ଆଇଟି ଆକ୍ଟର ରଦ୍ଦ ହୋଇଥିବା ଧାରା ୬୬ଏରେ କାହିଁକି ରୁଜୁ ହେଉଛି ମାମଲା ? ରାଜ୍ୟ ସରକାରମାନଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଇଟି ଆକ୍ଟର ରଦ୍ଦ ହୋଇଥିବା ଧାରା ୬୬ଏ କୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ କେନ୍ଦ୍ର ସରକାର କହିଥିଲେ ଯେ ଆଇନ ରଦ୍ଦ ହୋଇଥିବା ନେଇ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଅବଗତ କରାଇଛନ୍ତି। ହେଲେ ଏହାପରେ ବି ରାଜ୍ୟ ସରକାର ଏହି ଆଇନକୁ ବ୍ୟବହାର କରୁଛନ୍ତି। ତେଣୁ କୋର୍ଟ ଏବେ ଏହି ମାମଲାରେ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଜବାବ ତଲବ କରିଛନ୍ତି। ଏହା ସଙ୍ଗେ ସଙ୍ଗେ ସୁପ୍ରିମକୋର୍ଟ ସମସ୍ତ ହାଇକୋର୍ଟର ରେଜିଷ୍ଟ୍ରାରମାନଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି। କୋର୍ଟ କହିଛନ୍ତି ଯେ ଆମେ ନ୍ୟାୟପାଳିକାକୁ ପୃଥକ ଭାବରେ ଦେଖିପାରିବା, କିନ୍ତୁ ଏଥିରେ ପୋଲିସ ମଧ୍ୟ ଦାୟୀ। ସୁପ୍ରିମକୋର୍ଟ କହିଛନ୍ତି ଉଚିତ ନିର୍ଦ୍ଦେଶ ଦେବାର ଆବଶ୍ୟକତା ରହିଛି। କାରଣ ଏହି ଧାରା ଜାରି ରହିପାରିବ ନାହିଁ ।

କୋର୍ଟ କହିଛନ୍ତି- “ଆମେ ଏକ ବିସ୍ତୃତ ଆଦେଶ ଦେବୁ ଯାହାଦ୍ୱାରା ଆଇଟି ଆକ୍ଟର ରଦ୍ଦ ହୋଇଥିବା ଧାରା ୬୬ଏ ଅଧୀନରେ ଥିବା ରୁଜୁ ହୋଇଥିବା ମାମଲା ଗୁଡ଼ିକୁ ପ୍ରତ୍ୟାହାର କରାଯିବ।

ସୂଚନାଯୋଗ୍ୟ, ଆଇଟି ଆକ୍ଟ ୬୬ଏକୁ ୨୦୧୫ରେ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ। ଏହି ଧାରା ରଦ୍ଦ ହେବା ପରେ ବି କାହିଁକି ବ୍ୟବହାର ହେଉଛି କହି ଜୁଲାଇ ୫ରେ ସର୍ବୋଚ୍ଚ ନ୍ୟାୟଳୟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଥିଲେ। ଏହା ପରେ କେନ୍ଦ୍ର ସରକାର ଏହି ଆଇନ ରଦ୍ଦ ହୋଇଥିବା ନେଇ ରାଜ୍ୟ ସରକାର ମାନଙ୍କୁ ଅବଗତ କରାଇଥିଲେ।

ଶିବସେନା ପ୍ରତିଷ୍ଠାତା ବାଲ୍ ଠାକରେଙ୍କର ମାର୍ଚ୍ଚ ୨୪, ୨୦୧୫ରେ ମୃତ୍ୟୁ ଘଟିଥିଲା। ଏଥିପାଇଁ ମୁମ୍ୱାଇ ସହର ଦୁଇ ଦିନ ବନ୍ଦ ରହିଥିଲା। ଏହି ବନ୍ଦକୁ ବିରୋଧ କରି ଦୁଇ ମହିଳା ଫେସବୁକ ପୋଷ୍ଟ୍ କରି ଏହାର ବିରୋଧ କରିଥିଲେ। ପରେ ପୁଲିସ ତାଙ୍କୁ ଧାରା ୬୬ଏ ଆଧାରରେ ଗିରଫ କରିଥିଲା। ଏହାକୁ ବିରୋଧ କରି ଜଣେ ଲ’ ଛାତ୍ର ମାମଲା ଦାୟର କରିଥିଲେ। ପରେ କୋର୍ଟ ମାମଲାର ଶୁଣାଣି କରି ଧାରା ୬୬ଏକୁ ରଦ୍ଦ କରିଥିଲେ।

ଆଇଟି ଆକ୍ଟର ଧାରା ୬୬ ଏ ଅନୁସାରେ ଅନଲାଇନ ମିଡିଆରେ କୌଣସି ଆପତ୍ତିଜନକ ମତ ମନ୍ତବ୍ୟ ଦେଲେ, ଜଣକୁ ପୁଲିସ ଗିରଫ କରିପାରିବ ବୋଲି ପ୍ରାବଧାନ ରହିଥିଲା। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ମାର୍ଚ୍ଚ ୨୪, ୨୦୧୫ରେ ଏହି ଧାରାକୁ ରଦ୍ଦ କରି ଦେଇଥିଲେ। ଆଇନ ରଦ୍ଦ ହେବା ପରେ ମଧ୍ୟ ମହାରାଷ୍ଟ୍ରରେ ୩୮୧ଟି, ଝାଡ଼ଖଣ୍ଡରେ ୨୯୧, ଉତ୍ତରପ୍ରଦେଶରେ ୨୪୫, ରାଜସ୍ଥାନରେ ୧୯୨ଟି ମାମଲା ରୁଜୁ ହୋଇଥିଲା।

Related Posts