ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିପୁର୍ରେ ଅଘଟଣ । ନଦୀ ପାର୍ ବେଳେ ଘଟିଛି ଅଘଟଣ। ଗଙ୍ଗା ନଦୀରେ ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିଛି। ଫଳରେ ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି।
ପ୍ରବଳ ବର୍ଷା ପରେ ରେବତୀପୁର ଥାନା ସ୍ଥିତ ଅଠହଠା ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଏଠାରୁ ଗାଁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ଇଞ୍ଜିନ ଚାଳିତ ଡଙ୍ଗା ଯୋଗାଇ ଦିଆଯାଇଛି। ତେବେ ଏହି ଡଙ୍ଗା ସାହାଯ୍ୟରେ କିଛି ଲୋକ ଗାଁରୁ ବାହାରି ନଦୀ ପାର୍ ହେଉଥିବା ବେଳେ ଅଧବାଟରେ ଡଙ୍ଗଟି ଓଲଟି ପଡିଛି। ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ଡଙ୍ଗାରେ ପ୍ରାୟ ୩୦ ଜଣ ଗାଁ ଲୋକ ଥିଲେ। ତେବେ ୨୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଏବେବି ଆହୁରି ୭ରୁ ୮ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୫ ଜଣ ଛୋଟ ଛୁଆ ମଧ୍ୟ ଅଛନ୍ତି। ଓଭର ଲୋଡିଂ ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ସେପଟେ ଦୁର୍ଘଟଣା ଖବର ପାଇ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛି। ଏନ୍ଡିଆର୍ଏଫ୍ ଟିମ୍ ସହାୟତାରେ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।
