଏହି ଯାତ୍ରା ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, “ଓଡ଼ିଶାରେ ଭାରତ ଯୋଡ ଯାତ୍ରା ଅକ୍ଟୋବର ୩୧ ରୁ ଆରମ୍ଭ ହେବ। ଭୁବନେଶ୍ୱର ଇନ୍ଦିରା ପାର୍କରୁ ଏହି ଯାତ୍ରା ଆରମ୍ଭ ହେବ। ରାଜ୍ୟବ୍ୟାପୀ ୨୨୫୦ କିଲୋମିଟର ପଦଯାତ୍ରା ହେବ। ଏହି ଯାତ୍ରା ରାଜ୍ୟର ୨୦ଟି ସଂସଦୀୟ କ୍ଷେତ୍ରରେ ଅନୁଷ୍ଠିତ ହେବ। ଏଥିରେ ସାମାଜିକ କର୍ମୀଙ୍କୁ ସାମିଲ କରାଯିବ।”