ପଦ୍ମପୁର ଉପନିର୍ବାଚନ; ପ୍ରାର୍ଥୀ ଚୟନ ପାଇଁ କମିଟି ଗଠନ କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ପଦ୍ମପୁର ଉପନିର୍ବାଚନ ନିମନ୍ତେ ଆଜି ତାରିଖ ଘୋଷଣା ହୋଇଛି। ତେବେ ଉପନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଆଜି ପ୍ରାର୍ଥୀ ଚୟନ ନିମନ୍ତେ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ ଅଧ୍ୟକ୍ଷ ରହିଛନ୍ତି ।

ଅନ୍ୟପଟେ ଏହି କମିଟିରେ ବିଧାୟକ ସନ୍ତୋଷ ସିଂ ସାଲୁଜା ଆବାହକ ଥିବାବେଳେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଏବଂ ବିଧାୟକ ଡ. ସିଏସ ରାଜନ ଏକା ସଭ୍ୟ ଭାବରେ ରହିଛନ୍ତି । ଉକ୍ତ କମିଟି ଖୁବଶୀଘ୍ର ପଦ୍ମପୁର ଅଞ୍ଚଳ ଗସ୍ତ କରିବ । ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦ, ଜିଲ୍ଲା କଂଗ୍ରେସ ସାମ୍ମୁଖ୍ୟ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଏବଂ ଅନ୍ୟାନ୍ୟ କର୍ମକର୍ତାଙ୍କୁ ଭେଟିବ ।

ସମସ୍ତଙ୍କୁ ଭେଟି ସମ୍ଭାବ୍ୟ ବିଜୟୀ ପ୍ରାର୍ଥୀ ମାନଙ୍କ ନାମ ପ୍ରସ୍ତାବ ପ୍ରଦେଶ କଂଗ୍ରେସ କମିଟିକୁ ପ୍ରଦାନ କରିବା ପାଇଁ ପିସିସି ସଭାପତି ଆଜି ନିର୍ଦ୍ଦେଶ ଦେଇଛନ୍ତି । ପିସିସି କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

ସୂଚନାଯୋଗ୍ୟ ଯେ, ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ଛି। ଏଠାରେ ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ହେବ । ନଭେମ୍ବର ୧୦ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ନଭେମ୍ବର ୧୭ ତାରିଖ​‌ରେ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିବାର ତାରିଖର ଶେଷ ଦିନ ରହିଛି । ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୧ ତାରିଖରେ ପ୍ରାର୍ଥୀ ମାନେ ପ୍ରାର୍ଥିପତ୍ର ପତ୍ୟାହର କରିବା ନେଇ ଶେଷ ତାରିଖ ବୋଲି କୁହାଯାଇଛି । ଡିସେମ୍ବର ୫ ତାରିଖରେ ଭୋଟିଂ ଥିବା ବେଳେ, ୮ ତାରିଖରେ ଭୋଟ୍‌ ଗଣତି କରାଯିବ ।

Related Posts