ମୁଖ୍ୟମନ୍ତ୍ରୀଙ୍କୁ ଆଢୁଆଳ କରି ଅଧିକାରୀମାନେ ରାଜ୍ୟକୁ ଲୁଟୁଛନ୍ତି: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଖ୍ୟମନ୍ତ୍ରୀଙ୍କୁ ଆଢୁଆଳ କରି ଅଧିକାରୀମାନେ ରାଜ୍ୟକୁ ଲୁଟୁଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ବାଚିତ ବିଧାୟକ, ମନ୍ତ୍ରୀ ଓ ଲୋକଙ୍କ କଥା ଶୁଣନ୍ତୁ, ନିଜେ ନିଷ୍ପତ୍ତି ନିଅନ୍ତୁ। ଯାହା ଦ୍ବାରା ଓଡ଼ିଶାର ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବ। କିଛି ଏଭଳି କହି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଗୋପାଳପୁର ବିଧାୟକ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ। ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀ ଗୋପାଳପୁର ଅନ୍ତର୍ଗତ ଇନ୍ଦ୍ରାକ୍ଷି ପଞ୍ଚାୟତ ଗସ୍ତ ଅବସରରେ ସେ ଏହି ମତପୋଷଣ କରିଛନ୍ତି।

ଏହି ଅବସରରେ ସେ ରାଜ୍ୟ ସରକାରକୁ ଟାର୍ଗେଟ କରି ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଅଫିସର ରାଜ ଚାଲିଛି।ପ୍ରଶାସନିକ ଅଧିକାରୀ ମାନେ ଶକ୍ତିଶାଳୀ ହେଉଛନ୍ତି। ଖୋଲାଖୋଲି ଭାବେ ଓଡ଼ିଶାରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଯାହା ଫଳରେ ସାଧାରଣ ଲୋକ ଅବହେଳିତ ଓ ନିଷ୍ପେସିତ ହେଉଛନ୍ତି।

ଅନ୍ୟପଟେ ନିଜ ନିର୍ବାଚନ ମଣ୍ଡଳୀକୁ ନେଇ ପ୍ରଦୀପ କହିଛନ୍ତି ଯେ, ଏଠାରେ ଜଣେ ନିର୍ବାଚିତ ବିଧାୟକ ଥାଉ ଥାଉ ଗୋପାଳପୁରର ବିକାଶ ନିଜର ଦାୟିତ୍ଵ ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି। ହେଲେ ଆଜକୁ ତିନି ବର୍ଷ ହେଲା ନିର୍ବାଚନ ସାରିଥିଲେ ମଧ୍ୟ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଲୋକେ ବିଭିନ୍ନ ଜନହିତକର ଯୋଜନାରୁ ବଞ୍ଚିତ ରହୁଛନ୍ତି। ଏଥି ପ୍ରତି ଧ୍ୟାନ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ୨୨ ବର୍ଷ ଓଡ଼ିଶାକୁ ଶାସନ କଲେଣି ଓ ଏବେ ସେ ବୟାସାଧିକ ହେଲେଣି ତେଣୁ ଲୋକଙ୍କ ସମସ୍ୟା ନିଜେ ବୁଝି ପାରୁନାହାନ୍ତି। ଓଡିଶାବାସୀଙ୍କ ପାଇଁ ସମୟୋଚିତ ପଦକ୍ଷେପ ନେବାକୁ ପଡିବ ସେ ବୋଲି ମତପୋଷଣ କରିଛନ୍ତି।

ଏହା ସହ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଅଧାପନ୍ତରିଆ ଭାବେ ରହିଥିବା ବିଭିନ୍ନ ଯୋଜନାକୁ ତୁରନ୍ତ ସମାପ୍ତ କରିବା, ଲୋକଙ୍କୁ ପଟ୍ଟା ପ୍ରଦାନ, ବିଜୁ ପକ୍କା ଘର, ଆବାସ ଯୋଜନା ପାଇବାକୁ ଥିବା ହିତାଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାଦେଶ ପ୍ରଦାନ, ଟାଟା ଷ୍ଟିଲ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଜମି ମଧ୍ୟରୁ ବ୍ୟବହାର ହେଉଥିବା ସମସ୍ତ ଜମିକୁ ପ୍ରକୃତ ଜମି ମାଲିକକୁ ଫେରାଇବା ଓ ଅନ୍ୟାନ୍ୟ ସମସ୍ୟା ନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବେ ବୋଲି ଏହି ଅବସରରେ ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଇନ୍ଦ୍ରାକ୍ଷି ପଞ୍ଚାୟତ ସରପଞ୍ଚ ଯଶୋବନ୍ତି ସେଠୀ, ସମିତି ସଭ୍ୟା ମାମିନା ସେଠୀ, ପୂର୍ବତନ ସମିତି ସଭ୍ୟ ବୁଚେଶ୍ବର ସାହୁ, ନଟବର ସାହୁ, ବିଧାୟକ ବ୍ଲକ ପ୍ରତିନିଧି ବାଲ୍ୟୟାମ ଦଳାଇ, ପ୍ରତାପ ଚନ୍ଦ୍ର ମିଶ୍ର, ପ୍ରଦିପ ସେନା ସଭାପତି ଏନ ଗଙ୍ଗାଧର ପାତ୍ର, ଛାତ୍ର ନେତା କହ୍ନେୟାଲାଲ ସାବତ, ଅଶ୍ବିନୀ ନାୟକ, ମୁନା ରାଉଏ, ରମେଶ ସେଠୀ, ସନ୍ତୋଷ ସେଠୀ ଓ ଶତାଧିକ ଅଞ୍ଚଳବାସୀ ସାମିଲ ରହିଥିଲେ।

Related Posts