ରାହୁଲ ଗାନ୍ଧୀ, ଆଇଟି ମନ୍ତ୍ରୀ, ପ୍ରଶାନ୍ତ କିଶୋର , ଅଭିଷେକ ବାନାର୍ଜୀଙ୍କ ଫୋନ୍ ଟ୍ୟାପିଂ କରିଛି ପେଗାସସ୍ ସ୍ପାଇୱେୟାର : ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପେଗାସସ୍ ସ୍ପାଇୱେୟାର ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଭାରତର ବଡ ବଡ ନେତା ,ମନ୍ତ୍ରୀ , ସାମ୍ବାଦିକ ଏବଂ ଜଜ୍ ମାନଙ୍କ ଫୋନ୍ ଟ୍ୟାପିଂ ହୋଇଥିବା ନେଇ ଏହି ରିପୋର୍ଟରେ ଦାବି କରାଯାଇଛି। ବର୍ତ୍ତମାନ ଫୋନ୍ ଟ୍ୟାପିଂ ହୋଇଥିବା ତାଲିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ରହିଥିବା ଜଣାପଡିଛି। ଅତି କମରେ ରାହୁଲ୍ ଗାନ୍ଧୀଙ୍କ ଦ୍ଵାରା ବ୍ୟବହୃତ ଦୁଇଟି ମୋବାଇଲ୍ ଫୋନ୍ ନମ୍ବର ହ୍ଯାକ୍ ହୋଇଥିବା ଜଣାପଡିଛି। ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା consortium ସୋମବାର ରିପୋର୍ଟ କରିଛି ଯେ, ପ୍ରାୟ ୩୦୦ ବିଶିଷ୍ଟ ଭାରତୀୟଙ୍କ ଗତିବିଧି ଉପରେ ଇସ୍ରାଏଲ୍‌ ସଂସ୍ଥା ଏନଏସଓର ସ୍ପାଇୱେୟାର ପେଗାସସ୍‌ ନଜର ରଖିଥିଲା । ତେବେ ଏହି ୩୦୦ ବିଶିଷ୍ଟ ଭାରତୀୟଙ୍କ ତାଲିକାରେ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ନୂତନ ଭାବେ କେନ୍ଦ୍ର ଆଇଟି ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ, ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବଂ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ନାଁ ରହିଛି।

 consortium ରିପୋର୍ଟ ଅନୁଯାୟୀ ପ୍ରଶାନ୍ତ କିଶୋର ଏବଂ କିଶୋରଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ଫୋନ୍ ଫୋରେନସିକ୍ ଯାଞ୍ଚ୍ ପାଇଁ ଉପଲବ୍ଧ ନଥିବା କାରଣରୁ, ହ୍ୟାକିଂ ନିଶ୍ଚିତ ହୋଇପାରି ନାହିଁ । ଏହି ତାଲିକାରେ ରାହୁଲ ଗାନ୍ଧୀଙ୍କ ପାଞ୍ଚଜଣ ସାଙ୍ଗ ଏବଂ ସମ୍ପର୍କିୟଙ୍କ ନମ୍ବର ମଧ୍ୟ ରହିଛି ବୋଲି ଅଭିଯୋଗ ହୋଇଛି।

 ରବିବାର ଦିନ, ଆନ୍ତର୍ଜାତୀୟ ଗଣମାଧ୍ୟମ ସଂଗଠନର ଏକ ଯାଞ୍ଚ୍ ରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ଯେ ଇସ୍ରାଏଲ୍ କମ୍ପାନୀ NSO ଗ୍ରୁପ୍‌ର ପେଗାସସ୍ ସ୍ପାଏୱେୟାର ଭାରତରେ ୩୦୦ ମୋବାଇଲ୍ ଫୋନ୍ ନମ୍ବରକୁ ଟ୍ଯାପ୍ କରୁଥିବା ଅଭିଯୋଗ ହୋଇଛି।  ଏଥିରେ ଦୁଇଜଣ କେନ୍ଦ୍ର ମନ୍ତ୍ରୀ, ତିନି ବିରୋଧୀ ଦଳର ନେତା, ଜଣେ ସାମ୍ବିଧାନିକ ପ୍ରାଧିକରଣ, ସୁରକ୍ଷା ସଂଗଠନର ବର୍ତ୍ତମାନର ତଥା ପୂର୍ବତନ ମୁଖ୍ୟ, ପ୍ରଶାସକ ଏବଂ ୪୦ ଜଣ ବରିଷ୍ଠ ସାମ୍ବାଦିକ ଏବଂ ଆକ୍ଟିଭିସ୍ଟ୍ ମଧ୍ୟ ସାମିଲ ଥିଲେ ।

