ବିହାରରେ ରାଜନୈତିକ ହଲଚଲ; ଜେଡିୟୁର ସମସ୍ତ ସାଂସଦ ଓ ବିଧାୟକଙ୍କୁ ପାଟନା ଡକରା, ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକାଇଲା ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ଆରମ୍ଭ ହୋଇଯାଇଛି ରାଜନୈତିକ ହଲଚଲ । କୁହାଯାଉଛି ଯେ ରାଜ୍ୟର ରାଜନୈତିକ ସ୍ଥିତି ବଦଳିପାରେ ଆଉ ବିହାରରେ କିଛି ବଡ ରାଜନୈତିକ ଘଟଣା ଘଟିପାରେ। ଏହି ପରିପ୍ରେକ୍ଷୀରେ, ଆଗାମୀ ତିନି-ଚାରି ଦିନ ରାଜ୍ୟ ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ଏନଡିଏରେ ଥିବା ଜେଡିୟୁ ଏହାର ସମସ୍ତ ସାଂସଦ, ବିଧାୟକ / ଏମଏଲସିଙ୍କୁ ପାଟନାକୁ ଡକାଇଛି।ଯେମିତି ବି ହେଉ ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ ପାଟନାରେ ପହଞ୍ଚିବାକୁ କୁହାଯାଇଛି। ଅନେକ ଜେଡିୟୁ ନେତା ସେମାନଙ୍କ ବୟାନରେ କହିଛନ୍ତି ଯେ କିଛିବି ହୋଇପାରେ। ଜେଡିୟୁର ଜାତୀୟ ସଭାପତି ଲଲନ ସିଂ କହିଛନ୍ତି ଯେ ଆରସିପି ସିଂହଙ୍କ ପାଇଁ ଉପୁଜୁଥିବା ପରିସ୍ଥିତିକୁ ବିଚାର କରିବାକୁ ସମସ୍ତଙ୍କୁ ପାଟନା ଡକାଯାଇଛି।

ସେପଟେ ବିଜେପିର ଦୁଇ ବଡ ନେତା ବିହାରରୁ ଦିଲ୍ଲୀ ଯାଇଛନ୍ତି। ବିହାରର ଶିଳ୍ପ ମନ୍ତ୍ରୀ ଶାହନାୱାଜ ହୁସେନ୍ ଓ ସାଂସଦ ରବି ଶଙ୍କର ପ୍ରସାଦ ଦିଲ୍ଲୀ ଯାଇଛନ୍ତି। ତାଙ୍କୁ କେନ୍ଦ୍ରୀୟ ନେତୃତ୍ୱ ଡାକିଛନ୍ତି ବୋଲି କୁହାଯାଉଛି | ବିହାରରେ ଉପୁଜିଥିବା ପରିସ୍ଥିତି ବାବଦରେ ଆଲୋଚନା କରାଯାଇପାରେ। ସେପଟେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ପକ୍ଷରୁ ଗଠବନ୍ଧନ ପ୍ରସଙ୍ଗରେ କୌଣସି ନେତାଙ୍କୁ ବୟାନ ଦେବାପାଇଁ ବାରଣ କରାଯାଇଛି । ବିହାରର ନୂତନ ରାଜନୈତିକ ପରିସ୍ଥିତି ଉପରେ ନିଷ୍ପତ୍ତି ନେବାକୁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଚିନ୍ତା କରୁଥିବା ଜଣାପଡିଛି।

ଅନ୍ୟପକ୍ଷରେ ଆରଜେଡି ପକ୍ଷରୁ କୁହାଯାଇଛି ଯେ ଯଦି ନୀତୀଶ କୁମାର ବିଜେପିରୁ ଅଲଗା ହୁଅନ୍ତି, ତେବେ ଆରଜେଡି ନୀତୀଶ କୁମାରଙ୍କୁ ସମର୍ଥନ କରିବ। ସେପଟେ ନୀତୀଶ କୁମାର ମଧ୍ୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ନୀତୀଶ କୁମାର ସୋନିଆ ଗାନ୍ଧୀଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହା ପରେ ସମସ୍ତ କଂଗ୍ରେସ ବିଧାୟକଙ୍କୁ ପାଟନାକୁ ଡକାଯାଇଛି।

Related Posts