
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ବେକାରୀ ସମସ୍ୟା ବୃଦ୍ଧିକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଜୋରଦାର ବର୍ଷାରେ କଂଗ୍ରେସ ନେତା ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ମୋଦି ସବୁ ପ୍ରସଙ୍ଗରେ କହିବେ, ହେଲେ ବେକାରୀ ସମସ୍ୟା ସଂପର୍କରେ ପଦୁଟିଏ କହିପାରିବେ ନାହିଁ । କାରଣ ସେ ହିଁ ଯୁବକମାନଙ୍କଠାରୁ ରୋଜଗାର ଛଡ଼ାଇ ନେଇଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
ଗୁରୁବାର ଦିନ ରାହୁଲ ଗାନ୍ଧୀ ଭାରତୀୟ ଯୁବ କଂଗ୍ରେସର ‘ସଂସଦ ଘେରାଓ’ କାର୍ଯ୍ୟକ୍ରମରେ ଯୋଗ ଦେଇ ବେକାରୀ ଏବଂ ପେଗାସସ୍ ଜାସୁସି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ। ସାରା ଦେଶରେ ଏବେ ବେକାରୀ ସମସ୍ୟା ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଲାଣି । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ପ୍ରତି ବର୍ଷ ୨ କୋଟି ଲୋକଙ୍କୁ ନିଯୁକ୍ତି ଦେବେ, ହେଲେ ଏବେ ବେକାରୀ ସମସ୍ୟା ନେଇ ମୋଦି ପଦୁଟିଏ କହୁନାହାନ୍ତି ବୋଲି ରାହୁଲ ଗାନ୍ଧି କହିଛନ୍ତି । କାରଣ, କର୍ପୋରେଟ ଜଗତକୁ ସାହାଯ୍ୟ କରିବାକୁ ଯାଇ ମୋଦି କ୍ଷୁଦ୍ର ବେପାରକୁ ଧ୍ୱଂସ କରିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି ।
ସେହିପରି ପେଗାସସ ଜାସୁସି ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ଯେ, ପିଏମ୍ ମୋଦି ଦେଶର ପ୍ରତ୍ୟେକ ଯୁବକଙ୍କ ଫୋନରେ ପେଗାସସ୍ ସ୍ପାଏଓୟାର ଭର୍ତ୍ତି କରିସାରିଛନ୍ତି । ଯଦି ତୁମେ ସତ କହିବ, ତା ହେଲେ ତୁମ ମୋବାଇଲରେ ପେଗାସସ୍ ଥିବ ବୋଲି ରାହୁଲ କହିଛନ୍ତି । କେବଳ ସତ ଓ ଦେଶର ସ୍ୱରକୁ ଚପାଇବା ଲାଗି ପେଗାସସ୍କୁ ବ୍ୟବହାର କରାଯାଉଛି ବୋଲି ରାହୁଲ କହିଛନ୍ତି ।
ସୂଚନା ଥାଉକି ପେଗାସସ୍ ଜାସୁସି ଘଟଣାକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି। ରାଜନେତା, ସାମ୍ବାଦିକ ଓ ଅନ୍ୟମାନଙ୍କ ସଂପର୍କରେ ଗୁଇନ୍ଦାଗିରି କରାଯାଉଥିବା ନେଇ ପ୍ରକାଶ ପାଇଥିବା ରିପୋର୍ଟ ଯଦି ସତ ହୋଇଥାଏ, ତା ହେଲେ ଘଟଣାଟି ସାଂଘାତିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।