 ଆଜି ଲୋକସଭାରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ , ଏପରି ଅଭିଯୋଗର କୌଣସି ପ୍ରମାଣ ନାହିଁ। ବେଆଇନ ସର୍ଭେଲାନ୍ସ କେବେ ସମ୍ଭବ ନୁହେଁ। ଭାରତ ସରକାରଙ୍କ ପ୍ରୋଟକଲ ଏହାକୁ ରୋକିବାକୁ ସକ୍ଷମ। ଗୁଇନ୍ଦାଗିରି କରିବାକୁ ପେଗାସସ୍‌ ବ୍ୟବହାର କରାଯାଉଛି ବୋଲି କୌଣସି ଠୋସ୍ ପ୍ରମାଣ ମିଳିନାହିଁ।

  ମନ୍ତ୍ରୀ ଗୃହରେ ଉତ୍ତର ରଖି କହିଛନ୍ତି ଯେ, ” ଗୋଟିଏ ଅତି ସମ୍ବେଦନଶୀଳ ରିପୋର୍ଟ ଗତକାଲି ରାତିରେ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଗୁଡାଏ ଅଭିଯୋଗ କରାଯାଇଛି। ଏହି ପ୍ରେସ ରିପୋର୍ଟ ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଆସିଛି। ଏହା କେବେ ହେଲେ ଗୋଟିଏ ସଂଯୋଗ ହୋଇନ ପାରେ।

ପୂର୍ବରୁ ମଧ୍ୟ ହ୍ୱାଟସଆପ୍‌ରେ ପେଗାସସ୍‌ର ବ୍ୟବହାରକୁ ନେଇ ଦାବି କରାଯାଇଥିଲା। ଏହି ରିପୋର୍ଟରେ କରାଯାଇଥିବା ଦାବିକୁ ନେଇ କୌଣସି ପ୍ରମାଣ ମିଳିନାହିଁ ବୋଲି ସେ କହିଛନ୍ତି । ଏହି ମିଡିଆ ରିପୋର୍ଟ କେବଳ ଦେଶର ଗଣତନ୍ତ୍ରକୁ କ୍ଷୁଣ୍ଣ କରିବାକୁ ଗୋଟିଏ ପ୍ରୟାସ। ଭାରତ ଖ୍ୟାତନାମା ପ୍ରତିଷ୍ଠାନକୁ ମଧ୍ୟ ଏହି ରିପୋର୍ଟ ମାଧ୍ୟମରେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି।

ପେଗାସସ୍‌ ହେଉଛି ଏମିତି ଏକ ସ୍ପାଇୱେୟାର ଯାହା ଫୋନ୍‌ ନମ୍ବର ପାଇଗଲେ ତା’ ଭିତରେ ଥିବା ସମସ୍ତ ତଥ୍ୟକୁ ଲିକ୍ କରି ପାରିବ। ଫୋନ୍‌ରେ ହେଉଥିବା କଥାବାର୍ତ୍ତା, ହ୍ୱାଟ୍‌ସଆପ୍‌ ଚ୍ୟାଟ୍‌, ଫେସ୍‌ବୁକ୍‌ ଅପଡେଟ୍‌ , ମୋବାଇଲରେ ଥିବା କଣ୍ଟାକ୍ଟ ନମ୍ବର ଆଦି ବହୁ ତଥ୍ୟ ଫୋନ୍‌ ବ୍ୟବହାରକାରୀଙ୍କ ଅଜ୍ଞାତସାରରେ ପେଗାସସ୍‌ ସ୍ପାଇୱୟାର୍‌ ଚୋରି କରି ଏହାର କ୍ରେତାଙ୍କୁ ଜଣେଇଦେବ। ଏହିପରି ଭାବେ ପେଗାସସ୍‌ ବିଶ୍ୱର ବହୁ ଲୋକଙ୍କର ଫୋନ୍‌ ତଥ୍ୟ ହାସଲ କରିଥିବା ଆମ୍‌ନେଷ୍ଟି ଇଣ୍ଟରନେସନାଲ ଓ ଫରବିଡିନ୍‌ ଷ୍ଟୋରିଜ୍‌ ଦାବି କରିଛନ୍ତି।

Related Posts