କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗର ତଥ୍ୟ ଦେବନି ପିଏମ୍‌ଓ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) କେନ୍ଦ୍ରମନ୍ତ୍ରୀମାନଙ୍କ ବିରୋଧରେ ମିଳିଥିବା ଦୁର୍ନୀତି ଅଭିଯୋଗ ସଂପର୍କରେ ତଥ୍ୟ ଦେବାକୁ ମନା କରିଦେଇଛି । ପିଏମ୍‌ଓ ଅନୁସାରେ ଏଭଳି ସୂଚନା ଉପଲବ୍ଧ କରିବା ଜଟିଳ ସ୍ଥିତି ସୃଷ୍ଟି କରିପାରେ ।

ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ)ର ଜଣେ ବରିଷ୍ଠ ଅଧିକାରୀ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ହରିଭାଇ ପାର୍ଥିଭାଇ ଚୌଧୁରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରିପ୍ରେକ୍ଷୀରେ ପିଏମ୍‌ଓର ଏଭଳି ବୟାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ହ୍ୱ୍ୱିସଲବ୍ଲୋୟର ସଞ୍ଜୀବ ଚତୁର୍ବେଦୀଙ୍କ ଦ୍ୱାରା ଏ ସଂପର୍କରେ ଦାଖଲ ହୋଇଥିବା ଆରଟିଆଇ ଆବେଦନର ଜବାବରେ ପିଏମ୍ଓ ପକ୍ଷରୁ କୁହାଯାଇଛି ଯେ, ‘ ପିଏମ୍ଓକୁ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଏବଂ ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ବିରୋଧରେ ସମୟ ସମୟରେ ଅଭିଯୋଗ ମିଳିଥାଏ । ସେଥିମଧ୍ୟରେ ଛଦ୍ମନାମରେ ବା ବେନାମୀ ଭାବେ ମିଳିଥିବା ଅଭିଯୋଗ ସାମିଲ ।

ଅଭିଯୋଗ ମିଳିବା ପରେ ସେ ସଂପର୍କରେ ଦିଆଯାଇଥିବା ଦସ୍ତାବିଜ ଆଧାରରେ ଉଚିତ ଯାଞ୍ଚ କରାଯାଇଥାଏ । ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ରେକର୍ଡକୁ ଗୋଟିଏ ସ୍ଥାନରେ ରଖାଯାଏ ନାହିଁ ଏବଂ ତାହା ଏହି କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ ପରିବ୍ୟାପ୍ତ ହୋଇଥାଏ ।

ସେହିପରି ଅଭିଯୋଗ ଦୁର୍ନୀତି ସମେତ ଅନ୍ୟ ବହୁ ପ୍ରସଙ୍ଗରେ ମଧ୍ୟ ହୋଇଥାଏ । ଆବେଦନକାରୀ କିନ୍ତୁ କେବଳ ଦୁର୍ନୀତି ସହିତ ଜଡ଼ିତ ବିବରଣୀ ମାଗିଛନ୍ତି । ଏଭଳି କ୍ଷେତ୍ରରେ ସେଗୁଡ଼ିକୁ ଦୁର୍ନୀତି ସଂପର୍କିତ ଅଭିଯୋଗ ଭାବେ ଚିହ୍ନଟ କରିବା, ତଦନ୍ତ କରିବା ଜଟିଳ କାମ ହୋଇପାରେ । ଅନ୍ୟପଟେ ମଗାଯାଇଥିବା ସୂଚନା ପାଇଁ ଅନେକ ଫାଇଲର ମଧ୍ୟ ବିସ୍ତୃତ ଭାବେ ଯାଞ୍ଚ କରିବାକୁ ପଡ଼ିବ ବୋଲି ପିଏମ୍ଓ ଦର୍ଶାଇଛି ।

Related Posts