ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ଭିତରେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ଏହି ପଦବୀରେ ଚଳିତ ବର୍ଷ ମାର୍ଚ୍ଚ ୨ ରେ ନିଯୁକ୍ତ କରାଯାଇଥିଲା। ସେ ପଞ୍ଜାବରେ କ୍ୟାବିନେଟ ପାହ୍ୟା ମାନ୍ୟତା ପାଇଥିଲେ। ବର୍ତ୍ତମାନ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ଏ ନେଇ ପିକେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି।

ପି.କେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, “ଆପଣ ଯେପରି ସଚେତନ, ସାଧାରଣ ଜୀବନରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ମୋର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ମୁଁ ଆପଣଙ୍କର ମୁଖ୍ୟ ପରାମର୍ଶଦାତା ଭାବରେ ଦାୟିତ୍ବ ସମ୍ଭାଳି ପାରିବି ନାହିଁ। ମୋତେ ଏହି ପଦରୁ ମୁକ୍ତ କରିବାକୁ ଅନୁରୋଧ କରୁଛି। ଏହି ଦାୟିତ୍ୱ ପାଇଁ ମୋତେ ବିଶ୍ୱାସକୁ ନେଇଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି। “

ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଯଦିଓ ପ୍ରଶାନ୍ତ କିଶୋରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା ତଥାପି ସେ ଏହି ପଦବୀ ଗ୍ରହଣ କରିନଥିଲେ। ଆଗକୁ ୨୦୨୨ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଏହା ପୂର୍ବରୁ ଅମରିନ୍ଦର ସିଂ ପି.କେଙ୍କୁ ଏହି ପଦରେ ନିଯୁକ୍ତ କରିଥିଲେ। ୨୦୧୭ ବିଧାନସଭା ନିର୍ବାଚନରେ ​​ମଧ୍ୟ ପି.କେ ପଞ୍ଜାବରେ କଂଗ୍ରେସର ନିର୍ବାଚନ ଦାୟିତ୍ବ ନେଇଥିଲେ।

ନିକଟରେ ରାହୁଲ ଗାନ୍ଧୀଙ୍କୁ ପ୍ରଶାନ୍ତ ଭେଟିବା ପରେ ସେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ସୂଚନାଯୋଗ୍ୟ, ନରେନ୍ଦ୍ର ମୋଦି ୨୦୧୪ରେ ସାଧାରଣ ନିର୍ବାଚନ ଲଢ଼ିବା ବେଳେ ପ୍ରଶାନ୍ତ କିଶୋର ତାଙ୍କ ପାଇଁ ନିର୍ବାଚନ ରଣନୀତି ପ୍ରୁସ୍ତୁତ କରିଥିଲେ। ଏହାପରେ ପ୍ରଶାନ୍ତ କିଶୋର ବିଜେପି ସହ ଆଉ କୌଣସି ଚୁକ୍ତି ନକରି ଅନ୍ୟାନ୍ୟ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ। ଏହାପରେ ସେ ଜେଡିୟୁରେ ସାମିଲ ହୋଇଥିଲେ। ନିକଟରେ ପ୍ରଶାନ୍ତ ପଶ୍ଚିମଙ୍ଗରେ ଟିଏମସି ପାଇଁ ଏବଂ ତାମିଲନାଡୁରେ ଡିଏମକେ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ଦଳକୁ ବିଜୟୀ କରାଇଛନ୍ତି।

Related Posts