କୃଷି ଆଇନ ଏବଂ ପେଗସସ୍ ବିବାଦକୁ ନେଇ ସଂସଦ ଅଚଳ, ‘ମକ୍ ପାର୍ଲାମେଣ୍ଟ୍‌’ ପାଇଁ ବିଚାର କରୁଛନ୍ତି ବିରୋଧୀ ଦଳ : ସୂତ୍ର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପେଗସସ୍‌ ଜାସୁସି ବିବାଦକୁ ନେଇ ଚଳିତ ମୌସୁମୀ ଅଧିବେଶନରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ଏକ ପ୍ରକାର ଅଚଳ ହୋଇପଡିଛି। ଆଜି ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭା ଓ ରାଜ୍ୟସଭାକୁ ମୁଲତବୀ ରଖାଯାଇଥିଲା। ସଂସଦରେ ଅଚଳାବସ୍ଥା ଯୋଗୁଁ ୧୪ ରୁ ଅଧିକ ବିରୋଧୀ ଦଳ ସଦନ ବାହାରେ ବିକଳ୍ପ ‘ମକ୍ ପାର୍ଲାମେଣ୍ଟ୍‌’ ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରନ୍ତି। ଏଥିପାଇଁ ଆସନ୍ତାକାଲି ସକାଳେ ବିରୋଧୀ ଦଳର ନେତା ମାନେ ଏକତ୍ର ହୋଇ ଏ ସମ୍ପର୍କରେ ନିଷ୍ପତ୍ତି ନେବା ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି।

ବିରୋଧୀଙ୍କ ଅଭିଯୋଗ ହେଉଛି ସଂସଦରେ ସେମାନଙ୍କ କଥାକୁ ଶୁଣାଯାଉ ନାହିଁ। ସୂଚନା ଥାଉକି ବିରୋଧୀ ଦଳମାନଙ୍କ ହଟ୍ଟଗୋଳ ଯୋଗୁଁ ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ବ୍ୟାଘାତ ଯୋଗୁଁ ଟିକସଦାତାଙ୍କର ୧୩୩ ‌କୋଟି ଟଙ୍କାରୁ ଅଧିକ ନଷ୍ଟ ହୋଇଥିବା ନେଇ ସରକାରୀ ସୂତ୍ରରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା।

ଆଜି ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ କ୍ରମାଗତ ଭାବରେ ବ୍ୟାହତ ହୋଇଥିଲା। ବାଚସ୍ପତି ଓମ ବିର୍ଲା ଏ ନେଇ ଉଦବେଗ ପ୍ରକାଶ କରିଥିଲେ। ସେ ସାସଂଦ ମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ଦୁଇ ସପ୍ତାହ ଧରି ଗୃହ କାର୍ଯ୍ୟ ବ୍ୟାହତ ହେତୁ ଦେଶର କୋଟି କୋଟି ଟଙ୍କା ନଷ୍ଟ ହୋଇଛି। ସେ କହିଛନ୍ତି ସଂସଦ ହେଉଛି ସାଧାରଣ ଲୋକଙ୍କ ସମସ୍ୟା ପାଇଁ ।

ଆପଣ ମାନେ (ସାସଂଦ) ଗୃହର ଜଣେ ଜଣେ ସମ୍ମାନିତ ସଦସ୍ୟ, ଆପଣଙ୍କର ଆଚରଣ ଦେଶ ତଥା ସମାଜକୁ ଦିଗଦର୍ଶନ ଦେବା ଉଚିତ୍। ଆପଣ ମାନେ ଏମିତି ସ୍ଲୋଗାନ ଦେଉଛନ୍ତି, ପ୍ଲାକାର୍ଡ ଧରି ବିରୋଧ କରୁଛନ୍ତି । ଏହା ଦ୍ବାରା ଗୃହର ସମ୍ମାନ ହାନୀ ହେଉଛି ବୋଲି ଓମ୍ ବିର୍ଲା କହିଛନ୍ତି। ଏପଟେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ‘ଟ୍ରାଇବୁନାଲ୍‌ ରିଫର୍ମ ବିଲ୍‌, ୨୦୨୧’ ଆଗତ କରିଛନ୍ତି।

Related Posts