ଓଡ଼ିଶା ମାନବାଧିକାର କମିସନ ସଦସ୍ୟ ପଦ ପୂରଣ ମାମଲା; ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ମାନବାଧିକାର କମିସନ ସଦସ୍ୟ ପଦ ପୂରଣ ପ୍ରସଙ୍ଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାରେ ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ଅଗଷ୍ଟ ମାସରୁ ଖାଲି ପଡ଼ିଥିବା ସଦସ୍ୟ ପଦ ପୂରଣ ପ୍ରସଙ୍ଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ଏଥିସହିତ ଡିସେମ୍ବର ୧୯କୁ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ମାନବାଧିକାର କମିସନ ସଦସ୍ୟ ଅସୀମ ଅମିତାଭ ଦାଶଙ୍କ କାର୍ଯ୍ୟକାଳ ୨୦୨୨, ଅଗଷ୍ଟ ୨୧ରେ ଶେଷ ହୋଇଥିଲା। ଏବେ ମାନବାଧିକାର କମିସନରେ ଅଧ୍ୟକ୍ଷ ଓ ଜଣେ ସଦସ୍ୟ ରହିଛନ୍ତି। ଅଗଷ୍ଟ ମାସରୁ ଖାଲି ପଡ଼ିଥିବା ସଦସ୍ୟ ପଦ ପୂରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ କରି ଶ୍ରୀ ଦାସ ହାଇକୋର୍ଟରେ ଏହି ଜନସ୍ବାର୍ଥ ଆବେଦନ ଦାୟର କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ ନିୟମ ଅନୁସାରେ ମାନବାଧିକାର କମିସନ ସଦସ୍ୟ ପଦ ଖାଲି ପଡ଼ିବାର ତିନିମାସ ଭିତରେ ପୂରଣ କରାଯିବା କଥା। ସୁପ୍ରିମେକାର୍ଟ ଡି.କେ.ବସୁ ମାମଲାରେ ପ୍ରଦାନ କରିଥିବା ରାୟରେ ମଧ୍ୟ ରାଜ୍ୟ ମାନବାଧିକାର କମିସନ ସଦସ୍ୟ ପଦ ତିନିମାସ ଭିତରେ ପୂରଣ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା। କିନ୍ତୁ, ରାଜ୍ୟ ସରକାର ନିୟମ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା କରୁଛନ୍ତି। ତିନିମାସ ନିର୍ଦ୍ଧାରିତ ସମୟସୀମା ଅତିବାହିତ ହୋଇଥିଲେ ମଧ୍ୟ ରାଜ୍ୟ ମାନବାଧିକାର କମିସନ ସଦସ୍ୟ ପଦ ପୂରଣ କରା ନଯିବା ଦ୍ବାରା ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେବାର ସମ୍ଭାବନା ଦେଖା ଦେଇଛି। ମାନବାଧିକାର ସୁରକ୍ଷା ପାଇଁ କମିସନ ଅଧ୍ୟକ୍ଷ ଓ ସବୁ ସଦସ୍ୟଙ୍କୁ ନେଇ ପରିପୂର୍ଣ୍ଣ ବ୍ୟବସ୍ଥାରେ କାର୍ଯ୍ୟ କରିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଓଡ଼ିଶା ମାନବାଧିକାର କମିସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

Related Posts