ପଦୋନ୍ନତିରେ ଭିଜିଲାନ୍ସ ମାମଲା ବାଧକ ହେବା ଅନୁଚିତ : ହାଇକୋର୍ଟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପଦୋନ୍ନତିରେ ଭିଜିଲାନ୍ସ ମାମଲା ବାଧକ ହେବା ଅନୁଚିତ। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ। ଏକ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ ଡକ୍ଟର ବିଆର ଷଡ଼ଙ୍ଗୀଙ୍କ ଖଣ୍ଡପୀଠ କହିଛନ୍ତି ଯେ , ଦୀର୍ଘ ଦିନ ଧରି ଭିଜିଲାନ୍ସ ମାମଲା ବିଚାରାଧୀନ ରହିଲେ ତାହା କୌଣସି ଅଧିକାରୀ ବା କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ବାଧକ ହେବା ଅନୁଚିତ। 

ଏଭଳି ମାମଲା ଗୁଡ଼ିକର କେବେ ସମାଧାନ ଘଟିବ ତାହା ଜଣା ଅସ୍ପଷ୍ଟ ଥିବା କାରଣରୁ ସଂପୃକ୍ତ କର୍ମଚାରୀ ଅଥବା ଅଧିକାରୀଙ୍କ ପଦୋନ୍ନତି ଅଟକାଇ ରଖାଯିବ ନାହିଁ। ଏହି ମାମଲାର ଆବେଦନକାରୀ ଓଏଏସ୍‌ ଡକ୍ଟର ଏସ୍‌. ବାରିକଙ୍କୁ ପଦୋନ୍ନତି ଦେବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆବେଦନକାରୀଙ୍କୁ ତାଙ୍କ କନିଷ୍ଠ ଏବଂ ସମାନ ବ୍ୟାଚ୍‌ର ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ପ୍ରମୋଶନ ତାରିଖ ଆଧାରରେ ପଦୋନ୍ନତି ପ୍ରଦାନ କରାଯିବ। ତେବେ ବିଚାରାଧୀନ ରହିଥିବା ଭିଜିଲାନ୍ସ ମାମଲାର ଚୂଡ଼ାନ୍ତ ରାୟ ଆସିବା ପରେ ଆବେଦନକାରୀଙ୍କୁ ପ୍ରଦାନ କରାଯିବାକୁ ଥିବା ପଦୋନ୍ନତିର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି। 

ସୂଚନା ମୁତାବକ ୨୦୦୬ ରୁ ଓଏଏସ୍‌ ଡକ୍ଟର ଏସ୍‌. ବାରିକଙ୍କ ବିରୋଧରେ ଭିଜିଲାନ୍ସ ମାମଲା ବିଚାରାଧୀନ ରହିଛି। ତେଣୁ ସେ କୌଣସି ପ୍ରକାର ପଦୋନ୍ନତିରୁ ବଞ୍ଚିତ ଅଛନ୍ତି। ୨୦୦୬ ଭିଜିଲାନ୍ସ ମାମଲାରେ କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ୨୦୧୦ରେ ଅଭିଯୋଗ ଦାଖଲ ହୋଇଥିଲା। କିନ୍ତୁ ଦୀର୍ଘ ୧୫ ବର୍ଷ ହେଲା ମାମଲା ଚାଲିଥିଲେ ସୁଦ୍ଧା ଡଃ ବାରିକଙ୍କୁ ପ୍ରମୋଶନ ଦିଆଯାଇ ନଥିଲା। ଏ ନେଇ ସେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଏସ୍‌କେ ଦାସ ମାମଲା ପରିଚାଳନା କରୁଥିଲେ।

Related Posts